ରାଜସ୍ଥାନବାସୀଙ୍କୁ ପ୍ରାକ ନିର୍ବାଚନୀ ଭେଟି ଦେଲା କଂଗ୍ରେସ, ଏବେ ମାଗଣା ମିଳିବ ବିଜୁଳି

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ରାଜସ୍ଥାନବାସୀଙ୍କୁ ପ୍ରାକ ନିର୍ବାଚନୀ ଭେଟି ଦେଇଛି କଂଗ୍ରେସ । କଂଗ୍ରେସର ଗ୍ୟାରେଣ୍ଟି ଏବେ ନିର୍ବାଚନ ପାଇଁ ଏକ ପ୍ରମୁଖ ଅସ୍ତ୍ର ଭାବେ ଗଣାଯାଉଛି। କର୍ଣ୍ଣାଟକରେ ଏ କଥା କାମ ଦେବା ପରେ ଅନ୍ୟ ରାଜ୍ୟରେ ଦଳ ଗ୍ୟାରେଣ୍ଟିକୁ ନିର୍ବାଚନ ଅସ୍ତ୍ର ଭାବେ ବ୍ୟବହାର କରିବା ଆରମ୍ଭ କରିଛି। ଏପରିକି ଦେଶର ଅନ୍ୟ କିଛି ପ୍ରମୁଖ ଦଳ ମଧ୍ୟ କଂଗ୍ରେସର ଗ୍ୟାରେଣ୍ଟି ଫର୍ମୁଲା ବ୍ୟବହାର ଆରମ୍ଭ କରିଛନ୍ତି। ଏଭଳି ସ୍ଥିତିରେ ଦୁଇ ପାଦ ଆଗକୁ ବଢିଛନ୍ତି ରାଜସ୍ଥାନର କଂଗ୍ରେସ ସରକାର। ରାଜସ୍ଥାନର କଂଗ୍ରେସ ସରକାର ଜୁନ ୧ ତାରିଖରୁ ଘର ପିଛା ଶହେ ୟୁନିଟ ଲେଖା ମାଗଣା ବିଜୁଳି ଯୋଗାଇ ଦେବାକୁ ଘୋଷଣା କରିଛନ୍ତି। ଏହାଦ୍ୱାରା ପ୍ରାୟ ଏକ କୋଟି ଘରୋଇ ବିଦ୍ୟୁତ ଉପଭୋକ୍ତା ଉପକୃତ ହେବେ ବୋଲି କୁହାଯାଇଛି।ଏ ସମ୍ପର୍କିତ ବିଲ ରାଜ୍ୟ ବଜେଟରେ ପାସ ହେବା ପରେ ଆଇନରେ ପରିଣତ ହେବ ।

ଏହି ଯୋଜନା ପାଇଁ ଗେହଲଟ ସରକାରଙ୍କୁ ୫ ହଜାର ୨୦୦ କୋଟି ଟଙ୍କାର ଅତିରିକ୍ତ ବୋଝ ପଡ଼ିବ । ରାଜ୍ୟରେ ସମୁଦାୟ ଘରୋଇ ବିଦ୍ୟୁତ ଉପଭୋକ୍ତାଙ୍କ ସଂଖ୍ୟା ଏକ କୋଟି ୨୪ ଲକ୍ଷ ରହିଛି। ସେମାନଙ୍କ ମଧ୍ୟରୁ ୧ କୋଟି ଲୋକ ମାସକୁ ଶହେ ୟୁନିଟରୁ କମ ବିଦ୍ୟୁତ ଖର୍ଚ୍ଚ କରୁଛନ୍ତି। ମହଂଗାଇ ରାହତ କ୍ୟାମ୍ପରେ ନିଜ ନାମ ପଞ୍ଜୀକୃତ କରି ଉପଭୋକ୍ତାମାନେ ଏହି ଯୋଜନାର ଲାଭ ଉଠାଇ ପାରିବେ ବୋଲି କୁହାଯାଇଛି। ଏହି ଯୋଜନାର ଲାଭ ଉଠାଇବା ପାଇଁ ୭୬ ଲକ୍ଷ ଉପଭୋକ୍ତା ନିଜ ନାମ ପଞ୍ଜୀକରଣ କରି ସାରିଥିବା କୁହାଯାଇଛି। ଯେଉଁମାନେ ଶହେ ୟୁନିଟରୁ ଅଧିକ ବିଦ୍ୟୁତ ବ୍ୟବହାର କରିବେ ସେମାନଙ୍କୁ ପୂର୍ଵଭଳି ନିର୍ଦ୍ଦିଷ୍ଟ ପରିମାଣର ସବସିଡି ଦିଆଯିବ। ରାଜସ୍ଥାନରେ କ୍ଷମତାକୁ ବଜାୟ ରଖିବା ପାଇଁ କଂଗ୍ରେସ ଏଭଳି ମାଷ୍ଟରଷ୍ଟ୍ରୋକ ଖେଳିଥିବା କୁହାଯାଇଛି। ପୂର୍ବରୁ ଗେହଲଟ ପାଇଲଟ ବିବାଦ ତୀଵ୍ର ହୋଇଥିବା ବେଳେ ଉଭୟ ନେତାଙ୍କ ସହ ଆଲୋଚନା କରି ହାଇକମାଣ୍ଡ ସମାଧାନର ରାସ୍ତା ବାହାର କରିଛନ୍ତି। ତେଣୁ ଠିକ ଉଭୟଙ୍କ ସମାଧାନ ଖବର ଆସିବା ପରେ ଗେହଲଟ ସରକାରଙ୍କ ମାଗଣା ବିଜୁଳି ଯୋଗାଣ ଖବର ରାଜନୀତିକୁ ସରଗରମ କରିଛି। ସେପଟେ ନିୟମିତ ବ୍ୟବଧାନରେ ରାଜସ୍ଥାନରେ ସରକାର ପରିବର୍ତ୍ତନ ହେଉଥିବା ବେଳେ ଏଥର କଂଗ୍ରେସ କଣ ପୁଣିଥରେ କ୍ଷମତାକୁ ଫେରିବ କି ବୋଲି ଉଠିଛି ପ୍ରଶ୍ନ ।

Leave A Reply

Your email address will not be published.