ବିଜେଡି ଛାଡି ବିଜେପିରେ ଗୀତାଞ୍ଜଳୀ ସେଠୀ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ୨୦୧୯ ମସିହା ସାଧାରଣ ନିର୍ବାଚନରେ ଦଳ ଟିକେଟ ନଦେବାରୁ ଆଶାୟୀ ରହି ଗେରୁଆ ଦଳ ପରିତ୍ୟାଗ କରି ବିଜେଡିକୁ ଯାଇଥିଲେ ଆଉ ପରେ ବିଜେଡି ଦଳରୁ ଜିଲ୍ଲା ପରିଷଦ ପ୍ରାର୍ଥୀ ହୋଇ ଅଧ୍ୟକ୍ଷା ପଦବୀ ମଧ୍ୟ ମଣ୍ଡନ କରିଥିଲେ।ହେଲେ ବିଧାୟିକା ହେବା ଆଶାରେ ପୁନଃ ବିଜେଡି ଛାଡି ଗତ ସପ୍ତାହରେ ଗେରୁଆ ଦଳକୁ ଆପଣାଇବା ପରେ ଆଜି ତାଙ୍କର ପ୍ରାର୍ଥୀତ୍ବ ଉପରେ ମୋହର ମାରିଛନ୍ତି ଶୀର୍ଷ ନେତୃତ୍ୱ।

ଏଥିପାଇଁ ଯଶସ୍ୱୀ ପ୍ରଧାନମନ୍ତ୍ରୀ,ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି.ନଡ୍ଡା,ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା କେନ୍ଦ୍ରାପଡା ବିଜେପି ସାଂସଦ ପ୍ରାର୍ଥୀ ବୈଜୟନ୍ତ ପଣ୍ଡା, ରାଜ୍ୟ ସଭାପତି ମନମୋହନ ସାମଲ ଓ କେନ୍ଦ୍ରାପଡା ନିର୍ବାଚନ ମଣ୍ଡଳୀର ଲକ୍ଷାଧିକ ଭୋଟରଙ୍କ ନିକଟରେ ନିଜର ଆଭାର ବ୍ୟକ୍ତ କରିଛନ୍ତି ନେତ୍ରୀ ତଥା କେନ୍ଦ୍ରାପଡା ବିଧାନସଭା ନିର୍ବାଚନ ମଣ୍ଡଳୀ ବିଜେପି ବିଧାୟକ ପ୍ରାର୍ଥୀ ଗୀତାଞ୍ଜଳୀ ସେଠୀ।ପୁର୍ବରୁ ବିଜେପି ଦଳରୁ ୨୦୦୨ ମସିହାରେ ଜିଲ୍ଲା ପରିଷଦ ସଦସ୍ୟା ହୋଇ ଉପାଧ୍ୟକ୍ଷା ପଦବୀ ମଣ୍ଡନ କରିଥିବା ଗୀତାଞ୍ଜଳୀ ୨୦୧୯ ମସିହାରେ ବିଜେପି ଟିକେଟ ପାଇଁ ଲବିରେ ରହି ନିରାଶ ହେବା ପରେ ବିଜେଡିକୁ ଜମ୍ପ ମାରିଥିଲେ।ତେବେ ଉଭୟ ବିଜେଡି ଓ କଂଗ୍ରେସ ଦଳୀୟ ଟିକେଟ ଘୋଷଣା କରିବା ପରେ ବିଜେପିରୁ କିଏ କେନ୍ଦ୍ରାପଡା ନିର୍ବାଚନ ମଣ୍ଡଳୀ ପ୍ରାର୍ଥୀ ହେବ ସେନେଇ ନାନା କଳ୍ପନା ଜଳ୍ପନା ପ୍ରକାଶ ପାଇଥିଲା।

ବିଜେପିର ପୁର୍ବରୁ ଦୁଇଥର ପ୍ରାର୍ଥୀ ରହି ଆସିଥିବା ସୁନାକର ବେହେରା, ଯୁବ ନେତା ଅଭିମନ୍ୟୁ ଗୋଚ୍ଛାୟତ ଓ ଲୋକସଭା ପ୍ରାର୍ଥୀ ବୈଜୟନ୍ତଙ୍କ ଏକାନ୍ତ ଅନୁଗତ କୁହାଯାଉଥିବା କଳ୍ପନା ମଲିକଙ୍କ ନାଁ ଆଗରେ ରହିଥିବା ବେଳେ ଗତ ୨୩ ତାରିଖରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ପଦ ଛାଡି ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇ ବିଜେପିରେ ସାମିଲ ହୋଇଥିଲେ ଗୀତାଞ୍ଜଳୀ।ତେବେ ଗତ ୫ ବର୍ଷରେ ବିଜେଡ଼ିରେ ରହି ଲୋକମାନଙ୍କ ପାଇଁ କିଛି କରିବାର ଲକ୍ଷ୍ୟ ରଖିଥିଲେ ସୁଦ୍ଧା ଏହା ପୂରଣ ହୋଇ ନପାରିବାରୁ ସେ ଦଳ ଛାଡିଥିବା କହିଛନ୍ତି ଏବଂ ଭାରତୀୟ ଜନତା ପାର୍ଟି ତାଙ୍କୁ ବିଧାୟିକା ପ୍ରାର୍ଥୀ କରିଥିବାରୁ ସେ ବହୁତ ଖୁସି ବୋଲି କହିଛନ୍ତି।ସେହିପରି ତାଙ୍କ ବିରୋଧରେ ବିଜେଡି ପ୍ରାର୍ଥୀ ହୋଇଥିବା ବ୍ୟକ୍ତି ଜଣଙ୍କ ୫ ଥର ପରାଜିତ ହୋଇଥିବା ବେଳେ କଂଗ୍ରେସ ପ୍ରାର୍ଥୀ ହୋଇଥିବା ପୂର୍ବତନ ବିଧାୟିକାଙ୍କ ଲୋକସମ୍ପର୍କ ଯାହା ସମସ୍ତଙ୍କୁ ଜଣା ବୋଲି କହିଛନ୍ତି।

Leave A Reply

Your email address will not be published.