ଚଢେଇପାହାଡି ଠାରେ ଚଢେଇପାହାଡି ବିକାଶ ମଞ୍ଚ କମିଟୀ ଗଠିତ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଚଢେଇପାହାଡି ଠାରେ ଚଢେଇପାହାଡି ବିକାଶ ମଞ୍ଚ କମିଟୀ ଗଠିତ ହେଲା | ବାମନଘାଟୀ ଉପଖଣ୍ଡ ବିଜାତଳା ବ୍ଲକ ଅନ୍ତର୍ଗତ ଚଢେଇପାହାଡି ଏକ ଅନୁନ୍ନତ ଆଦିବାସୀ ବହୁଳ ଅଞ୍ଚଳ | ଏହି ପଞ୍ଚାୟତକୁ ରାଜନେତା ବହୁବାର ଆସୁଥିଲେ ହେଁ ଏଠିକାର ସମସ୍ଯାରେ ପୂର୍ଣ୍ଣଛେଦ ପଡୁନାହିଁ | ଏଠାରେ ଜୀବନ ଜୀବିକା ଠାରୁ ଆରମ୍ଭ କରି ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ, ସୁଜନଶୀଳ କାର୍ଯ୍ୟ ଏବଂ ରେଳ ସଂଯୋଗୀକରଣ ନେଇ ଗ୍ରାମବାସୀ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ପ୍ରତାରଣାର ଶିକାର ହେଉଛନ୍ତି |

ଏଠିକାର ପ୍ରମୁଖ ସମସ୍ୟା ମଧ୍ୟରେ ୧) ଚଢେଇପାହାଡି ଠାରୁ ଚିଆକାଟୀ ଗ୍ରାମ ମାତ୍ର ୩.୫ କିମି ସଂଯୋଗ ହୋଇଗଲେ ବାରିପଦାରୁ ୩୫ ରୁ ୪୦ କିମି ରାସ୍ତା କମିବ, ୨) ଚଢେଇପାହାଡି ଗ୍ରାମ ପଞ୍ଚାୟତ ପାଇଁ ସୁଜନଶୀଳ କାର୍ଯ୍ୟ ସ୍ଥାପନ ଓ ୩) ଚଢେଇପାହାଡି ସରକାରୀ ଉଚ୍ଚ ବିଦ୍ୟାଳୟକୁ ବୃଦ୍ଧିକରଣ କରାଯାଇ +୨ ରେ ସାମିଲ କରାଯାଉ | ଏହି ପରିପ୍ରେକ୍ଷୀରେ , ବିଡିଓ ଓ ଜିଲ୍ଲାପାଳଙ୍କୁ ଦୃଷ୍ଟି ଆକର୍ଷଣ କରିଥିଲେ ହେଁ, ଏହାର ବିହିତ ପଦକ୍ଷେପ ନ ନେବା ଘୋପ ପରିତାପ ଓ ଦୟନୀୟ ବିଷୟ ମନେହୁଏ | ଚଢେଇପାହାଡି ଗ୍ରାମ ପଞ୍ଚାୟତକୁ ସରକାରୀ ଅବହେଳା ପ୍ରତିବାଦରେ ଆଗାମୀ ୨୦୨୪ ସାଧାରଣ ନିର୍ବାଚନ ( ଲୋକସଭା ଓ ବିଧାନସଭା) କୁ ଗ୍ରାମବାସୀ ବର୍ଜନ କରିବେ ବୋଲି ଦୃଢ ନିଷ୍ପତ୍ତି ନେଇଛନ୍ତି | ଇତ୍ୟ ଅବସରରେ ଏଠାରେ ଭାରତୀୟ ମଜଦୁର ସଂଘ ଆନୁକୂଲ୍ୟରେ ଚଢେଇପାହାଡି ବିକାଶ ମଞ୍ଚ ନାମରେ ଏକ କମିଟୀ ଗଠିତ ହୋଇଯାଇଛି |

କମିଟୀର ସଭାପତି ଭାବେ ନିଗମାନନ୍ଦ ପଟ୍ଟନାୟକ, ଉପଦେଷ୍ଟା ଗଦାଧର ମୁଣ୍ଡା, ଉପସଭାପତି ସରସ୍ବତୀ ଟୁଡୁ, ମାଇସା ସୋରେନ, ଲୋଦ ସିଂ, ସାଧାରଣ ସଂପାଦକ ବାଲ୍ମିକି ମୁଣ୍ଡା, ସଂପାଦକ ମାଧବ ଚନ୍ଦ୍ର ମୁଣ୍ଡା, ସହସଂପାଦକ ଜିତେନ୍ଦ୍ର ମାର୍ଣ୍ଡି, ସନାତନ ମୁଣ୍ଡା, ସୁରେନ୍ଦ୍ର ହାଁସଦାଃ ଓ ସାଲହ ମୁଣ୍ଡା, କୋଷାଧ୍ୟକ୍ଷ ରାମଚନ୍ଦ୍ର ସୋରେନ ତଥା କାର୍ଯ୍ୟକାରୀ ସଦସ୍ୟ ଭାବେ ଚୁନୁରାମ ଲୋହାର, ରୁହା ସିଂ ମୁଣ୍ଡା, ହରେକୃଷ୍ଣ ହାଁସଦାଃ, ସୁନାରାମ କିସ୍କୁ, ସାନିୟା ହାଁସଦାଃ ଓ ହିନ୍ଦୁ ମୁଣ୍ଡା ଙ୍କୁ ଚୟନ କରାଯାଇଥିଲା | ଆଗାମୀ ମେ ୧୩ ତାରିଖ ବାମନଘାଟୀ ଉପଜିଲ୍ଲାପାଳଙ୍କୁ ଭେଟି ସେମାନଙ୍କର ଦାବୀପତ୍ର ସମ୍ବଳିତ କାଗଜପତ୍ର ପ୍ରଦାନ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଥିଲା | ସମସ୍ତ ଗ୍ରାମବାସୀ ଏକଜୁଟ ହୋଇ ଏହାକୁ ସହମତି ଜଣାଇଥିଲେ | ତଦ୍ରୁପ, ରେଙ୍ଗାଲବେଡା, ଗୋବିନ୍ଦପୁର, ପାହାଡପୁର, ଭୀମଖନ୍ଦା, କଙ୍କଡାବେଡା, ଜାମପାଣି ଓ ଚଢେଇପାହାଡି ଠାରେ ପାନୀୟ ଜଳ ସଂଯୋଗ ହୋଇ ନ ଥିବାରୁ, ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି |

Leave A Reply

Your email address will not be published.