ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ସାରା ବିଶ୍ୱରେ କରୋନା ଭୂତାଣୁ ହାହା କାର କରିଦେଇଥିଲା । ଗତ ୨ ବର୍ଷରୁ ଅଧିକ ସମୟ ଧରି କରୋନା ତାର କରାଳ ରୂପ ଦେଖାଇଥିଲା । ଏହା ପରେ କରୋନାକୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି । ବିଶ୍ୱସ୍ତରରେ କରୋନାର ନୂଆ ଭାରିଆଣ୍ଟ ବା ପ୍ରଜାତି ଚିହ୍ନଟ ହେବା ନେଇ ରିପୋର୍ଟ ପ୍ରକାଶ ପାଇଛି । ଏହାପରେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଡକ୍ଟର ପି. କେ. ମିଶ୍ର ଏକ ଉଚ୍ଚସ୍ତରୀୟ ବୈଠକରେ ସ୍ଥିତି ସମୀକ୍ଷା କରିଛନ୍ତି । ବିଶ୍ୱସ୍ତରରେ ଏବଂ ଭାରତରେ ଏବେର କୋଭିଡ ସ୍ଥିତି, ସଂକ୍ରମିତ ହେଉଥିବା ନୂଆ କରୋନା ଭୂତାଣୁ ପ୍ରତିରୂପ ଏବଂ ଜନ ସ୍ୱାସ୍ଥ୍ୟ ଉପରେ ଏହାର ପ୍ରଭାବ ସମ୍ପର୍କରେ ସମୀକ୍ଷା କରିଛନ୍ତି । ପ୍ରମୁଖ ଅଧିକାରୀଙ୍କ ଉପସ୍ଥିତିରେ ବୈଠକ ହୋଇଛି ।
ବିଶ୍ୱସ୍ତରରେ ସାର୍ସ-କୋଭ-୨ ଭୂତାଣୁର ନୂଆ ଭାରିଆଣ୍ଟ ଆସିଛି । ବିଏ.୨.୮୬ ବା ପିରୋଲା ଏବଂ ଏରିସର ସଂକ୍ରମଣ ସମେତ ବିଶ୍ୱରେ କୋଭିଡ ପରିସ୍ଥିତି ସମ୍ପର୍କରେ ସ୍ୱାସ୍ଥ୍ୟ ସଚିବ ଏହି ବୈଠକରେ ତଥ୍ୟ ପ୍ରଦାନ କରିଥିଲେ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ତଥ୍ୟ ଅନୁଯାୟୀ, ୫୦ରୁ ଅଧିକ ଦେଶରେ ଏରିସ ଭାରିଆଂଟ ଚିହ୍ନଟ ହୋଇଛି ଏବଂ ପିରୋଲା ଚାରିଟି ଦେଶରେ ଚିହ୍ନଟ କରାଯାଇଛି । ଗତ ୭ ଦିନ ମଧ୍ୟରେ ବିଶ୍ୱସ୍ତରରେ ୨ ଲକ୍ଷ ୯୬ ହଜାର ୨୧୯ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।