ଛତିଶଗଡ଼ରେ ବଡ଼ ଧରଣର ନକ୍ସଲ ଆକ୍ରମଣ, ଓଡ଼ିଶାର ୩ ଜିଲ୍ଲାରେ ହାଇ ଆଲର୍ଟ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଛତିଶଗଡ଼ରେ ବଡ଼ ଧରଣର ନକ୍ସଲ ଆକ୍ରମଣ ।  ୧୦ ଯବାନଙ୍କ ସହ ଡ୍ରାଇଭର ସହିଦ ହୋଇଛନ୍ତି । ସୀମାନ୍ତରେ ମାଓବାଦୀଙ୍କ ଏତେ ବଡ଼ ହିଂସା ପରେ ଓଡ଼ିଶାର ୩ ଜିଲ୍ଲାରେ ଜାରି ହୋଇଛି ହାଇ ଆଲର୍ଟ । ମାଲକାନଗିରି, କୋରାପୁଟ ଓ ନବରଙ୍ଗପୁର ଜିଲ୍ଲାରେ ହାଇ ଆଲର୍ଟ ଜାରି ହୋଇଛି । ୩ ଜିଲ୍ଲାରେ କମ୍ବିଂ ଅପରେସନକୁ ବ୍ୟାପକ କରିବା ସହ ଚେକିଂ ଓ ବ୍ଲକିଂକୁ କଡ଼ାକଡ଼ି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଗୁଇନ୍ଦା ନିର୍ଦ୍ଦେଶକ ସଞ୍ଜୀବ ପଣ୍ଡା । ମାଓ ବିରୋଧୀ ଅପରେସନ୍ ସାରି ଫେରୁଥିବା ବେଳେ ଦନ୍ତେୱାଡ଼ାର ଅରନପୁର ନିକଟରେ ମାଓବାଦୀ ଆଇଡି ଲଗାଇ ଡିଆରଜି ଯବାନଙ୍କୁ ଗାଡ଼ିକୁ ଉଡ଼ାଇ ଦେଇଥିଲେ । ଘଟଣା ପରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲଙ୍କ ସହ କଥା ହୋଇ ସମସ୍ତ ସହାୟତା ଯୋଗାଇ ଦେବେ ବୋଲି କହିଛନ୍ତି ।

ସୂଚନାଯୋଗ୍ୟ, ଛତିଶଗଡ଼ରେ ନକ୍ସଲ ପ୍ରଭାବିତ ଦନ୍ତେୱାଡା ଜିଲ୍ଲାରେ ବୁଧବାର ଦିନ ନକ୍ସଲ ଆକ୍ରମଣରେ ଡିଆରଜି ବା ଜିଲ୍ଲା ରିଜର୍ଭ ଗାର୍ଡର ୧୧ ଜଣ ଯବାନ ସହିଦ ହୋଇଛନ୍ତି । ପୋଲିସ ଅଧିକାରୀଙ୍କ ମୁତାବକ ଜିଲ୍ଲାର ଅରନପୁର ଥାନା କ୍ଷେତ୍ରରେ ନକ୍ସଲମାନେ ସୁଡଙ୍ଗ ଭିତରେ ବାରୁଦ ପୁରାଇ ବିସ୍ଫୋରଣ କରିଥିଲେ । ଏଥିରେ ୧୧ ଜଣ ଯବାନ ସହିଦ ହୋଇଛନ୍ତି । ପୋଲିସ କହିବା ମୁତାବକ ମାଓ କ୍ୟାଡରମାନେ ଅରନ ଥାନା କ୍ଷେତ୍ରରେ ଥିବା ପୋଲିସକୁ ସୂଚନା ମିଳିବା ପରେ ଦନ୍ତେୱାଡା ଡିଆରଜି ବଳକୁ ଅପରେଶନ ପାଇଁ ପଠାଇ ଦିଆଯାଇଥିଲା । ହେଲେ ସେମାନେ ଅପରେଶନ ପାଇଁ ଜଙ୍ଗଲ ଭିତରେ ପହଂଚିବା ପରେ ଏକ ସୁଡଙ୍ଗ ଭିତରେ ବାରୁଦ ଖଞ୍ଜିଥିବା ନକ୍ସଲମାନେ ବିସ୍ଫୋରଣ କରିଥିଲେ ଓ ୧୧ ଜଣ ଯବାନ ଘଟଣା ସ୍ଥଳରେ ପ୍ରାଣ ହରାଇଛନ୍ତି । ଏହି ଘଟଣା ପରେ ଛତିଶଗଡ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ ଟ୍ୱିଟ ମାଧ୍ୟମରେ ନକ୍ସଲବାଦକୁ ସମାପ୍ତ କରିବାକୁ ଆହ୍ୱାନ ଦେଇଛନ୍ତି । ଏହାସହ ଏହି ଘଟଣାକୁ ନେଇ ସେ ଦୁଃଖ ପ୍ରକାଶ କରିଛନ୍ତି ।

ତେବେ ଗତ ୧୩ ବର୍ଷ ମଧ୍ୟରେ ନକ୍ସଲମାନେ ଯବାନଙ୍କ ଉପରକୁ ଅନେକ ଥର ଆକ୍ରମଣ କରିଛନ୍ତି । ଏଥିରେ ପ୍ରାୟ ତିନି ଶହରୁ ଅଧିକ ଜବାନ ସହିଦ ହୋଇଛନ୍ତି । ୨୦୧୦ ଏପ୍ରିଲ ୬ ତାରିଖରେ ଛତିଶଗଡ ଦନ୍ତେୱାଡାରେ ନକ୍ସଲ ଆକ୍ରମଣରେ ୭୬ ଜଣ ଯବାନ ସହିଦ ହୋଇଥିଲେ । ୨୦୧୩ ମେ’୨୫ ତାରିଖରେ ଛତିଶଗଡ ଡିରମ ଘାଟିରେ କଂଗ୍ରେସର ପରିବର୍ତ୍ତନ ଯାତ୍ରା ଉପରେ ନକ୍ସଲମାନେ ଆକ୍ରମଣ କରିଥିଲେ । ଏଥିରେ କଂଗ୍ରେସର କିଛି ବରିଷ୍ଠ ନେତାଙ୍କ ସହିତ ୩୦ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଥିଲା । ୨୦୧୪ ମାର୍ଚ୍ଚ ୧୧ ତାରିଖରେ ଛତିଶଗଡ ସୁକମା ଜିଲ୍ଲାର ଟାହକବାଡା ଠାରେ ନକ୍ସଲ ଆକ୍ରମଣରେ ୧୫ ଜଣ ଯବାନ ସହିଦ ହୋଇଥିଲେ । ୨୦୧୪ ଏପ୍ରିଲ ୧୨ ତାରିଖରେ ବସ୍ତର ଜିଲ୍ଲା ଦରଭା ଠାରେ ନକ୍ସଲ ଆକ୍ରମଣରେ ୫ଜଣ ଯବାନଙ୍କ ସହିତ ୧୪ ଜଣ ସାଧାରଣ ଲୋକଙ୍କ ମୃତ୍ୟୁ ହୋଇଥିଲା । ୨୦୧୭ ମାର୍ଚ୍ଚ ୧୧ ତାରିଖରେ ସୁକମା ଜିଲ୍ଲାର ଦୁର୍ଗମ ଅଞ୍ଚଳ ଭେଜ୍ଜୀ ଠାରେ ନକ୍ସଲ ଆକ୍ରମଣରେ ୧୨ ଜଣ ସିଆରପିଏଫ ଯବାନ ସହିଦ ହୋଇଥିଲେ । ୨୦୧୭ ଏପ୍ରିଲ ୨୪ ତାରିଖରେ ସୁକମା ଜିଲ୍ଲାରେ ନକ୍ସଲମାନେ ସିଆରପିଏଫ ଯବାନଙ୍କ ଉପରେ ଆକ୍ରମଣ କରିଥିଲେ ଏଥିରେ ୨୫ ଜଣ ଯବାନ ସହିଦ ହୋଇଥିଲେ । ୨୦୨୦ ମାର୍ଚ୍ଚ ୨୧ ତାରିଖରେ ସୁକମା ଜିଲ୍ଲାର ମିନପା ଠାରେ ଯବାନ ଓ ନକ୍ସଲଙ୍କ ମଧ୍ୟରେ ହୋଇଥିଲା ଗୁଳି ବିନିମୟରେ ୧୭ ଜଣ ଯବାନ ସହିଦ ହୋଇଥିଲେ । ୨୦୨୧ ମାର୍ଚ୍ଚ ୨୩ ତାରିଖରେ ଛତିଶଗଡ ନାରାୟଣପୁର ଠାରେ ଯବାନଙ୍କୁ ନେଇ ଯାଉଥିବା ଏକ ବସ୍ ଉପରେ ନକ୍ସଲମାନେ ଆକ୍ରମଣ କରିଥିଲେ । ଏଥିରେ ୫ଜଣ ଯବାନ ସହିଦ ହୋଇଥିଲେ । ୨୦୨୧ ଏପ୍ରିଲ ୪ ତାରିଖରେ ଛତିଶଗଡର ବିଜାପୁର ଓ ସୁକମା ଜିଲ୍ଲା ବୋର୍ଡର ଠାରେ ହୋଇଥିବା ନକ୍ସଲ ଆକ୍ରମଣରେ ୨୨ ଜଣ ଯବାନ ସହିଦ ହୋଇଥିଲେ । ଅନ୍ୟପଟେ ଆଜିର ନକ୍ସଲ ଆକ୍ରମଣ ପରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହା ଛତିଶଗଡ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି । ଏହି ଆଲୋଚନା ବେଳେ ସହିଦ ଯବାନଙ୍କ ବାବଦରେ ସୂଚନା ନେଇଛନ୍ତି ଗୃହମନ୍ତ୍ରୀ । ଏହାସହ ଯଥା ସମ୍ଭବ କେନ୍ଦ୍ରୀୟ ସହାୟତା ଯୋଗାଇ ଦେବାକୁ  ଛତିଶଗଡ ମୁଖ୍ୟମନ୍ତ୍ରୀଙ୍କୁ ଆଶ୍ୱାସନା ଦେଇଛନ୍ତି ଗୃହମନ୍ତ୍ରୀ ।

Leave A Reply

Your email address will not be published.