ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ହଷ୍ଟେଲରେ ପ୍ରଥମ ଶ୍ରେଣୀ ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ଉତ୍ତେଜନା | ହତ୍ୟା ଅଭିଯୋଗ ଆଣିଲେ ପରିବାର | କେନ୍ଦୁଝର ଜିଲ୍ଲା ଚମ୍ପୁଆ ବ୍ଲକ ଅନ୍ତର୍ଗତ ଜଜପଶି ପଞ୍ଚାୟତ କଙ୍କଡା ଗ୍ରାମରେ ଥିବା ଆଦର୍ଶ ଗୋପବନ୍ଧୁ ଶିକ୍ଷାଶ୍ରମର ଛାତ୍ରାବାସରେ ଜଣେ ପ୍ରଥମ ଶ୍ରେଣୀ ଛାତ୍ର ଦୀପକ ମହାନ୍ତଙ୍କ ସନ୍ଦେହ ଜନକ ମୃତ୍ୟୁ ଘଟିଥିବା ଜଣା ପଡିଛି।
ସୂଚନାନୁସାରେ ଆଜି ସକାଳୁ ସ୍କୁଲ କର୍ତ୍ତୃପକ୍ଷ ସେହି ଗ୍ରାମରେ ରହୁଥିବା ମୃତକର ମଉସାଙ୍କୁ ଦୀପକ ପୋଖରୀରେ ବୁଡି ମୃତ୍ୟୁ ବରଣ କରିଥିବା ସୂଚନା ଦିଆ ଯାଇଥିଲା। ଖବର ପାଇ ମୃତକର ମଉସା ଓ ଗ୍ରାମବାସୀ ସ୍କୁଲରେ ପହଞ୍ଚି ଥିଲେ। ସେତେବେଳକୁ ମୃତକର ଶବ ସ୍କୁଲ ବାରଣ୍ଡାରେ ରଖା ଯାଇଥିବା ବେଳେ ମୃତକର ଶରୀରରେ ଅନେକ ଜାଗାରେ କ୍ଷତ ଚିହ୍ନଥିବା ଦେଖି ଦୀପକକୁ ହତ୍ୟା କରାଯିବା ନେଇ ଅଭିଯୋଗ ହୋଇଛି ।
ପରେ ଖବର ପାଇ ମୃତକର ପରିବାର ଲୋକ ସ୍କୁଲରେ ପହଞ୍ଚିଥିଲେ। ଜଣେ ପ୍ରଥମ ଶ୍ରେଣୀ ଛାତ୍ରଙ୍କ ଏପରି ସନ୍ଦେହଜନକ ମୃତ୍ୟୁକୁ ନେଇ ସ୍କୁଲ ପରିସରରେ ଉତ୍ତେଜନା ଦେଖା ଯାଇଥିବା ବେଳେ ଖବର ପାଇ ବାରିଆ ପୋଲିସ ସ୍କୁଲରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।