ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ବଢ଼ିଲା ଅଡ଼ୁଆ: ଆୟ ବହିର୍ଭୂତ ସମ୍ପତ୍ତି ମାମଲାରେ ଭିଜିଲାନ୍ସ ତଦନ୍ତ କରି ଚାର୍ଜସିଟ ଦାଖଲ କରିବ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ବଢ଼ିଲା ଅଡ଼ୁଆ। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶନାମା ପରେ ପ୍ରଦୀପ ପାଣିଗ୍ରାହୀଙ୍କ ନାମରେ ଭିଜିଲାନ୍ସ ଲୋକୟୁକ୍ତରେ ଚାର୍ଜସିଟ ଦାଖଲ କରିବେ। ଆୟ ବହିର୍ଭୂତ ସମ୍ପତ୍ତି ମାମଲାରେ ଭିଜିଲାନ୍ସ ତଦନ୍ତ କରି ପ୍ରଥମେ ପ୍ରାରମ୍ଭିକ ରିପୋର୍ଟ ଓ ପରେ ଫାଇନାଲ ରିପୋର୍ଟ ଦାଖଲ କରି ସାରିଛି। ତେବେ ସୁପ୍ରିମକୋର୍ଟରେ ମାମଲା ବିଚାରଧୀନ ଥିବାରୁ ଆଗକୁ ବଢି ପାରୁ ନଥିଲା ତଦନ୍ତ। ଲୋକୟୁକ୍ତ ଭିଜିଲାନ୍ସକୁ ପ୍ରାରମ୍ଭିକ ତଦନ୍ତ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ।

ଭିଜିଲାନ୍ସ ନିଜେ ଅଭିଯୋଗକାରୀ ଥିବା ବେଳେ ସେହି ତଦନ୍ତକାରୀ ସଂସ୍ଥାକୁ ପ୍ରିଲିମନାରୀ ଇନକ୍ୱାରି କିଭଳି ଦିଆଯାଇଛି ବୋଲି ପ୍ରଶ୍ନ ଉଠାଇ ଥିଲେ ବିଧାୟକ ପ୍ରଦୀପ ପାଣିଗ୍ରାହୀ। ଲୋକାୟୁକ୍ତଙ୍କ ଏହି ନିର୍ଦ୍ଦେଶକୁ ପ୍ରଦୀପ ପାଣିଗ୍ରାହୀ ହାଇକୋର୍ଟରେ ଚାଲେଞ୍ଜ୍ କରିଥିଲେ ।ହାଇକୋର୍ଟ ଏହି ମାମଲାର ଶୁଣାଣି କରି ଲୋକୟୁକ୍ତଙ୍କର ନିଜସ୍ଵ ତଦନ୍ତକାରୀ ଶାଖା ରହିଥିବାରୁ ସେ ଭିଜିଲାନ୍ସକୁ ପ୍ରାରମ୍ଭିକ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇ ପାରିବେ ନାହିଁ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ପ୍ରଦୀପ ପାଣିଗ୍ରାହୀଙ୍କ ପିଟିସନର ଶୁଣାରି କରି ଓଡିଶା ହାଇକୋର୍ଟଙ୍କ ଦୁଇ ଜଣିଆ ଖଣ୍ଡପୀଠ ଲୋକାୟୁକ୍ତ ଦେଇଥିବା ଭିଜିଲାନ୍ସ ଦ୍ୱାରା ପ୍ରାରମ୍ଭିକ ତଦନ୍ତ ନିର୍ଦ୍ଦେଶକୁ ରଦ୍ଦ କରିଥିଲେ ।

ହାଇକୋର୍ଟଙ୍କ ଏହି ରାୟକୁ ଓଡ଼ିଶା ଲୋକାୟୁକ୍ତ୍‌ଙ୍କ ପକ୍ଷରୁ ସୁପ୍ରିମକୋର୍ଟରେ ଚାଲେଞ୍ଜ କରାଯାଇଥିଲା । ସୁପ୍ରିମକୋର୍ଟଙ୍କ ବିଚାରପତି ଅଜୟ ରାସ୍ତୋଗୀ ଓ ବେଲା ଏମ ତ୍ରିବେଦୀଙ୍କ ଖଣ୍ଡପୀଠ ଓଡ଼ିଶା ଲୋକାୟୁକ୍ତଙ୍କ ଏହି ଆବେଦନ ଉପରେ ଶୁଣାଣି କରି ହାଇକୋର୍ଟଙ୍କ ଆଦେଶକୁ ରଦ୍ଦ କରି ଦେଇଛନ୍ତି। ପ୍ରଦୀପ ପାଣିଗ୍ରାହୀଙ୍କ ନାମରେ ଲୋକୟୁକ୍ତଙ୍କ ନିକଟରେ ଭିଜିଲାନ୍ସ ଭୁବନେଶ୍ୱର ଡିଏସପି ରଞ୍ଜନ କୁମାର ଦାସ ଆୟ ବର୍ହିଭୁତ ସମ୍ପତ୍ତି ରଖିଥିବାର ୨୦୨୦ ଡିସେମ୍ବର ୯ରେ ଅଭିଯୋଗ କରିଥିଲେ। ଏଭଳି ଅଭିଯୋଗ ପାଇବା ପରେ ୨୦୨୦ ଡିସେମ୍ବର ୧୧ରେ ଲୋକୟୁକ୍ତ ଏହି ଘଟଣାର ପ୍ରାରମ୍ଭିକ ତଦନ୍ତ ପାଇଁ ଭିଜିଲାନ୍ସକୁ ନିର୍ଦ୍ଦେଶ ଦେଇଥିଲେ।

ଭିଜିଲାନ୍ସ ତଦନ୍ତ ଚାଲିଥିବା ବେଳେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ପ୍ରଦୀପ ପାଣିଗ୍ରାହୀ। ହାଇକୋର୍ଟ ଶୁଣାଣି କରି ୨୦୨୧ ଫେବୃଆରୀ ୩ ରେ ଭିଜିଲାନ୍ସ ଦ୍ୱାରା ଏଭଳି ପ୍ରାରମ୍ଭିକ ତଦନ୍ତ ବେଆଇନ ବୋଲି କହିଥିଲେ। ଏହା ପରେ ଲୋକୟୁକ୍ତ ଓଡିଶା ହାଇକୋର୍ଟରେ ରିଭ୍ୟୁ ପିଟିସନ ଦାଖଲ କରିଥିଲେ। ୨୦୨୧ ଏପ୍ରିଲ ୫ ରେ ରିଭ୍ୟୁ ପିଟିସନକୁ ଅଗ୍ରାହ୍ୟ କଲେ ହାଇକୋର୍ଟ। ଏହାପରେ ସୁପ୍ରିମକୋର୍ଟରେ ସିଭିଲ ଅପିଲରେ ଯାଇଥିଲେ ଓଡିଶା ଲୋକୟୁକ୍ତ। ଏହି ମାମଲାର ଶୁଣାଣି କରି ଗତ ୨୩ ତାରିଖରେ ୩୦ ପୃଷ୍ଠା ବିଶିଷ୍ଟ ନିର୍ଦ୍ଦେଶନାମା ଦେଇଛନ୍ତି ସୁପ୍ରିମକୋର୍ଟ। ଯାହାକି ପ୍ରଦୀପ ପାଣିଗ୍ରାହୀଙ୍କ ଲୋକୟୁକ୍ତ ତଦନ୍ତ ମାମଲାକୁ ପୁଣି ଆଗକୁ ନେଇଛି।

Leave A Reply

Your email address will not be published.