ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଅଭିଯୋଗ ଆଣିଲେ ଆଇନଜୀବୀ, କାରଣ ଝାରସୁଗୁଡା ଉପନିର୍ବାଚନ ବେଳେ ଅଗ୍ରିଆ ସମାଜକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୩ କୋଟି ଟଙ୍କା ଓ ଅଧ ଏକର ଜମି ପ୍ରଦାନ କରିବା ଘଟଣାକୁ ନେଇ ଉପନିର୍ବାଚନ ରିଟର୍ଣ୍ଣିଙ୍ଗ ଅଫିସର ତଥା ଉପଜିଲ୍ଲାପାଳ କିଶୋର ଚନ୍ଦ୍ର ସ୍ୱାଇଁଙ୍କ ନିକଟରେ ଅଭିଯୋଗ ହୋଇଛି । ଝାରସୁଗୁଡା ନିର୍ବାଚନ ମଣ୍ଡଳୀରେ ଅଗ୍ରିଆ ସମାଜର ଭୋଟ ପ୍ରାୟ ୩୦ ପ୍ରତିଶତ ରହୁଥିବାରୁ ଭୋଟରଙ୍କୁ ଆକୃଷ୍ଟ କରିବାକୁ ଯାଇ ମୁଖ୍ୟମନ୍ତ୍ରୀ ଏଭଳି ଘୋଷଣା କରିଥିବା ନେଇ ଆପତ୍ତି ଉଠାଇଛନ୍ତି ଆଇନଜୀବୀ ଆଲବର୍ଟ କିଣ୍ଡୋ। ଆଜି ରାଉରକେଲାର ଆଇନଜୀବୀ ଆଲବର୍ଟ କିଣ୍ଡୋ ଏ ନେଇ ଝାରସୁଗୁଡା ଉପନିର୍ବାଚନ ରିଟର୍ଣ୍ଣିଙ୍ଗ ଅଫିସର ତଥା ଉପଜିଲ୍ଲାପାଳ କିଶୋର ଚନ୍ଦ୍ର ସ୍ୱାଇଁଙ୍କ ନିକଟରେ ଫେରାଦ ହୋଇଛନ୍ତି। ନିର୍ବାଚନ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଥିଲା ସମୟରେ ମୁଖ୍ୟମନ୍ତ୍ରୀଙ୍କ ଏଭଳି ଘୋଷଣା ବେଆଇନ ବୋଲି ସେ ଅଭିଯୋଗ କରିଛନ୍ତି। ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଆଦର୍ଶ ଆଚରଣ ବିଧି ଉଲ୍ଲଙ୍ଘନ ନେଇ କାର୍ଯ୍ୟାନୁଷ୍ଠାନ କରିବାକୁ ସେ ଦାବି କରିଛନ୍ତି। ଯଦି ରାଜ୍ୟର ମୁଖ୍ୟମନ୍ତ୍ରୀ ଏଭଳି ଆଇନର ଉଲ୍ଲଙ୍ଘନ କରିବେ ଅନ୍ୟ କାହା କଥା କଣ କୁହାଯିବ ବୋଲି ସେ କହିଛନ୍ତି। ସୁନ୍ଦରଗଡ଼, ଝାରସୁଗୁଡା, ସମ୍ବଲପୁରରେ ଯେଉଁ ଅଗ୍ରିଆ ସମାଜର ଲୋକ ଅଛନ୍ତି ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଭୋଟ ବ୍ୟାଙ୍କ ଭାବେ ନେଇ କାର୍ଡ ଖେଳିଛନ୍ତି ବୋଲି ଶ୍ରୀ କିଣ୍ଡୋ ଅଭିଯୋଗପତ୍ରରେ ଉଲ୍ଲେଖ କରିଛନ୍ତି।
ସୂଚନାଯୋଗ୍ୟ,ନିକଟରେ ଅଗ୍ରିଆ ସମାଜ ପାଇଁ ଅଧ ଏକର ଜମି ଓ ତିନି କୋଟି ଟଙ୍କା ମଞ୍ଜୁର କରିଥିଲେ ମୁଖ୍ୟମନ୍ତ୍ରୀ। ଅଗ୍ରିଆ ସମାଜ ପଶ୍ଚିମ ଓଡିଶାର ଏକ ପ୍ରମୁଖ ଗୋଷ୍ଠୀ । କୃଷି ଉପରେ ନିର୍ଭର କରୁଥିବା ଏହି ସମାଜର ଲୋକମାନେ ମୁଖ୍ୟତଃ ବରଗଡ, ସମ୍ବଲପୁର, ଝାରସୁଗୁଡା,ସୁନ୍ଦରଗଡ, କଳାହାଣ୍ଡି, ବଲାଙ୍ଗୀର ଓ ଦେବଗଡ ଆଦି ଜିଲ୍ଲାରେ ବସବାସ କରିଥାନ୍ତି । ସେମାନେ ନିକଟରେ ସେମାନଙ୍କର ବିଭିନ୍ନ ସମସ୍ୟା ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିଲେ । ବିଭିନ୍ନ କାର୍ୟ୍ୟକ୍ରମରେ ସେମାନେ ଭୁବନେଶ୍ୱର ଆସୁଥିବା ସମୟରେ ରହିବାରେ ଅସୁବିଧା ହେଉଥିବାରୁ ଭୁବନେଶ୍ୱର ନିକଟରେ ଏକ ଜାଗା ଦେବା ପାଇଁ ସେମାନେ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ।ସେମାନଙ୍କ ଅନୁରୋଧ ରଖି ଅଗ୍ରିଆ ସମାଜର ସ୍ୱାର୍ଥକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର ନିକଟରେ ଅଗରିଆ ସମାଜ ପାଇଁ ଅଧ ଏକର ଜମି ଯୋଗାଇବା ଦିଆଯିବ ବୋଲି ଘୋଷଣା କରିଥିଲେ।