ଭୁବନେଶ୍ୱର ଏୟାରପୋର୍ଟ ସାମ୍ନାରେ ରଖାଗଲା ଡାକୋଟାର ମୁଖ୍ୟ ଯନ୍ତ୍ରାଂଶ, ସୋମବାର ଭିତରେ ଫ୍ୟୁଜଲେସ ଲଗାଇବାକୁ ଲକ୍ଷ୍ୟ ରଖାଯାଇଛି।
ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଭୁବନେଶ୍ୱର ଏୟାରପୋର୍ଟ ସାମ୍ନାରେ ରଖାଗଲା ଡାକୋଟାର ବେଲି ପାର୍ଟ ବା ମୁଖ୍ୟ ଯନ୍ତ୍ରାଂଶ।ଦୁଇଟି ଚକ ସହ ବିଜୁବାବୁଙ୍କ ଡାକୋଟାର ଏହି ଅଂଶକୁ ପ୍ରଥମ ପର୍ଯାୟରେ ଅବସ୍ଥାପିତ କରାଯାଇଛି। ଗତକାଲି ରାତିରେ ଏହାକୁ ଅଣାଯାଇଛି। ଆସନ୍ତା ସୋମବାର ଭିତରେ ଫ୍ୟୁଜଲେସ ଲଗାଇବାକୁ ଲକ୍ଷ୍ୟ ରଖାଯାଇଛି। ଏହା ପରେ ଏଥିରେ ଇଞ୍ଜିନ ଓ଼ ଉଇଙ୍ଗସ ଲଗାଯିବ। ଦୀର୍ଘବର୍ଷ ଧରି କୋଲକୋତା ବିମାନ ବନ୍ଦରରେ ପଡି ରହିବା ଯୋଗୁଁ ଡାକୋଟା ବିମାନର ଅନେକ ଅଂଶ ନଷ୍ଟ ହୋଇଯାଇଥିଲା। ଏହାକୁ ଭୁବନେଶ୍ୱର ଅଣାଯାଇ ଭୁବନେଶ୍ଵର ବିମାନବନ୍ଦରର ଷ୍ଟେଟ ହ୍ୟାଙ୍ଗରରେ ବିଜୁ ବାବୁଙ୍କ ଡାକୋଟାକୁ ରଖାଯାଇଥିଲା।
ଏହାର ବଡି, ଇଞ୍ଜିନ, ୱିଙ୍ଗ ଓ ବିଭିନ୍ନ ପାର୍ଟର ପୁନଃନିର୍ମାଣ କରାଯାଇଥିଲା। ଏଥିପାଇଁ ରାଜ୍ୟ ସରକାର ଏକ ଏଜେନ୍ସିକୁ ନିୟୋଜିତ କରିଥିଲେ। ସେମାନେ ବିମାନକୁ ରି-କନଷ୍ଟ୍ରକ୍ଟ କରି ଏବେ ରି-ଆସେମ୍ୱଲ କରିବା ଆରମ୍ଭ କରିଛନ୍ତି। ଡାକୋଟା ବିମାନର ପ୍ରଥମେ ପେଣ୍ଟିଂ, ଡେଣ୍ଟିଂ ଆଦି କାମ କରାଯାଇଥିଲା। ଏହାପରେ ଡାକୋଟା ବିମାନର ଗୋଟିଏ ପାର୍ଟ ଷ୍ଟେଟ୍ ହ୍ୟାଙ୍ଗରରୁ ଟ୍ରେଲର ଜରିଆରେ ଗତକାଲି ବିଳମ୍ବିତ ରାତିରେ ଟର୍ମିନାଲ-୧ ସମ୍ମୁଖକୁ ଅଣାଯାଇଛି। ଟର୍ମିନାଲ-୧ ବିଲ୍ଡିଂ ସମ୍ମୁଖରେ ରାଜ୍ୟ ସରକାରଙ୍କୁ ବିମାନବନ୍ଦର କର୍ତ୍ତୃପକ୍ଷ ଯୋଗାଇ ଦେଇଥିବା ୧.୧ ଏକର ଜାଗା ଉପରେ ଏକ ପେଡେଷ୍ଟ୍ରାଲ ତିଆରି ଚାଲିଛି। ଏହିଠାରେ ଡାକୋଟା ବିମାନ ସର୍ବସାଧାରଣଙ୍କ ପ୍ରଦର୍ଶିତ ହେବ। ମାର୍ଚ୍ଚ ୫ ତଥା ବିଜୁବାବୁଙ୍କ ଜୟନ୍ତୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଉଦଘାଟନ କରିବେ ବୋଲି ସମ୍ଭାବନା ରହିଛି।