କଂଗ୍ରେସ ପାର୍ଟି ମୋ ପାଇଁ ଭଗବାନ : ଡିକେ ଶିବକୁମାର

0

ଓଡ଼ିଆ ନ୍ୟୁଜ (ବ୍ୟୁ୍ରୋ) : କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ପଦରେ କିଏ ବସିବେ  ତାହାକୁ ନେଇ ଦ୍ୱନ୍ଦ୍ୱ ଲାଗିଛି ।ଦଳର ଦୁଇ ବରିଷ୍ଠ ନେତା ଡିକେ ଶିବକୁମାର ଓ ସିଦ୍ଧରମୈୟା ବଡ ଦାବିଦାର ଅଛନ୍ତି ଏବଂ ଉଭୟ ମୁଖ୍ୟମନ୍ତ୍ରୀ ହେବାକୁ ଚାହୁଁଛନ୍ତି । ହାଇକମାଣ୍ଡ କାହାକୁ ସନ୍ତୁଷ୍ଟ କରିବେ ଏହା ବର୍ତ୍ତମାନ ସମୟରେ ଦଳ ପାଇଁ ମୁଣ୍ଡବିନ୍ଧାର କାରଣ ହୋଇଛି ।

ଏହାରି ଭିତରେ ଡିକେ ଶିବକୁମାର ବଡ଼ ବୟାନ ଦେଇଛନ୍ତି । ରାଜ୍ୟ କଂଗ୍ରେସ ମୁଖ୍ୟ କହିଛନ୍ତି ଯେ, ଦଳର ନିଷ୍ପତ୍ତି ଯାହାବି ହେଉନା କାହିଁକି ସେ ଦଳ ପିଠିରେ ଛୁରୀ ଭୁସିବେନି କି ବ୍ଲାକମେଲ କରିବେ ନାହିଁ । ଅର୍ଥାତ୍ ଶିବକୁମାର କୌଣସିମତେ କଂଗ୍ରେସକୁ ଧୋକ୍କା ଦେବେନି ବୋଲି ସ୍ପଷ୍ଟ କରି ଦେଇଛନ୍ତି ।ମୁଖ୍ୟମନ୍ତ୍ରୀ ଚୟନ ସମ୍ପର୍କିତ ଆଲୋଚନାରେ ଯୋଗ ଦେବାକୁ ହାଇକମାଣ୍ଡଙ୍କୁ ଭେଟିବା ପାଇଁ ଆଜି ସକାଳେ ଶିବକୁମାର ଦିଲ୍ଲୀ ଯାତ୍ରା କରିଛନ୍ତି ।

ବେଙ୍ଗାଲୁରୁ ଏୟାରପୋର୍ଟରେ ପହଞ୍ଚିବା ସମୟରେ ସେ ଗଣମାଧ୍ୟମ ଆଗରେ ଉପରୋକ୍ତ ବୟାନ ଦେଇଛନ୍ତି । ଗଣମାଧ୍ୟମ ପ୍ରଶ୍ନରେ ସେ କହିଛନ୍ତି, “ଯଦି ଦଳ ଚାହିଁବ ମୋତେ ମୁଖ୍ୟମନ୍ତ୍ରୀ ଦାୟିତ୍ବ ଦେବ । ଆମର ଗୋଟିଏ ଘର ଏବଂ ଆମ ସଂଖ୍ୟା ୧୩୫ । ମୁଁ ଏଠାରେ ବିଭାଜନ ଚାହେଁନି । ଲୋକେ ମୋତେ ପସନ୍ଦ କରନ୍ତୁ କି ନ କରନ୍ତୁ ମୁଁ ଜଣେ ଦାୟିତ୍ବବାନ ବ୍ୟକ୍ତି । ମୁଁ କେବେ ପିଠିରେ ଛୁରୀ ଭୁସିବିନି କି ବ୍ଲାକମେଲ୍‌ କରିବନି ।”

କଂଗ୍ରେସ ନେତା ଆହୁରିମଧ୍ୟ କହିଛନ୍ତି, କଂଗ୍ରେସ ପାର୍ଟି ମୋ ପାଇଁ ଭଗବାନ । ଆମେ ଏହି ଦଳ ତିଆରି କରୁଛୁ ଏବଂ ମୁଁ ଏହାର ଏକ ଅଂଶ । ଜଣେ ମାଆ ନିଜ ଛୁଆକୁ ସବୁକିଛି ଦେଇପାରିବ ।” କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ପଦକୁ ନେଇ କଂଗ୍ରେସ ଦ୍ବନ୍ଦରେ ଥିବାବେଳେ ସିଦ୍ଧରମୈୟା ହାଇକମାଣ୍ଡକୁ ଭେଟିବାକୁ ଗତକାଲି ଦିଲ୍ଲୀ ଯାଇଥିଲେ । କିନ୍ତୁ ଶିବକୁମାର ନିଜର ସ୍ବାସ୍ଥ୍ୟଗତ ସମସ୍ୟା ଦର୍ଶାଇ ଦିଲ୍ଲୀ ଗସ୍ତ ବାତିଲ କରିଥିଲେ ।

ହେଲେ ହାଇକମାଣ୍ଡଙ୍କ ଡକାରରେ ଆଜି ସକାଳୁ ସେ ରାଜଧାନୀ ଅଭିମୁଖେ ବାହାରିଛନ୍ତି ।ତେବେ ସୂତ୍ରରୁ ପ୍ରାପ୍ତ ସୂଚନା ଅନୁସାରେ, କିଏ ମୁଖ୍ୟମନ୍ତ୍ରୀ ହେବେ ସେନେଇ ଚୂଡାନ୍ତ ନିଷ୍ପତ୍ତି ଘୋଷଣା ପୂର୍ବରୁ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ପରାମର୍ଶ ନେବେ । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣା କରାଯିବ ବୋଲି ଅନୁମାନ କରାଯାଉଛି ।

Leave A Reply

Your email address will not be published.