ମାର୍ଚ୍ଚ ୨୪ରେ ସବୁ ସହରରେ ବନ୍ଦ ରହିବ କୋର୍ଟ କଚେରୀ ଓ ଏହି ସବୁ ଅଫିସ, ଆଗୁଆ କରିଦିଅନ୍ତୁ କାମ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):   ଆସନ୍ତା ମାର୍ଚ୍ଚ ୨୪ତାରିଖରେ ପୌର ନିର୍ବାଚନ ପାଇଁ ମତଦାନ ହେବାକୁ ଥିବାରୁ ଉକ୍ତଦିନ ଭୁବନେଶ୍ୱର, କଟକ ଓ ବ୍ରହ୍ମପୁର ମହାନଗର ନିଗମ ସମେତ ମୋଟ ୧୦୯ଟି ସହରାଞ୍ଚଳରେ ଥିବା ରାଜ୍ୟ ସରକାରଙ୍କ ସମସ୍ତ ଅଫିସ୍ ଓ ଏକଜୁ୍ୟଟିଭ ମାଜିଷ୍ଟ୍ରେଟ୍ କୋର୍ଟ ଛୁଟି ରହିବ । ଏହାସହିତ ଯେଉଁ ସରକାରୀ କର୍ମଚାରୀମାନେ ନିଜର ମତାଧିକାର ସାବ୍ୟସ୍ତ କରିବା ପାଇଁ ନିଜ ଅଞ୍ଚଳକୁ ଚାହିଁବେ ସେମାନଙ୍କୁ ୩ଦିନ ପର୍ଯ୍ୟନ୍ତ ସବୈତନିକ ଛୁଟି ପ୍ରଦାନ କରାଯିବ ।
ଚଳିତଥର ୧୦୬ ପୌରାଞ୍ଚଳ ଓ ୩ ମହାନଗର ନିଗମରେ ଭୋଟ ହେବ । ଆସନ୍ତା ୨୪ ତାରିଖରେ ନିର୍ଦ୍ଧାରିତ ସମସ୍ତ ପୌରାଞ୍ଚଳ ଓ ମହାନଗର ନିଗମରେ ଭୋଟ ପଡିବ । ଆଉ ଗଣତନ୍ତ୍ରର ଏହି ମହାପର୍ବରେ ସାମିଲ ହେବାକୁ ସରକାରୀ କର୍ମଚାରୀଙ୍କ ପାଇଁ ଛୁଟି ଘୋଷଣା କରାଯାଇଛି । ଏନେଇ ଜିଲ୍ଲାପାଳ, ସମସ୍ତ ବିଭାଗ ଓ ବିଭାଗୀୟ ଅଧିକାରୀଙ୍କୁ ଚିଠି ଲେଖି ସ୍ପଷ୍ଟ କରାଯାଇଛି ।

ଏହି ଛୁଟି ଭୋଟଗ୍ରହଣର ପୂର୍ବଦିନ ଓ ପରଦିନ ପର୍ଯ୍ୟନ୍ତ ବୈଧ ରହିବ । ଏହି ୩ଦିନର ସ୍ୱତନ୍ତ୍ର ଛୁଟି ୨୦୨୨ କ୍ୟାଲେଣ୍ଡର ବର୍ଷରେ କର୍ମଚାରୀଙ୍କୁ ମିଳୁଥିବା ବୈଧ ଛୁଟି ବାଦ୍ ଅତିରିକ୍ତ ଭାବେ ମିଳିବ ।

ସେହିପରି ମାର୍ଚ୍ଚ ୨୪ ତାରିଖ ଦିନ ହାଇକୋର୍ଟ ଛୁଟି ‌ରହିବ ବୋଲି ଗତକାଲି ବିଜ୍ଞପ୍ତି ପ୍ରକାଶ ପାଇଛି। ମାର୍ଚ୍ଚ ୨୪ ତାରିଖ ଦିନ ପୌର ନିର୍ବାଚନ ପାଇଁ ଭୋଟ ଗ୍ରହଣ ହେବାକୁ ଥିବା ବେଳେ ଏ ନେଇ ରାଜ୍ୟ ନିର୍ବାଚନ କମିସନ ୨୦୨୨, ମାର୍ଚ୍ଚ ୬ରେ ଜାରି କରିଥିବା ଚିଠିକୁ ବିଚାରକୁ ନେଇ ହାଇକୋର୍ଟଙ୍କ ପକ୍ଷରୁ ଆଜି ଏପରି ବିଜ୍ଞପ୍ତି ପ୍ରକାଶ କରାଯାଇଛି।

Leave A Reply

Your email address will not be published.