ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଭୁବନେଶ୍ୱରରେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଭୁବନେଶ୍ୱର ଉତ୍କଳ ମଣ୍ଡପରେ ଜ୍ଞାନପ୍ରଭା ମିସନର ପ୍ରତିଷ୍ଠା ଦିବସରେ ଯୋଗ ଦେଇଛନ୍ତି ରାଷ୍ଟ୍ରପତି। ଏଠାକୁ ଆସି ମୁଁ ବହୁତ ଆନନ୍ଦିତ ବୋଲି କହିଛନ୍ତି ରାଷ୍ଟ୍ରପତି। ମା’ଙ୍କୁ ମନେପକାଇ ଭାବବିହ୍ଵଳ ହୋଇପଡ଼ିଥିଲେ ମହାମହିମ । ମାତୃକରୁଣା, ମାତୃଶକ୍ତି ଜୀବନକୁ ଅସାଧାରଣ କରିଥାଏ।
ମାତୃକରୁଣା ଓ ପ୍ରେରଣାରୁ ସମାଜ ଆଗକୁ ବଢିଛି। ଆଜି ନାରୀ ସବୁ କ୍ଷେତ୍ରରେ ଅଗ୍ରଣୀ। ପିତା-ମାତାଙ୍କ ଯତ୍ନଠାରୁ ବଡ଼ ଧର୍ମ କିଛି ନାହିଁ। ‘ଯୋଗ ଦ୍ୱାରା ହିଁ ଜଣଙ୍କୁ ମାନସିକ ଶାନ୍ତି ମିଳିପାରେ ବୋଲି ତାଙ୍କ ଅଭିଭାଷଣରେ କହିଛନ୍ତି ରାଷ୍ଟ୍ରପତି। ସାମାଜିକ, ଆର୍ଥିକ ସହ ଆଧ୍ୟାତ୍ମିକ ବିକାଶ ଜରୁରୀ। ଆତ୍ମାର ଶୁଦ୍ଧି ପାଇଁ ଯୋଗ ଆବଶ୍ୟକ। ଆଉ କିଛି ସମୟ ପରେ ରମାଦେବୀ ବିଶ୍ୱବିଦ୍ୟାଳୟର ଦ୍ୱିତୀୟ ସମାବର୍ତ୍ତନ ଉତ୍ସବରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଯୋଗ ଦେବେ ।
ଏହାପୂର୍ବରୁ ବାୟୁସେନାର ସ୍ୱତନ୍ତ୍ର ବିମାନରେ ଆସି ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ବିମାନ ବନ୍ଦରରେ ରାଷ୍ଟ୍ରପତିଙ୍କୁ ସ୍ୱାଗତ କରିଥିଲେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଓ ମଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଭୁବନେଶ୍ୱର ମେୟର ସୁଲୋଚନା ଦାସ ମଧ୍ୟ ଉପସ୍ଥିତ ଥିଲେ।