ଆକାଶ ଛୁଆଁ ହରଡ଼ ଡାଲି ଦର

0

ଓଡ଼ିଆ ନ୍ୟୁଜ (ବ୍ୟୁ୍ରୋ) : ଖାଉଟିଙ୍କ ଉପରେ ମହଙ୍ଗା ମାଡ । ଡାଲି ଦରକୁ ନିୟନ୍ତ୍ରଣକୁ ଆଣିବା ପାଇଁ ଜମାଖୋରଙ୍କ ବିରୋଧରେ ଦେଶବ୍ୟାପୀ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି । ମାସେ ହେବ କେତେକ ରାଜ୍ୟରେ ଚଢଉ ଜାରି ରହିଛି । ଏହା ସହିତ ଡାଲିର ମହଜୁଦ ସୀମା ମଧ୍ୟ ଧାର୍ୟ୍ୟ କରାଯାଇଛି । ଏସବୁ ସତ୍ତେ୍ୱ ହରଡ଼ ଡାଲି ଦର ବଢ଼ିଚାଲିଛି । ୨୦୨୨ ଡିସେମ୍ବରରେ ସମଗ୍ର ଦେଶରେ ହରଡ଼ ଡାଲି ଦର କିଲୋ ପିଛା ପାଖାପାଖି ୧୦୦ ଟଙ୍କା ଥିଲା । ଏବେ ଏହା ୧୨୯ ଟଙ୍କାକୁ ବୃଦ୍ଧି ପାଇଥିବା ଜଣାପଡ଼ିଛି ।

ମାର୍ଚ୍ଚରେ ଦାମ ୧୨୦ ଟଙ୍କା ପାର୍‌ କରିବା ପରେ ସରକାର ଡାଲି ମହଜୁଦ ସୀମା ଧାର୍ୟ୍ୟ କରିଥିଲେ । ନିର୍ଦ୍ଧାରିତ ସୀମାଠାରୁ ଅଧିକ ଡାଲି ରଖିବା ଉପରେ କଟକଣା ଲାଗିଥିଲା । ଏହା ସତ୍ତେ୍ୱ ଦର ବଢ଼ିଚାଲିଛି। ବିଶେଷଜ୍ଞଙ୍କ କହିବାନୁସାରେ, ଚାହିଦା ଏବଂ ଯୋଗାଣ ମଧ୍ୟରେ ଅନ୍ତର ବଢ଼ିବା ଯୋଗୁ ଦାମ୍‌ ବଢୁଛି । ସର୍ବଭାରତୀୟ ଡାଲି କଳ ସଂଘର ଅଧ୍ୟକ୍ଷ ସୁରେଶ ଅଗ୍ରୱାଲ କୁହନ୍ତି, ହରଡ଼ ଡାଲି ଚାଷରେ ୮ ମାସ ସମୟ ଲାଗିଥାଏ । ଏତେ ଲମ୍ବା ସମୟ ଅପେକ୍ଷା କରିବା ପରିବର୍ତ୍ତ ଚାଷୀ ଅନ୍ୟ ଫସଲ ଆଡ଼କୁ ଢ଼ଳୁଛନ୍ତି । ଗହମ ଏବଂ ଧାନ ଭଳି ଏହାର ସରକାରୀ କ୍ରୟ ମଧ୍ୟ ହୋଇ ନ ଥାଏ । ଚାଷୀ ଉଚିତ ମୂଲ୍ୟକୁ ନେଇ ଆଶ୍ୱସ୍ତ ନ ଥାଏ ।

ତେଣୁ ମଧ୍ୟ ପ୍ରଦେଶ, ମହାରାଷ୍ଟ୍ର, କର୍ଣ୍ଣାଟକରେ ଚାଷୀମାନେ ଅଳ୍ପ ଜମିରେ ହରଡ଼ ଚାଷ କରିଛନ୍ତି । ଉତ୍ପାଦନ କମିବା ଯୋଗୁ ଦର ବଢ଼ିଥିବା ବଜାର ବିଶେଷଜ୍ଞମାନେ ପ୍ରକାଶ କରିଛନ୍ତି । ୨୦୨୧ରେ ଦେଶରେ ୪୨ ଲକ୍ଷ ଟନ୍‌ ହରଡ଼ ଡାଲି ଉତ୍ପାଦନ ହୋଇଥିଲା । ୨୦୨୨ରେ ଏହା ୧୯% ହ୍ରାସ ପାଇ ୩୪ ଲକ୍ଷ ଟନ୍‌ ରହିଥିଲା ।

Leave A Reply

Your email address will not be published.