ଓଡ଼ିଆ ନ୍ୟୁଜ୍: ଏଣିକି ଗାଡ଼ିର ଇନ୍ସ୍ୟୁରାନ୍ସ ନଥିଲେ କଟିବ ଇ-ଚାଲାଣ। ଆସନ୍ତା ଫେବୃୟାରୀ ପହିଲାରୁ ପ୍ରଥମ ପର୍ଯ୍ୟାୟରେ ଇନ୍ସ୍ୟୁରାନ୍ସ (ବୀମା) ନଥିବା ଗାଡ଼ିକୁ ଚିହ୍ନଟ କରି ଇ-ଡିଟେକ୍ସନ୍ ପ୍ରକ୍ରିୟାରେ ଇ-ଚାଲାଣ ପଠାଇବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ରାଜ୍ୟ ପରିବହନ ପ୍ରାଧିକରଣ ଗତ ୨୦୨୨ ମସିହାରୁ ଇ-ଡିଟେକ୍ସନ୍ ଆପ୍ଲିକେସନ୍ ମାଧ୍ୟମରେ ଟୋଲଗେଟ୍ ଗୁଡ଼ିକରେ ମୋଟର ଯାନର ବୈଧ ଦସ୍ତାବିଜ ଅଛି ଯାଂଚ ପାଇଁ ପ୍ରକ୍ରିୟା ଆରମ୍ଭ କରିଥିଲେ । ଆଜି ରାଜ୍ୟ ପରିବହନ ପ୍ରାଧିକରଣ ପକ୍ଷରୁ କୁହାଯାଇଛି ଯେ, “ମୋଟରଯାନରେ ବୀମା ନଥିଲେ ସ୍ୱୟଂକ୍ରିୟ ପ୍ରଣାଳୀରେ ଧରିବ ଟୋଲଗେଟ୍। ଇ-ଡିଟେକ୍ସନ ପ୍ରକ୍ରିୟାରେ ଜାରି ହେବ ଇ-ଚାଲାଣ । ଆସନ୍ତା ଫେବୃୟାରୀ ପହିଲାରୁ ରାଜ୍ୟର ବିଭିନ୍ନ ଜାତୀୟ ରାଜପଥରେ ଥିବା ସମସ୍ତ ୨୨ଟି ଟୋଲଗେଟରେ ଏହା କାର୍ଯ୍ୟକାରୀ ହେବ।”
ରାଜ୍ୟ ପରିବହନ ପ୍ରାଧିକରଣ ଗତ ୨୦୨୨ ମସିହାରୁ ଇ-ଡିଟେକ୍ସନ୍ ଆପ୍ଲିକେସନକୁ ବିକଶିତ କରି ଟୋଲଗେଟ୍ ଦେଇ ଯାତାୟତ କରୁଥିବା ମୋଟରଯାନଗୁଡ଼ିକର ବୈଧ ଇନ୍ସ୍ୟୁରାନ୍ସ, ପଲ୍ୟୁସନ୍ ଓ ଫିଟନେସ୍ ସାର୍ଟିଫିକେଟ୍ ଅଛି କି ନାହିଁ ତାହା ଜାଣିବାକୁ ପଦକ୍ଷେପ ନେଇଥିଲେ। ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ଟୋଲଗେଟ୍ ସହ ଇ-ଡିଟେକ୍ସନ୍ ଆପ୍ଲିକେସନକୁ ସମ୍ମିଳିତ କରାଇ ପରୀକ୍ଷାମୂଳକ ଭାବେ ଏହାର କାର୍ଯ୍ୟକାରିତା ଯାଂଚ କରିଥିଲେ । ଟୋଲଗେଟ୍ ଦେଇ ଯାତାୟତ କରୁଥିବା ସମସ୍ତ ମୋଟର ଯାନଗୁଡ଼ିକ ଉପରେ ନଜର ରଖିବାକୁ ରାଜ୍ୟ ସରକାର ଏହି ଇ-ଡିଟେକ୍ସନ୍ ପୋର୍ଟାଲକୁ ବିକଶିତ କରିଛନ୍ତି। ଯାହାକି ମୋଟରଯାନର ରେଜିଷ୍ଟ୍ରେସନ ନମ୍ବର ଆଧାରରେ ସରକାରଙ୍କ ‘ବାହନ’ ପୋର୍ଟାଲକୁ ଯାଂଚ କରି ଗାଡ଼ିର ବୈଧ ଦସ୍ତାବିଜ ଅଛି କି ନାହିଁ ତାହା ଦର୍ଶାଇବ । ଏହାପରେ ଖିଲାପୀ ଗାଡ଼ି ମାଲିକଙ୍କ ନିକଟକୁ ଇ-ଚାଲାଣ(ଜୋରିମାନା) ପଠାଯିବ।