ମୋଦିଙ୍କୁ ଅଯୋଗ୍ୟ କହିଲେ ଅର୍ଥମନ୍ତ୍ରୀଙ୍କ ସ୍ୱାମୀ

0

ଓଡ଼ିଆ ନ୍ୟୁଜ (ବ୍ୟୁ୍ରୋ) :  କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ସ୍ବାମୀ ତଥା ବିଶିଷ୍ଟ ଅର୍ଥନୀତିଜ୍ଞ ପରାକଲା ପ୍ରଭାକର ମୋଦିଙ୍କ ବିରୋଧରେ ସାଂଘାତିକ ବୟାନ ଦେଇଛନ୍ତି। ସେ ମୋଦି ସରକାରକୁ କଡା ସମାଲୋଚନା କରିଛନ୍ତି।

ପ୍ରଭାକର କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ମୋଦି ଭାରତୀୟ ଅର୍ଥନୀତି ଓ ଅନ୍ୟାନ୍ୟ ବିଷୟ ପରିଚାଳନା କରିବାରେ ଅତ୍ୟନ୍ତ ଅଯୋଗ୍ୟ । କିନ୍ତୁ ଜନସାଧାରଣଙ୍କ ମଧ୍ୟରେ ବିଭାଜନକାରୀ ଭାବନା ପ୍ରସାର କରିବା କ୍ଷେତ୍ରରେ ସେ ପୁରାପୁରି ଦକ୍ଷ । ବରିଷ୍ଠ ସାମ୍ବାଦିକ କରନ ଥାପ୍ପରଙ୍କ ସହ ସାକ୍ଷାତକାର ଅବସରରେ ସେ ଏପରି ବିବାଦୀୟ ବୟାନ ଦେଇଛନ୍ତି ।ପ୍ରଭାକରଙ୍କ ନୂତନ ପୁସ୍ତକ ଗତ ରବିବାର ଦିନ ବେଙ୍ଗାଲୁରୁ ଠାରେ ଉନ୍ମୋଚିତ ହୋଇଥିଲା । ପୁସ୍ତକରେ ମୋଦି ସରକାରଙ୍କ ଦ୍ବାରା ଅର୍ଥ ବ୍ୟବସ୍ଥା ଏବଂ ରାଜନୀତି ପରିଚାଳନା ସମ୍ପର୍କରେ ଉଲ୍ଲେଖ ରହିଛି ।

ଅର୍ଥନୀତି ଏବଂ ଅନ୍ୟ ସମସ୍ତ ପ୍ରସଙ୍ଗ ପରିଚାଳନା କ୍ଷେତ୍ରରେ ମୋଦିଙ୍କ ଦାୟିତ୍ବହୀନତାର ପରିଚୟ ଦେଇ ପ୍ରଭାକର ତାଙ୍କୁ ସମାଲୋଚନା କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦିଙ୍କ କଟୁ ସମାଲୋଚକ ଭାବେ ଜଣାଶୁଣା ସୀତାରମଣଙ୍କ ସ୍ବାମୀ ପ୍ରଭାକର କହିଛନ୍ତି, “୨୦୧୪ରେ ଭାରତୀୟ ଜନତା ପାର୍ଟି ହିନ୍ଦୁତ୍ବ ତସ୍କରୀ କରି ବିକାଶ ନାଁରେ ନିର୍ବାଚନ ଜିତିଥିଲା । ଏବେ ୨୦୨୪ରେ ପୁଣିଥରେ ମୋଦି ସରକାର ଆସିଲେ ଏହା କେବଳ ଭାରତୀୟ ଅର୍ଥବ୍ୟବସ୍ଥା ପାଇଁ ନୁହେଁ, ବରଂ ସମଗ୍ର ଦେଶ ପାଇଁ ଏକ ବିପର୍ଯ୍ୟୟ ହେବ ।

ମୋଦି ଅର୍ଥନୀତି ପରିଚାଳନାରେ ସମ୍ପୂର୍ଣ୍ଣ ଅଯୋଗ୍ୟ ହୋଇଥିଲେ ହେଁ ସାମ୍ପ୍ରଦାୟିକ ବିଭେଦ ସୃଷ୍ଟି କରିବାରେ ଖୁବ୍ ଦକ୍ଷ ।ଲୋକଙ୍କ ମଧ୍ୟରେ ଲୁକ୍କାୟିତ ଥିବା ବିଭାଜନକାରୀ ଭାବନା ଜାଗ୍ରତ କରିବା ତାଙ୍କୁ ଭଲ ଭାବେ ଜଣା ।” ବିଜେପି ଏବଂ ପ୍ରଧାନମନ୍ତ୍ରୀ ମୋଦିଙ୍କ ଲୋକପ୍ରିୟତା କେବଳ ଜନସାଧାରଣଙ୍କୁ ପ୍ରଭାବିତ କରିବାର ସେମାନଙ୍କ କ୍ଷମତା ଦ୍ବାରା ସମ୍ଭବ ହୋଇଛି । ୨୦୧୪ ନିର୍ବାଚନ ସମୟରେ ନରେନ୍ଦ୍ର ମୋଦି ଏବଂ ବିଜେପି ସୁଶାସନ, ସ୍ବଚ୍ଛ ଓ ଦୁର୍ନୀତିମୁକ୍ତ ସରକାର ଏବଂ ବିକାଶର ପ୍ରତିଶ୍ରୁତି ଦେଇ ଭୋଟ ମାଗିଥିଲେ । କିନ୍ତୁ ଏକ ହିନ୍ଦୁ ରାଷ୍ଟ୍ରର ଆରମ୍ଭ କରିବା ଏବଂ ହିନ୍ଦୁତ୍ବର ଶକ୍ତି ପ୍ରଦର୍ଶିତ କରିବାର ତାଙ୍କର ପ୍ରକୃତ ଉଦ୍ଦେଶ୍ୟକୁ ଦେଶବାସୀ ଜାଣିପାରି ନଥିଲେ । ତେଣୁ ସେମାନଙ୍କୁ ବିରୋଧ କରାଯିବା ଜରୁରୀ ବୋଲି ଅର୍ଥନୀତିଜ୍ଞ କହିଛନ୍ତି ।

Leave A Reply

Your email address will not be published.