ହାଇକୋର୍ଟରେ ହାଜର ହେଲେ ଡିଆରଟି ପ୍ରିଜାଇଡିଂ ଅଫିସର

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଋଣ ଅସୁଲ ଅଧିକରଣ (ଡେବ୍ଟସ୍ ରିକଭରି ଟ୍ରିବୁନାଲ)ର ପ୍ରିଜାଇଡିଂ ଅଫିସର ବ୍ୟକ୍ତିଗତ ଭାବେ ଆଜି ହାଇକୋର୍ଟରେ ହାଜର ହୋଇ ସ୍ପଷ୍ଟୀକରଣ ରଖିଛନ୍ତି । ଡକ୍ଟର ଜଷ୍ଟିସ ବିଦ୍ୟୁତ ରଞ୍ଜନ ଷଡଙ୍ଗୀ ଓ ଜଷ୍ଟିସ ଏମ.ଏସ. ରମଣଙ୍କୁ ନେଇ ଗଠିତ ଖଣ୍ଡପୀଠରେ ମାମଲାର ଶୁଣାଣି ସମୟରେ ମେ ୧୭ର ନିର୍ଦ୍ଦେଶ ପାଳନ କରି ଡିଆରଟି ପ୍ରିଜାଇଡିଂ ଅଫିସର ଜିତେନ୍ଦ୍ର ପ୍ରସାଦ ସିଂହ ହାଜର ହୋଇ ଥିଲେ। ସପ୍ତାହରେ ଦୁଇଦିନ ଛୁଟି ନେବା ବଦଳରେ କାର୍ଯ୍ୟ ଦିବସରେ ନିୟମିତ ଭାବେ କୋର୍ଟ କରିବାକୁ ପ୍ରିଜାଇଡିଂ ଅଫିସର ପ୍ରତିଶ୍ରୁତି ଦେଇଥିଲେ। ହାଇକୋର୍ଟରେ ମାମଲା ଦାୟର କରିଥିବା ବ୍ୟକ୍ତିଙ୍କ ଡିଆରଟିରେ ବିଚାରାଧୀରନ ଆବେଦନର ମେ ୧୯କୁ ଶୁଣାଣି ପାଇଁ ତାରିଖ ଧାର୍ଯ୍ୟ କରାଯାଇଛି ବୋଲି ସେ ଅବଗତ କରିଥିଲେ। ଏହାପରେ ପ୍ରିଜାଇଡିଂ ଅଫିସରଙ୍କୁ ବ୍ୟକ୍ତିଗତ ହାଜିରାରୁ ଛାଡ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏଥି ସହିତ ମେ ୧୭ର ନିର୍ଦ୍ଦେଶ ପାଳନ କରି ୟୁକୋ ବ୍ୟାଙ୍କ ସମ୍ବଲପୁର ଜେନାଲ ମ୍ୟାନେଜର ରାଜେଶ କୁମାର ଓ ଅନୁଗୁଳ ୟୁକୋ ବ୍ୟାଙ୍କ ଶାଖା ଅଥରାଇଜଡ୍ ଅଫିସର ତଥା ମୁଖ୍ୟ ପରିଚାଳକ ଦେବାଶିଷ କୁଣ୍ଡୁ ଆଜି ହାଇକୋର୍ଟରେ ବ୍ୟକ୍ତିଗତ ଭାବେ ହାଜର ହୋଇଥିଲେ।

ଡିଆରଟିରେ ବିଚାରାଧୀନ ଆବେଦନକାରୀଙ୍କ ମାମଲାର ପରବର୍ତ୍ତୀ ତାରିଖ ମେ ୧୯କୁ ଧାର୍ଯ୍ୟ କରାଯାଇଥିବା ବେଳେ ବ୍ୟାଙ୍କ କର୍ତ୍ତୃପକ୍ଷ ବିଚାର ପ୍ରକ୍ରିୟାରେ ଅଂଶ ଗ୍ରହଣ କରି ଆପତ୍ତି ଦାଖଲ କରିଥିବା ଜଣା ପଡିଥିଲା। ଏଭଳି ସ୍ଥିତିରେ ନିଲାମଧାରୀଙ୍କ ପାଇଁ ବ୍ୟବସ୍ଥା କରିବାକୁ ଯାଇ ଆବେଦନକାରୀଙ୍କୁ ତାଙ୍କ ଘରୁ ଉଚ୍ଛେଦ ପାଇଁ ଅଥରାଇଜଡ ଅଫିସରଙ୍କ ପଦକ୍ଷେପକୁ ନେଇ ହାଇକୋର୍ଟ ଅସନ୍ତୋଷବ୍ୟକ୍ତ କରିଛନ୍ତି। ଅଥରାଇଜଡ ଅଫିସରଙ୍କ ଏପରି ଆଚରଣ ଅବଜ୍ଞାକାରୀ ଓ ଏଥିପାଇଁ ତାଙ୍କ ବିରୋଧରେ ଅଦାଲତ ଅବମାନନା ପ୍ରକ୍ରିୟା ଅନୁସାରେ ପଦକ୍ଷେପ ନିଆଯିବା କଥା ବୋଲି ହାଇକୋର୍ଟ କହିଛନ୍ତି। ଅନ୍ୟପକ୍ଷରେ ଆଜି ମେ ୧୮ରେ ଆବେଦନକାରୀଙ୍କୁ ଘରର ପୁନର୍ବାର ଦଖଲ ଦିଆଯିବ ବୋଲି ଶୁଣାଣି ସମୟରେ ଅନୁଗୁଳ ଶାଖା ଅଥରାଇଜଡ ଅଫିସର ତଥା ମୁଖ୍ୟ ପରିଚାଳକ ପ୍ରତିଶ୍ରୁତି ଦେଇଥିଲେ। ଏଭଳି ପ୍ରତିଶ୍ରୁତିକୁ ବିଚାରକୁ ନେଇ ହାଇକୋର୍ଟ ମେ ୧୯ରେ ଉଭୟ ଜୋନାଲ ମ୍ୟାନେଜର ଓ ଅଥରାଇଜଡ ଅଫିସର ତଥା ମୁଖ୍ୟ ପରିଚାଳକଙ୍କୁ ବ୍ୟକ୍ତିଗତ ଭାବେ ହାଜର ହୋଇ ଆବେଦନକାରୀଙ୍କୁ ପୁନର୍ବାର ଘରର ଦଖଲ ଦିଆଯିବା ନେଇ ଅବଗତ କରିବାକୁ କହିଛନ୍ତି। ଏଭଳି ସ୍ଥିତିରେ ଡିଆରଟିରେ ଆବେଦନକାରୀଙ୍କ ମାମଲାର ମେ ୧୯ ବଦଳରେ ୨୨ ତାରିଖରେ ଶୁଣାଣି କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

Leave A Reply

Your email address will not be published.