ଅବୈଧ ଭାବେ ଶିକ୍ଷକ ନିଯୁକ୍ତି ସହ ଅର୍ଥ ଚଞ୍ଚକତା ବିରୁଦ୍ଧରେ ଗଣଧାରଣା

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଜିଲ୍ଲା ଶିକ୍ଷା ବିଭାଗରେ ୨କୋଟିରୁ ଉର୍ଦ୍ଧ୍ବ ଅର୍ଥ ଚଞ୍ଚକତା କରି ଅବୈଧ ଭାବେ ୯ଜଣ ଶିକ୍ଷକଙ୍କୁ ନିଯୁକ୍ତି ଦିଆଯାଇଛି। ଏହାକୁ ନେଇ କାର୍ଯ୍ୟାନୁଷ୍ଠାନ ଦାବି କରି ବାରିପଦା ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ପ୍ରଦାନ କରାଯାଇଛି। ଅଭିଯୋଗ ଅନୁଯାୟୀ, ମୟୁରଭଞ୍ଜ ଜିଲ୍ଲାର ରାସଗୋବିନ୍ଦପୁର ବ୍ଲକ ଅନ୍ତର୍ଗତ ନଳଗଜାର ନୂନଚାଟୀ ସ୍ଥିତ ଆଞ୍ଚଳିକ ସହଯୋଗ ଉଚ୍ଚ ବିଦ୍ୟାଳୟରେ ୯ଜଣ ଶିକ୍ଷକ ଅବୈଧ ଭାବେ ନିଯୁକ୍ତି ପାଇଛନ୍ତି।

ଅବୈଧ ଭାବେ ଚାକିରୀ କରି ଚଞ୍ଚକତା ଦ୍ବାରା ୨କୋଟିରୁ ଅଧୁକ ଟଙ୍କାର ଦରମା ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରୁ ନେଇ ସାରିଲେଣି। ଏନେଇ ବାରମ୍ବାର ଅଭିଯୋଗ କରିବା ସତ୍ତ୍ୱେ ଜିଲ୍ଲା ପ୍ରଶାସନ ତଥା ଗଣଶିକ୍ଷା ବିଭାଗ ପକ୍ଷରୁ କୋଣସି ପଦକ୍ଷେପ ଗ୍ରହଣ କରାଯାଇନାହିଁ। ଏ ବାବଦରେ ତଦନ୍ତ କରାଯାଇ ଦରମା ନଦେବା ପାଇଁ ତଦନ୍ତ ରିପୋର୍ଟରେ ଉଲ୍ଲେଖ କରାଯାଇ ଥିବା ସତ୍ତ୍ବେ ଉକ୍ତ ୯ଜଣ ବ୍ଲକ ଗ୍ରାଣ୍ଟ ଶିକ୍ଷକ ଭାବେ ଦରମା ପାଇ ଆସୁଛନ୍ତି ବୋଲି ଧାରଣାରତ ମାନେ ଅଭିଯୋଗ କରିଛନ୍ତି। ତତ୍କାଳୀନ ଜିଲ୍ଲା ଶିକ୍ଷା ଅଧିକାରୀ, ପ୍ରଧାନ ଶିକ୍ଷକ ଓ ଅନ୍ୟ ମାନଙ୍କ ଅନୁମୋଦନରେ ଚଞ୍ଚକତା କରି ଉକ୍ତ ୯ଜଣ ଶିକ୍ଷକ ଚାକିରୀ ପାଇଛନ୍ତି।

ମୟୁରଭଞ୍ଜ ଜିଲ୍ଲାପାଳଙ୍କ ସମେତ ଗଣଶିକ୍ଷା ବିଭାଗ କମିଶନରଙ୍କୁ ଜଣାଇବା ପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଶୂନ ରହିଛି। ନୂତନ ସରକାରଙ୍କ ଅବଗତ ନିମନ୍ତେ ଜଣାଇଥିଲେ ସୁଦ୍ଧା ତାହା ମଧ୍ୟ ଫାଇଲ ତଳେ ଚାପି ହୋଇ ରହିଛି। ତେବେ ଅଭିଯୋଗର ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଉକ୍ତ ଗଣଧାରଣା ପ୍ରଦାନ କରାଯାଇଛି। କିଶନ କୁମାର ଦେ, ପ୍ରମୋଦ ନାଥ ପ୍ରଧାନ ସମେତ ଅନ୍ୟାନ୍ୟ ଲୋକ ମାନେ ଧାରଣା ପ୍ରଦାନ କରିଛନ୍ତି।

Leave A Reply

Your email address will not be published.