ଜିଲ୍ଲାସ୍ତରୀୟ ଜାତୀୟ ମତ୍ସ୍ୟଚାଷୀ ଦିବସ ପାଳିତ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ମୟୂରଭଞ୍ଜ ଜିଲ୍ଲା ମତ୍ସ୍ୟ ଅଧିକାରୀଙ୍କ ବାରିପଦା କାର୍ଯ୍ୟାଳୟ ପରିସର ସମ୍ମଳନୀ କକ୍ଷରେ ବୁଧବାର ଜାତୀୟ ମତ୍ସ୍ୟଚାଷୀ ଦିବସ ପାଳିତ ହୋଇଯାଇଛି । ଜିଲ୍ଳା ମତ୍ସ୍ୟ ଅଧିକାରୀ ମାନସ ରଞ୍ଜନ ସାହୁ ଯୋଗଦେଇ ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଉଥିବା ସହାୟତାର ବିନିଯୋଗ କରି ଚାଷୀଗଣ ଆତ୍ମ ନିର୍ଭଶୀଳ ହେବା ସହିତ ମତ୍ସ୍ୟ ଉତ୍ପାଦନ ବୃଦ୍ଧି ଘଟାଇବାକୁ ଆହ୍ୱାନ ଦେଇଥିଲେ । ବିଶେଷଜ୍ଞଙ୍କ ଠାରୁ ଅତ୍ୟାଧୁନି ଜ୍ଞାନ କୌଶଳ ଜରିଆରେ ଅଧିକରୁ ଅଧିକ ଉନ୍ନତ କିସମର ମତ୍ସ୍ୟ ଉତ୍ପାଦନ ହୋଇପାରିବ ବୋଲି ସେ କହିଥିଲେ ।

ପ୍ରାରମ୍ଭରେ ସହକାରୀ ମତ୍ସ୍ୟ ସମ୍ପ୍ରସାରଣ ଅଧିକାରୀ ସୁବ୍ରତ କୁମାର ଦାସ ଅତିଥି ପରିଚୟ ପ୍ରଦାନ କରିବା ସହିତ ଦିବସ ପାଳନ ସମ୍ପର୍କରେ ସୂଚନା ଦେବା ସହିତ ଚାଷୀଙ୍କ ପାଇଁ ଜିଲ୍ଲାରେ ଉବଲବ୍ଧ ସୁବିଧା ସୁଯୋଗ ସମ୍ବନ୍ଧରେ ସୂଚନା ପ୍ରଦାନ କରିଥିଲେ । ୧୯୭୫ ମସିହା ଜୁଲାଇ ୧୦ତାରିଖରେ କାର୍ପ ମାଛର ସଫଳ କୃତ୍ରିମ ପ୍ରଜନନ କରାଯାଇଥିବାରୁ ଏହି ଦିବସ ପାଳିତ ହୋଇଆସୁଛି । ଓଡ଼ିଶାର ଅନୁଗୁଳ ଜିଲ୍ଲାର ନାରାୟଣସାଗର ଠାରେ ଭାରତବର୍ଷର ପ୍ରଥମ ସଫଳତା ମିଳିଥିଲା ବୋଲି ଶ୍ରୀ ଦାଶ କହିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ସିଦ୍ଧାର୍ଥ ବେଉରା, ଜିଲ୍ଲା ଉଦ୍ୟାନ କୃଷି ଉପନିର୍ଦ୍ଦେଶକ ଟଙ୍କଧର କାଲୋ, ମୟୂରଭଞ୍ଜ କୃଷି ବୈଜ୍ଞାନିକ କେନ୍ଦ୍ର-୨ ଯଶିପୁରର ବରିଷ୍ଠ କୃଷି ବୈଜ୍ଞାନିକ ଦୀପକ କୁମାର ମହାନ୍ତି, ଜିଲ୍ଲା ପ୍ରାଣୀ ଚିକିତ୍ସାଧୀକାରୀ କଳ୍ପତରୁ ସ୍ବାଇଁ, ଜିଲ୍ଲା କୃଷି ନିର୍ବାହୀ ଯନ୍ତ୍ରୀ ଶ୍ରୀନିବାସ ପୃଷ୍ଟି ଓ ଜିଲ୍ଲା ଜଳଛାୟା ମିଶନର ଅତିରିକ୍ତ ପ୍ରକଳ୍ପ ନିର୍ଦେଶକ ଯୋଗଦେଇ ମତ୍ସ୍ୟ ଚାଷୀଙ୍କ ପାଇଁ ନିଜ ନିଜ ବିଭାଗର ସୁବିଧା ସୁଯୋଗ ସମ୍ବନ୍ଧରେ ସୂଚନା ଦେଇଥିଲେ ।

ଏହି ଅବସରରେ ଉଲ୍ଲେଖନୀୟ ଅବଦାନ ପାଇଁ ଶ୍ରେଷ୍ଠ ସଫଳ ମତ୍ସ୍ୟଚାଷୀ(ବାୟୋଫ୍ଲଗ) ଭାବରେ ଶ୍ୟାମାଖୁଣ୍ଟାର ମମତା ପଟ୍ଟନାୟକ, ମୋପୋଖରୀ ଯୋଜାନରେ ବାଙ୍ଗିରିପୋଷି ବ୍ଲକର ପ୍ରଫୁଲ୍ଲ ମାରାଣ୍ଡି, ଶ୍ରେଷ୍ଠ ସଫଳ ସ୍ୱୟଂ ସହାୟିକା ଗୋଷ୍ଠୀ ଭାବରେ ସାରସକଣା ବ୍ଲକର ମୁରୁଣିଆ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ଓ ଶ୍ରେଷ୍ଠ ମାଛ ଯାଆଁଳ(ହେଚେରୀ) ଉତ୍ପାଦନ କାରୀ ଭାବେ ବେତନଟୀ ବ୍ଲକର ହରେନ୍ଦ୍ର କୁମାର ସାହୁ ଓ ଶ୍ରେଷ୍ଠ ଫିସ୍ ସିଡ ଉତ୍ପାଦନ କାରୀ ଭାବରେ କୁସୁମୀ ବ୍ଲକର ସ୍ବର୍ଣ୍ଣପ୍ରଭା ସେଠୀଙ୍କୁ ଅତିଥିଗଣ ସମ୍ବର୍ଦ୍ଧିତ କରିଥିଲେ । ଶେଷରେ ପ୍ରୋଜେକ୍ଟର ଜରିଆରେ ସଫଳ ଚାଷୀଙ୍କ କାହାଣୀ ଓ ଅତ୍ୟାଧୁନିକ ଜ୍ଞାନକୌଶଳର ବ୍ୟବହାର ସମ୍ପର୍କରେ ଉପସ୍ଥିତ ଚାଷୀଙ୍କୁ ସୂଚନା ଦିଆଯାଇଥିଲା । ଜିଲ୍ଲାର ୨୬ଟି ବ୍ଲକର ଆମନ୍ତ୍ରିତ ମତ୍ସ୍ୟଚାଷୀ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.