ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦାରେ ଗୁଣ୍ଡିଚା ଯାତ୍ରା ଶେଷ ହେବା ପରେ ରାଧାମୋହନ ମନ୍ଦିର ବା ମାଉସୀ ମା’ ମନ୍ଦିରର ଆଡ଼ପ ମଣ୍ଡକୁ ଚତୁର୍ଦ୍ଧାମୂର୍ତ୍ତି ବିଜେ କରିଛନ୍ତି। ଦିଅଁଙ୍କ ଆଗମନ ପାଇଁ ପରମ୍ପରା ଅନୁସାରେ ରାଧାମୋହନଙ୍କ ପ୍ରତିମୂର୍ତ୍ତିଙ୍କୁ ସ୍ୱତନ୍ତ୍ର ମନ୍ଦିର ଗୃହକୁ ସ୍ଥାନନ୍ତର କରାଯାଇ ଆଡ଼ପ ମଣ୍ଡପକୁ ପ୍ରସ୍ତୁତ ରଖାଯାଇଥିଲା। ସମସ୍ତ ଦେବ ନୀତି ପରେ ଦିଅଁଙ୍କ ପହଡ଼ ପଡ଼ିଥିଲା।
ବୁଧବାର ସକାଳେ ପହଡ଼ ଭଙ୍ଗା ପରେ ମଙ୍ଗଳ ଆଳତୀ କାର୍ଯ୍ୟ ସମ୍ପନ୍ନ ହୋଇଥିଲା। ତା’ପରେ ଅବକାଶ ପୂଜା ସାଙ୍ଗକୁ ସାଧାରଣ ପୂଜା, ପୋଡ଼ ପିଠା ଓ ପାଣିଆ ଖେଚୁଡ଼ି ଭୋଗ ଲାଗି ପରେ ଠାଁ କାର୍ଯ୍ୟ ସମ୍ପନ୍ନ ହୋଇ ପହଡ଼ ପଡ଼ିଥିଲା। ଅପରାହ୍ଣରେ ସେହିଭଳି ସମସ୍ତ ନୀତି ପରେ ଦିଅଁଙ୍କ ବେଶକାର୍ଯ୍ୟ ଆରମ୍ଭ ହୋଇଥିଲା। ସନ୍ଧ୍ୟା ବେଳକୁ ମତ୍ସ୍ୟ ଓ କୁର୍ମ ବେଶରେ ଦିଅଁ ଭକ୍ତଙ୍କୁ ବିମୋହିତ କରିଥିଲେ। ଏହି ବେଶ ଦେଖିବାକୁ ନାହିଁ ନଥିବା ଭିଡ଼ ଦେଖିବାକୁ ମିଳିଥିଲା। ବଡ଼ଦାଣ୍ଡ ସମେତ ସହରରେ ରଥ ଯାତ୍ରା ପାଇଁ ବାହାରର ମୀନାବଜାର, ଦୋଳି, ବିଭିନ୍ନ ବ୍ୟବସାୟୀ ଓ ଉଠା ଦୋକାନୀ ଭେଳିକି ଭେଳିକି ପସରା ମେଲାଇଛନ୍ତି।
ଏନେଇ ଅପରାହ୍ଣ ଠାରୁ ରାତି୧୧ଟା ପର୍ଯ୍ୟନ୍ତ ଲୋକଙ୍କ ଭିଡ଼ ଲାଗିରହିଛି। ଶାନ୍ତିଶୃଙ୍ଖଳା ପାଇଁ ବ୍ୟାପକ ପୁଲିସ୍ ସହରସାରା ମୁତୟନ ରହିଛନ୍ତି। ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରତ୍ୟେକ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଗୁରୁବାର ହେରା ପଞ୍ଚମୀ ହେତୁ ମହାଲକ୍ଷ୍ମୀ ରଥ ଭାଙ୍ଗିବା ପରମ୍ପରା କାର୍ଯ୍ୟ ହେବାକୁ ଥିବା ବେଳେ ସନ୍ଧ୍ୟାରେ ଦିଅଁ ହରିହର ବ୍ରହ୍ମା ବେଶରେ ଭକ୍ତଙ୍କୁ ଦେଖା ଦେବେ ବୋଲି ମନ୍ଦିର ପରିଚ୍ଛା ଦୁର୍ଗା ଚରଣ ଜିତବାବୁ କହିଛନ୍ତି।