ଜିଲ୍ଲାସ୍ତରୀୟ ମତ୍ସ୍ୟ ଓ ପ୍ରାଣିସମ୍ପଦ ମେଳା ଉଦ୍‌ଯାପିତ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  କେନ୍ଦ୍ରାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟ ଖେଳପଡ଼ିଆରେ ନଭେମ୍ବର ୧୬ ଓ ୧୭ ଦୁଇ ଦିନ ଧରି ଚାଲିଥିବା ଜିଲ୍ଲାସ୍ତରୀୟ ମତ୍ସ୍ୟ ଓ ପ୍ରାଣିସମ୍ପଦ ମେଳା ଉଦ୍‌ଯାପିତ ହୋଇଯାଇଛି । ଜିଲ୍ଲା ପ୍ରଶାସନ ଏବଂ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗର ମିଳିତ ଆନୁକୂଲ୍ୟରେ ଆୟୋଜିତ ଉତ୍ସବର ଉଦ୍‌ଯାପନୀ ଦିବସରେ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଦୀପ୍ତି ମହାପାତ୍ର ଅଧ୍ୟକ୍ଷତା କରିଥିଲେ ।

ଉଦ୍‌ଯାପନୀ ଉତ୍ସବରେ ଶ୍ରୀଯୁକ୍ତ ପ୍ରତାପ କେଶରୀ ଦେବ, ମାନ୍ୟବର ମନ୍ତ୍ରୀ, ଶକ୍ତି, ଶିଳ୍ପ, ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିବା ବେଳେ ରାଜନଗର ବିଧାୟକ ଶ୍ରୀଯୁକ୍ତ ଧ୍ରୁବଚରଣ ସାହୁ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଗୀତାଞ୍ଜଳୀ ସେଠୀ ସମ୍ମାନନୀୟ ଅତିଥିଭାବେ ଯୋଗ ଦେଇଥିଲେ । ଜିଲ୍ଲା ମତ୍ସ୍ୟ ବିଭାଗ ଅଧିକାରୀ ଶ୍ରୀ ଶଶାଙ୍କ ଶେଖର ସାହୁ କାର୍ଯ୍ୟକ୍ରମର ସହ ଆବାହକଭାବେ ମଂଚାସୀନ ଥିଲେ । କୃଷି ଓ କୃଷକର ଉନ୍ନତି କରିବା ସହ କୃଷକର ଆୟକୁ ବହୁଗୁଣିତ କରିବା ପାଇଁ ରାଜ୍ୟ ସରକାର ଯୋଜନା କରୁଛନ୍ତି ବୋଲି ମୁଖ୍ୟ ଅତିଥି ମତବ୍ୟକ୍ତ କରିଥିଲେ । ପ୍ରାଣିସମ୍ପଦର ଅଭିବୃଦ୍ଧି ହେଲେ ଓଡ଼ିଶାର ସମୃଦ୍ଧି ହେବା ସହ କୃଷକର ଆର୍ଥିକ ମାନଦଣ୍ଡ ସମୃଦ୍ଧ ହେବ ବୋଲି ନିମନ୍ତ୍ରିତ ଅତିଥିମାନେ କହିଥିଲେ । ପ୍ରଦୀପ ପ୍ରଜ୍ଜେ୍ୱାଳନପୂର୍ବକ ଅତିଥିମାନେ ସଭାକାର୍ଯ୍ୟର ଶୁଭ ଉଦ୍‌ଘାଟନ କରିବା ପରେ ବନ୍ଦେ ଉତ୍କଳ ଜନନୀ ଗାନ କରିଥିଲେ ସାଇନାଥ କଳାପରିଷଦର କଳାକାର ଜୟଶ୍ରୀ ପତି ।

ପରେପରେ ରୟାଲ୍ ଡ୍ୟାନ୍ସ ଏକାଡେମୀର କୁନିକୁନି କଳାକାରମାନେ ସ୍ୱାଗତ ନୃତ୍ୟ ପରିବେଷଣ କରିଥିଲେ । ଏହି ଉପଲକ୍ଷେ ସକାଳ ୧୧ ଘଟିକା ସମୟରେ ଚାଷୀ ଓ ବୈଜ୍ଞାନିକମାନଙ୍କ ସହ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା । ଏଥିରେ ଚାଷୀମାନଙ୍କର ବିଭିନ୍ନ ପ୍ରଶ୍ନର ଉତର ଦେଇ ବୈଜ୍ଞାନିକମାନେ ସେମାନଙ୍କର ସମସ୍ୟା ସମାଧାନର ପନ୍ଥା ବତାଇଥିଲେ । ମତ୍ସ୍ୟ ଓ ପ୍ରାଣିସମ୍ପଦ ବିଭାଗ ପକ୍ଷରୁ ମୋଟ୍ ୩୦ଗୋଟି ଷ୍ଟଲ୍ ଖୋଲାଯାଇଥିଲା । ଉଦ୍‌ଯାପନୀ ଉତ୍ସବରେ ବିଭିନ୍ନ ବ୍ଲକ୍‌ରୁ ଆସିଥିବା କୃଷକ, ମହିଳା କୃଷି ଉଦ୍ୟୋଗୀ, ପଶୁପାଳକ, ଜନସାଧାରଣ, ବୁଦ୍ଧିଜୀବୀ, ଗଣମାଧ୍ୟମ ପ୍ରତିନିଧିମାନେ ଉପସ୍ଥିତ ଥିଲେ । ଏସ୍‌ଡିଭିଓ ଡା ମନୋଜ କୁମାର ପଟ୍ଟନାୟକ ଅତିଥି ପରିଚୟ ପ୍ରଦାନ କରିଥିଲେ । ଏହି ଅବସରରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ମତ୍ସ୍ୟ ଓ ପ୍ରାଣିସମ୍ପଦ ବିଭାଗର ବିଭିନ୍ନ ଯୋଜନା ସମ୍ପର୍କରେ ସଚେତନତାର ବାର୍ତା ପରିବେଷଣ କରାଯାଇଥିଲା ।

Leave A Reply

Your email address will not be published.