କେନ୍ଦ୍ରାପଡାରେ ଦମ ଦେଖାଇଲା କଂଗ୍ରେସ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଦମ ଦେଖାଇଲା କଂଗ୍ରେସ। ଦଳରୁ ଗଲେ ଯେତେ ଆସିଲେ ସେତେ ଯାହାକୁ ନେଇ ଆଜି ଉତ୍ସାହିତ ହୋଇ ଉଠିଥିଲା କଂଗ୍ରେସ ଶିବିର।ଆଜି ମହାପ୍ରଭୁ ବଳଦେବଜୀଉଙ୍କ ଦର୍ଶନ କରି କଂଗ୍ରେସ ଦଳର ପ୍ରାର୍ଥୀମାନେ ପ୍ରଚାର ଆରମ୍ଭ କରିଥିବା ବେଳେ କେନ୍ଦ୍ରାପଡା ଜିଲ୍ଲାର ସବୁ ଆସନରୁ କଂଗ୍ରେସ ଲଢେଇ ପାଇଁ ପ୍ରସ୍ତୁତ ବୋଲି ପୂର୍ବାଭାଷ ଦେଇଛି। ବିଶାଳ ବାଇକ ଶୋଭାଯାତ୍ରା କରି ନିଜର ଉପସ୍ଥିତି ଜାହିର କଲା କଂଗ୍ରେସ।ପ୍ରଥମେ ଦଳରୁ ପୂର୍ବତନ ବିଧାୟକ ତଥା ଜିଲ୍ଲା ସଭାପତି ଅଂଶୁମାନ ମହାନ୍ତିଙ୍କ ଇସ୍ତଫା ଓ ପରେ ପୂର୍ବତନ ମନ୍ତ୍ରୀ ତଥା କଂଗ୍ରେସର ହେଭିୱେଟ ଗଣେଶ୍ୱର ବେହେରା ଇସ୍ତଫା ଦେବା ପରେ ଶାସକ ବିଜେଡି ଦଳରେ ଯୋଗଦେବା ପରେ କଂଗ୍ରେସର ଗତି କୁଆଡେ ଓ କଂଗ୍ରେସ ଦଳ ଜିଲ୍ଲାରେ ଏକପ୍ରକାର ନିଶ୍ଚିହ୍ନ ହୋଇଯିବ ବୋଲି ଆଶଙ୍କା କରାଯାଉଥିବା ବେଳେ ଏହାକୁ ଭୂଲ ବୋଲି ପ୍ରମାଣିତ କରିଛନ୍ତି |

କଂଗ୍ରେସର କେନ୍ଦ୍ରାପଡା ଲୋକସଭା ସାଂସଦ ପ୍ରାର୍ଥୀ ଓ ୪ ବିଧାୟକ ପ୍ରାର୍ଥୀ।ଆଜି (ଶନିବାର) ଅପରାହ୍ନରେ କଂଗ୍ରେସର ଲୋକସଭା ସାଂସଦ ପ୍ରାର୍ଥୀ କେନ୍ଦ୍ରାପଡା ଦୁହୁରିଆ ଠାରେ ପହଞ୍ଚିବା ପରେ ସେଠାରୁ କଂଗ୍ରେସର ପାଟକୁରା, କେନ୍ଦ୍ରାପଡା, ଆଳି ଓ ରାଜନଗର ବିଧାୟକ ପ୍ରାର୍ଥୀ ନିଜର ସମର୍ଥକ ମାନଙ୍କ ସହ ଯୋଗଦେଇ ଶୋଭାଯାତ୍ରାକୁ ଇଚ୍ଛାପୁର ସ୍ଥିତ ବଳଦେବଜୀଉ ମନ୍ଦିର ପର୍ଯ୍ୟନ୍ତ ଯାଇଥିଲେ।ସେଠାରେ ମହାପ୍ରଭୁଙ୍କ ଦର୍ଶନ କରିବା ପରେ ଆଳି କଂଗ୍ରେସ ପ୍ରାର୍ଥୀନୀ ଡ଼ଃ ଦେବସ୍ମିତା ଶର୍ମା ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଆଳିରେ ବାଲି ମାଫିଆ, ଜମି ମାଫିଆ ଓ ମଦ ମାଫିଆଙ୍କ ବିରୋଧରେ ଲଢ଼ିବା ପାଇଁ ତାଙ୍କ ନିକଟରେ ଅର୍ଥବଳ ନଥିବା ବେଳେ ଲୋକମାନଙ୍କ ଭଲପାଇବା ବହୁତ ଅଛି ବୋଲି କହିଛନ୍ତି। ସେବା ମନୋବୃତି ନେଇ ସେ ରାଜନୀତିକୁ ଆସିଥିବା କହିଥିବା ବେଳେ ତାଙ୍କ ଜେଜେ ସ୍ବର୍ଗତ ଦିବାକର ଶର୍ମା ଦେବସ୍ମିତାଙ୍କ ଆଦର୍ଶ ବୋଲି କହିଛନ୍ତି।ସେହିପରି ସାଂସଦ ପ୍ରାର୍ଥୀ ଭାବେ ରାଜନୀତିରେ ସମ୍ପୂର୍ଣ୍ଣ ନୂଆ ସିଦ୍ଧାର୍ଥ ସ୍ୱରୂପ ଦାଶ ନିଜ ପ୍ରତିକ୍ରିୟାରେ କେନ୍ଦ୍ରାପଡା ଜିଲ୍ଲାର ଦୁରାବସ୍ଥା ବଖାଣିବା ସହ ଏଠାରୁ ଦୁଇ ଦଳର ପ୍ରାର୍ଥୀ ହୋଇଥିବା ଦୁଇଜଣ ସାଂସଦଙ୍କୁ ୨୦୧୯ ମସିହାରେ ଯଥାକ୍ରମେ ରାଜନଗର ଓ କେନ୍ଦ୍ରାପଡା ଲୋକେ ନାକଚ କରିଛନ୍ତି ବୋଲି କହିଛନ୍ତି।

ତେବେ ବିଜେଡି ଦଳରେ ଦୀର୍ଘବର୍ଷ ଧରି କାମ କରି ୨୦୦୯-୧୪ ପର୍ଯ୍ୟନ୍ତ କେନ୍ଦ୍ରାପଡା ବିଧାୟିକା ସିପ୍ରା ମଲିକ ଚଳିତ ସପ୍ତାହରେ ବିଜେଡି ଛାଡି କଂଗ୍ରେସ ଦଳର ଯୋଗ ଦେଇଥିବା ବେଳେ କେନ୍ଦ୍ରାପଡା ବିଧାନସଭା ଆସନରୁ ଦଳ ତାଙ୍କୁ ଶନିବାର ସନ୍ଧ୍ୟାରେ ପ୍ରାର୍ଥୀ ଘୋଷଣା କରିଛି।ପ୍ରାର୍ଥୀତ୍ବ ଘୋଷଣା ପରେ ସିପ୍ରାଙ୍କ ବାପା ପ୍ରହ୍ଲାଦ ମଲିକ ଯେଉଁ ଦଳରୁ ତାଙ୍କର ରାଜନୀତି ଆରମ୍ଭ କରି ବିଧାୟକ ହୋଇଥିଲେ ସେ ସେହି ଦଳରେ ମିଶିବା ପରେ ଆଜି ତାଙ୍କୁ କଂଗ୍ରେସ ଟିକେଟ ମିଳିବା ପରେ ସେ ଦଳୀୟ ନେତୃତ୍ବଙ୍କ ପ୍ରତି କୃତଜ୍ଞତା ଜ୍ଞାପନ କରିଛନ୍ତି।କେନ୍ଦ୍ରାପଡା ନିର୍ବାଚନ ମଣ୍ଡଳୀ ଏବେ ବିକାଶର ୨୮ତମ ସ୍ଥାନରେ ଥିବାରୁ ଏଠାକାର ଉନ୍ନତି ତାଙ୍କର ପ୍ରଥମ ପଦକ୍ଷେପ ବୋଲି କହିଛନ୍ତି ସିପ୍ରା।ତାଙ୍କ ବିପକ୍ଷରେ ବିଜେଡି ପୂର୍ବତନ କଂଗ୍ରେସ ନେତା ଗଣେଶ୍ୱର ବେହେରାଙ୍କୁ ପ୍ରାର୍ଥୀ କରିଥିବା ବେଳେ ସେ ଏଠାରୁ ବହୁ ଭୋଟ ବ୍ୟବଧାନରେ ବିଜୟୀ ହେବେ ବୋଲି ଆଶାବାଦୀ ରହିଥିବା କହିଛନ୍ତି।

ସେହିପରି ରାଜନଗର ନିର୍ବାଚନ ମଣ୍ଡଳୀର ରାଜନଗର ବ୍ଲକରେ ଦୀର୍ଘ ତିନି ଦଶନ୍ଧି ଧରି ଦବଦବା ରଖିଥିବା ଶାସକ ଦଳର ସମୁଦ୍ର କୂଳବର୍ତ୍ତୀ ନେତା ତଥା ଜିଲ୍ଲା ପରିଷଦର ଉପାଧ୍ୟକ୍ଷ ଅଶୋକ ପ୍ରତିହାରୀ ବିଜେଡି ଛାଡି କଂଗ୍ରେସରେ ଯୋଗ ଦେବା ପରେ ରାଜନଗର ନିର୍ବାଚନ ମଣ୍ଡଳୀରେ ଶାସକ ଦଳ ସହ ଜୋରଦାର ଲଢେଇ ଆଶା କରାଯାଉଛି।ପ୍ରାଥମିକତା ଭିତ୍ତିରେ ସେ ସ୍ଥାନୀୟ ଅଞ୍ଚଳର ଯୁବକ ଯୁବତୀ ମାନଙ୍କୁ ନିଯୁକ୍ତି ଦେବା ପାଇଁ ପ୍ରୟାସ ଆରମ୍ଭ କରିବେ ବୋଲି କହିଛନ୍ତି। ଶାସକ ବିଜେଡି ଦଳକୁ କଂଗ୍ରେସ ଦଳର ଦୁଇଜଣ ହେଭିୱେଟ ଲମ୍ଫ ମାରିଥିବା ବେଳେ ଶାସକ ଦଳରୁ ସିପ୍ରା ଓ ଅଶୋକଙ୍କ ଭଳି ନେତ୍ରୀ ଓ ନେତା କଂଗ୍ରେସ ଦଳକୁ ଚାଲିଯିବା ପରେ ରାଜନୀତି ପାଣି କୁଆଡେ ଯାଉଛି ସେନେଇ ସମସ୍ତଙ୍କ ଅପେକ୍ଷା।

Leave A Reply

Your email address will not be published.