ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମରେ ବିଜୁଳିକାଟ୍ ଘଟଣା ଓଡ଼ିଶାକୁ ନିନ୍ଦିତ କରିଛି: ଦିଲୀପ ମଲ୍ଲିକ

0

ଓଡିଆ ନ୍ୟୁଜ୍(ବ୍ୟୁରୋ):ମହାମହିମ ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମରେ ବିଜୁଳିକାଟ୍ ସାରା ଦେଶରେ ଓଡ଼ିଶାକୁ ଲଜ୍ଜିତ କଲାଭଳି ଘଟଣା ଘଟିଛି ବାରିପଦାଠାରେ । ସବୁଠୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ମହାମହିମ ରାଷ୍ଟ୍ରପତିଙ୍କ ସୁରକ୍ଷା ପ୍ରତି ବିପଦ ସୃଷ୍ଟି କଲାଭଳି ଘଟଣା । ଯାହା ରାଜ୍ୟ ସରକାରଙ୍କ ଅବହେଳା ପ୍ରଦର୍ଶନକୁ ପ୍ରମାଣିତ କରୁଛି । ଅନ୍ୟ ପକ୍ଷରେ ବିଜୁଳିକାଟ୍ ହେଲେ ଅନ୍ୟ ବିକଳ୍ପ ବ୍ୟବସ୍ଥା ଥିଲା କି ନାହିଁ? କାହିଁକି କରାଯାଇ ନଥିଲା । ଏହା ଦାୟିତ୍ୱରେ ଥିବା ଅଧିକାରୀ ଓ ରାଜ୍ୟ ସରକାରଙ୍କ ଦାୟିତ୍ୱହୀନତା ନୁହେଁ କି? ମହାମହିମ ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମକୁ ହାଲକାଭାବେ ଗ୍ରହଣ କରି ଦେଶର ପ୍ରଥମ ନାଗରିକଙ୍କୁ ଅସମ୍ମାନିତ କରାଯାଇଛି । ଯଦ୍ୱାରା ଆଜି ଦେଶରେ ଓଡ଼ିଶାକୁ ନିନ୍ଦିତ ହେବାକୁ ପଡୁଛି । ଏନେଇ ରାଜ୍ୟ ସରକାର କ୍ଷମା ମାଗିବା ଆବଶ୍ୟକ ବୋଲି ରାଜ୍ୟ ଗଣମାଧ୍ୟମ ମୁଖ୍ୟ ଦିଲୀପ ମଲ୍ଲିକ କହିଛନ୍ତି ।

ମହାମହିମ ରାଷ୍ଟ୍ରପତିଙ୍କ ପ୍ରତି ମିନିଟ୍ ଟୁ ମିନିଟର ପ୍ରୋଗ୍ରାମର ସମସ୍ତ ଦାୟିତ୍ୱ ସୂଚାରୁ ରୂପେ ତୁଲାଇବା ରାଜ୍ୟ ସରକାରଙ୍କ ଦାୟିତ୍ୱ ରହିଥିବା ବେଳେ ଏଥିପ୍ରତି ରାଜ୍ୟ ସରକାର ଚରମ ଅବହେଳା ପ୍ରଦର୍ଶନ କରିଛନ୍ତି । ରାଜ୍ୟ ସରକାର ବୋଧହୁଏ ଭୁଲି ଯାଇଛନ୍ତି ରାଷ୍ଟ୍ରପତିଙ୍କ ପ୍ରୋଟକଲ୍‌ର ସମସ୍ତ ଟିକିନିକି ଦାୟିତ୍ୱ ତାଙ୍କର ସାମ୍ବିଧାନିକ କର୍ତବ୍ୟ ବୋଲି । ବୋଧହୁଏ ମୟୂରଭଞ୍ଜ ଜିଲ୍ଲାର ଜଣେ ଆଦିବାସୀ କନ୍ୟା ଭାବନା ଭିତରେ ରାଜ୍ୟ ସରକାର ରହିଯାଇଛନ୍ତି ବୋଲି ମନେ ହେଉଛି । ଏପରିକି ବିଜୁ ଜନତା ଦଳର କିଛି ପ୍ରମୁଖ କାର୍ଯ୍ୟକ୍ରମରେ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ପରୋକ୍ଷରେ ଓ ପ୍ରତକ୍ଷ୍ୟରେ ରାଜ୍ୟ ସରକାର ଓ ପ୍ରଶାସନ କଳ ଅଂଟା ଭିଡି ଦେଉଥିବାବେଳେ ମହାମହିମ ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମକୁ ରାଜ୍ୟ ସରକାର ଅଣଦେଖା କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି  ଦିଲୀପ ମଲ୍ଲିକ କହିଛନ୍ତି ।

ରାଜ୍ୟରେ ବ୍ୟାପକ ବିଦ୍ୟୁତକାଟ୍ ହେଉଥିବାର ଅଭିଯୋଗ ସାରା ରାଜ୍ୟରୁ ଆସୁଥିବାବେଳେ ବିଭାଗୀୟ ଶକ୍ତିମନ୍ତ୍ରୀ ବିଜୁଳିକାଟ୍ ହେଉନାହିଁ ବୋଲି ଯୁକ୍ତି ବାଢ଼ୁଥିଲେ । ମହାମହିମ ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମରେ ବିଜୁଳି କଟିଯିବା ଭଳି ଅଭାବନୀୟ ପରିସ୍ଥିତି ସାଧାରଣରେ ଓଡ଼ିଶାକୁ ନିନ୍ଦିତ କରିଛି । ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମରେ ବି ବିଜୁଳିକାଟ୍ କରିବାର ଦକ୍ଷତା ରଖୁଥିବା ରାଜ୍ୟ ସରକାର ରାଜ୍ୟକୁ ନିନ୍ଦିତ କରିବା ସହ ନିଜକୁ ଲୋକହସା ହେବାକୁ ପଛାଇ ନାହାନ୍ତି ବୋଲି ଦିଲୀପ ମଲ୍ଲିକ ତାତ୍ସଲ୍ୟ କରିଛନ୍ତି ।

Leave A Reply

Your email address will not be published.