ଶୁକଯୋଡା ନାଳରେ ନୂତନ ପୋଲ ନିର୍ମାଣ ନେଇ ଶିଳାନ୍ୟାସ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ସ୍ଥାନୀୟ ୱାର୍ଡ ନମ୍ବର ୧୯, ୧୭ ଓ ୩ ଅଞ୍ଚଳବାସୀଙ୍କ ଅନେକ ଦିନ ଦାବିକୁ ପୂରଣ ହୋଇଛି। ବିପଦସଙ୍କୁଳ ଅବସ୍ଥାରେ ଥିବା ଶୁକଯୋଡ଼ା ନାଳ ଉପରେ ନୂତନ ଭାବେ ହାଇ ଲେଭଲ ପୋଲ ନିର୍ମାଣ ନିମନ୍ତେ ଶିଳାନ୍ୟାସ କରାଯାଇଛି। ସ୍ଥାନୀୟ ଲୋକଙ୍କ ଦାବିକୁ ସମ୍ମାନ ଜଣାଇ ବାରିପଦା ପୋୖରପାଳିକା ପକ୍ଷରୁ ୭୦ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ବ୍ୟୟ ଅଟକଳରେ ଉକ୍ତ ନୂତନ ପୋଲ ସମେତ ଆପ୍ରୋଚ ରାସ୍ତା ନିର୍ମାଣ ହେବ। ଏନେଇ ରବିବାର ପୋଲ ନିକଟରେ ଅନୁଷ୍ଠିତ ଶିଳାନ୍ୟାସ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବାରିପଦା ପୋୖରପାଳିକାର ନଗରପାଳ କୃଷ୍ଣାନନ୍ଦ ମହାନ୍ତି ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଉପ ନଗରପାଳ ସୀମା ଦାସ, କାର୍ଯ୍ୟ ନିର୍ବାହୀ ଅଧିକାରୀ ଡ଼ଃ ମଧୁସ୍ମିତା ସାମନ୍ତରାୟ, ୱାର୍ଡ କାଉନସିଲର ଦିଗବିଜୟ ହାନ୍ସଦା, କରୁଣାକର ହେମ୍ବ୍ରମ, ରାଜ୍ ଗୁପ୍ତା, ପୋୖର ନିର୍ବାହୀ ଯନ୍ତ୍ରୀ ସଚ୍ଚିତାନନ୍ଦ ଶତପଥୀ ଓ ସମାଜସେବୀ ରଞ୍ଜିତ ମହାନ୍ତି ପ୍ରମୁଖ ମଞ୍ଚସୀନ ହୋଇଥିଲେ। ଉକ୍ତ ପୋଲ ୱାର୍ଡ ନମ୍ବର ୧୯, ୧୭ ଓ ୩ର ମୁଖ୍ୟ ସଂଯୋଗ ରାସ୍ତା ଅଟେ।

ପ୍ରତିଦିନ ଶହ ଶହ ସଂଖ୍ୟକ ଜନସାଧାରଣଙ୍କ ଗମନାଗମନର ଅନ୍ୟତମ ମାଧ୍ୟମ ଅଟେ। ରାଜରାଜୁଡା ଅମଳର ଉକ୍ତ ପୁରାତନ ପୋଲ ବିପଦ ସଂକୁଳ ହୋଇଥିବା ବେଳେ ସ୍ଥାନୀୟ ଲୋକମାନେ ବିପଦପୂର୍ଣ୍ଣ ଭାବେ ଯାତାୟାତ କରୁଥିଲେ। ଗତ ଫାଇଲୀନ ବାତ୍ୟା ସମୟରେ ଉକ୍ତ ଶୁକଯୋଡ଼ା ନାଳର ପୋଲର ତଳ ଅଂଶ ଭାଙ୍ଗିଯାଇଛି। ନାଳ ଉପରେ ନିର୍ମିତ ହୋଇଥିବା କଲର୍ଭଟରେ ଭୀଷଣ ବର୍ଷା ହେଲେ ଅନେକ ସମୟରେ ଏହା ଉପରେ ବର୍ଷାଜଳ ପ୍ରବାହିତ ହୋଇ ସାଧାରଣ ଜନତାଙ୍କ ଗମନାଗମନରେ ବାଧା ସୃଷ୍ଟି କରୁଥିଲା। ପୂର୍ବରୁ ବନ୍ୟାଜଳ ପ୍ରବାହିତ ସମୟରେ ଉକ୍ତ ସ୍ଥାନରେ ଜଣେ ବ୍ୟକ୍ତି ଭାସିଯାଇ ମୃତ୍ୟୁବରଣ କରିଥିଲେ। ବହୁ ପୂର୍ବରୁ ଚେପଟା ପୋଲଟିଏ ଥିବା ବେଳେ ନୂତନ ପୋଲ ନିର୍ମାଣ ପାଇଁ ବାରମ୍ବାର ଦାବି ହେଉଥିଲେ। ଦୀର୍ଘଦିନ ଧରି ସାଧାରଣ ଜନତା ଦାବୀକୁ ଦୃଷ୍ଟି ରଖି ନଗରପାଳ କୃଷ୍ଣାନନ୍ଦ ମହାନ୍ତି ନୂତନ ପୋଲ ନିର୍ମାଣ କାର୍ଯ୍ୟ ନିମନ୍ତେ ପ୍ରକ୍ରିୟା ତ୍ୱରାନ୍ୱିତ କରିଥିଲେ। ନଗରପାଳ ଶ୍ରୀ ମହାନ୍ତି ନିଜେ ସ୍ଥିତି ଅନୁଧ୍ୟାନ କରିବା ସହ ଖୁବଶୀଘ୍ର ନିର୍ମାଣ କାର୍ଯ୍ୟ ହେବ ନେଇ ପ୍ରତିଶ୍ରୁତି ଦେଇଥିଲେ।

ପ୍ରତିଶ୍ରୁତି ଅନୁଯାୟୀ ନଗରପାଳଙ୍କ ଦ୍ୱାରା ଚିଠି ନମ୍ବର ୭୦୧୩ ତା. ୧୦.୧୦.୨୦୨୩ରିଖରେ ଅଧିକ୍ଷଣ ଯନ୍ତ୍ରୀ, ଗ୍ରାମ୍ୟ ଉନ୍ନୟନ ସଂସ୍ଥା, ବାରିପଦାଙ୍କୁ ଉକ୍ତ ଶୁକଯୋଡା ନଦୀ ଉପରେ ଏକ ପୋଲ ଓ ଆପ୍ରୋଚ ରାସ୍ତା ନିର୍ମାଣ ପାଇଁ ଆବଶ୍ୟକ ନକ୍ସା ଓ ଅଟକଳ ପ୍ରସ୍ତୁତ କରି ବାରିପଦା ପୌରପାଳିକାରେ ଦାଖଲ କରିବା ପାଇଁ ଅନୁରୋଧ କରିଥିଲେ। ଯାହାକୁ ନେଇ ଏହାପରେ ଗ୍ରାମ୍ୟ ଉନ୍ନୟନ ବିଭାଗ ଓ ପୌରପାଳିକା ପକ୍ଷରୁ ଯନ୍ତ୍ରୀଙ୍କ ଉପସ୍ଥିତରେ ପୋଲର ମାପ ଚୁପ କରାଯାଇଥିଲା। ବାରିପଦା ପୌରପାଳିକାକୁ ତଥ୍ୟ ହସ୍ତଗତ ହେବା ପରେ ତୁରନ୍ତ ଆବଶ୍ୟକ ଅର୍ଥ ୬୦ଲକ୍ଷ ଟଙ୍କା ମଞ୍ଜୁର କରାଯାଇ ଶିଳାନ୍ୟାସ କରାଯାଇଛି ବୋଲି ନଗରପାଳ କୃଷ୍ଣାନନ୍ଦ ମହାନ୍ତି କହିଛନ୍ତି। ସ୍ଥାନୀୟ ବାସିନ୍ଦା ଦାବିକୁ ଦୃଷ୍ଟିରେ ରଖି ପୌରପାଳିକା ପକ୍ଷରୁ ପୋଲ ଓ ଆପ୍ରୋଚ ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିବାରୁ ସ୍ଥାନୀୟ ବାସିନ୍ଦା ନଗରପାଳ କୃଷ୍ଣାନନ୍ଦ ମହାନ୍ତିଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଶିଳାନ୍ୟାସ କାର୍ଯ୍ୟକ୍ରମରେ ସମସ୍ତ ୱାର୍ଡର କାଉନସିଲର, ବିଭାଗୀୟ ଯନ୍ତ୍ରୀ, କର୍ମଚାରୀ ମାନଙ୍କ ସମେତ ୱାର୍ଡ ନମ୍ବର ୧୯,୧୭ ଓ ୩ର ଶହ ଶହ ସଂଖ୍ୟକ ଜନସାଧାରଣ ଉପସ୍ଥିତ ଥିଲେ।

Leave A Reply

Your email address will not be published.