ବିଜେପିର ଲୋକପ୍ରିୟତା ବୃଦ୍ଧିରେ ହତାସ ହୋଇ ପଡିଛି ବିଜୁ ଜନତା ଦଳ: ବିଶ୍ୱେଶ୍ୱର ଟୁଡୁ

0

ଓଡିଆ ନ୍ୟୁଜ୍(ବ୍ୟୁରୋ): ଝାରସୁଗୁଡାରେ ଉପନିର୍ବାଚନକୁ ନେଇ ଜିଲ୍ଲାବାସୀଙ୍କ ମନରେ ପରିବର୍ତନକୁ ନେଇ ଉଦୀପନା ବଢ଼ିଛି ଓ ଉତ୍ସାହ ଦେଖାଦେଇଛି । ରାଜ୍ୟ ସରକାରରେ ଥିବା କ୍ୟାବିନେଟ୍ ମନ୍ତ୍ରୀ ନବ ଦାସଙ୍କ ହତ୍ୟା ପରେ ଏହି ଉପନିର୍ବାଚନ ହେଉଛି ଯାହା ଦୁର୍ଭାଗ୍ୟଜନକ । ରାଜ୍ୟ ସରକାର ମନ୍ତ୍ରୀଙ୍କ ହତ୍ୟାର କୌଣସି କାରଣ ଖୋଜି ବାହର କରିବାରେ ବିଫଳ । ରାଜ୍ୟରେ ଜଣେ ମନ୍ତ୍ରୀ ଯଦି ସୁରକ୍ଷିତ ନୁହେଁ ତାହାଲେ ସାଧାରଣ ଲୋକେ କେତେ ସୁରକ୍ଷିତ? ନବୀନ ବାବୁ ଝାରସୁଗୁଡାରେ କ’ଣ କହି ଭୋଟ ଭିକ୍ଷା କରିବେ ତାହାର ଜବାବ ଦିଅନ୍ତୁ । ଚଳିତ ଝାରସୁଗୁଡା ଉପନିର୍ବାଚନ ଏକ ଅସ୍ୱାଭାବିକ ବୋଲି କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ କହିଛନ୍ତି ।

ଝାରସୁଗୁଡା ଉପନିର୍ବାଚନ ପାଇଁ ଉଦୁଉଦିଆ ଖରାକୁ ଖାତିର ନକରି ଦଳୀୟ ପ୍ରାର୍ଥୀ ଟଙ୍କଧର ତ୍ରିପାଠୀଙ୍କ ସପକ୍ଷରେ ପ୍ରଚାର କରିବା ପାଇଁ ଆସିଥିବା କେନ୍ଦ୍ରମନ୍ତ୍ରୀ ଶ୍ରୀ ଟୁଡୁ ଆଜି କିରମିରା ବ୍ଲକର ବିଭିନ୍ନ ଗାଁ ଗାଁ ଯାଇ ବାଇକ ରାଲି ଓ ରୋଡ ସୋ କରିଥିଲେ । ଏହି ଅବସରରେ ଶ୍ରୀ ଟୁଡୁ କହିଛନ୍ତି ଯେ, ଓଡ଼ିଶାର ବିକାଶ ପାଇଁ ମୋଦି ସରକାର ବାସଗୃହ, ଶୌଚାଳୟ, ପାଣି, ଶିକ୍ଷା, ସ୍ୱାସ୍ଥ୍ୟ, କୃଷି ଇତ୍ୟାଦି ସମସ୍ତ ବ୍ୟବସ୍ଥା ଯୋଗାଇ ଦେଇଛନ୍ତି କିନ୍ତୁ ମୁଖ୍ୟମନ୍ତ୍ରୀ ଜନତାଙ୍କ ପାଖରେ ଏହି ଯୋଜନା ପଂହଚାଇବାରେ ବିଫଳ । କେନ୍ଦ୍ର ସରକାର ଝାରସୁଗୁଡାକୁ ଆଇଟିଡିଏ ମାନ୍ୟତା ଦେଇଥିଲେ ମଧ୍ୟ ନବୀନ ସରକାର କାହିଁକି କାର୍ଯ୍ୟକାରୀ କରୁନାହାନ୍ତି । ମୋଦିଙ୍କ ବିକାଶମୂଳକ କାର୍ଯ୍ୟ ଉପରେ ଝାରସୁଗୁଡାବାସୀଙ୍କ ଭରସା ଅଛି । ମୋଦିଙ୍କ ଆର୍ଶୀବାଦରେ ଝାରସୁଗୁଡା ତଥା ରାଜ୍ୟର ବିକାଶ ଦୁଇଗୁଣିତ ହେବ । ଝାରସୁଗୁଡାବାସୀ ସଚେତନ ହୋଇଛନ୍ତି ଓ ଆଗାମୀ ଦିନରେ ଏହାର ଜବାବ ଦେବେ ବୋଲି ଟୁଡୁ କହିଛନ୍ତି । ଏହି ଅବସରରେ ରାଜ୍ୟ ସାଧାରଣ ସଂପାଦକ ତଥା ପୂର୍ବତନ ବିଧାୟକ ରବି ନାରାୟଣ ନାୟକ ଅନେକ ନେତୃବୃନ୍ଦ ସାମିଲ ହୋଇଥିଲେ ।

ସେହିପରି ସମସ୍ତ ନୀତି, ନିୟମ ଆଇନ ଉଲଘଂନ କରିବା ସହ ସରକାରୀ କଳ, ବଳ ଓ କୌଶଳକୁ ବ୍ୟବହାର କରି ଜେନେତେନେ ନିର୍ବାଚନ ହାତେଇବାର ପ୍ରଚେଷ୍ଟା କରିଚାଲିଛି ବିଜୁ ଜନତା ଦଳ । ପୋଲିସ ପ୍ରଶାସନ ଏବେ ବିଜେଡିର ହାତବାରିସ ହୋଇ କାର୍ଯ୍ୟ କରୁଥିବାବେଳେ ଓଡ଼ିଶାର ଶାସନ ଓ ପ୍ରଶାସନ ବିଜେଡି ଦଳ ସପକ୍ଷରେ ଭୋଟ କରାଇବା ପାଇଁ ଝାରସୁଗୁଡାରେ ଡେରା ପକାଇଛି । ବିଜେପିର ଲୋକପ୍ରିୟତା ବୃଦ୍ଧିରେ ହତାସ ହୋଇ ପଡିଥିବା ବିଜେଡି ନିଜ ଶେଷ ଅସ୍ତ୍ରଭାବେ ଅସୁସ୍ଥ ଥିବା ମୁଖ୍ୟମନ୍ତ୍ରୀଙ୍କୁ ନିର୍ବାଚନ ପ୍ରଚାର ପାଇଁ ଆଣୁଛନ୍ତି । ଶାସକ ଦଳର ନେତା, ମନ୍ତ୍ରୀସବୁ ରହିଥିଲେ ବି କାହା ଉପରେ ଭରସା ନକରି ଅସୁସ୍ଥତା ସତ୍ୱେ ମୁଖ୍ୟମନ୍ତ୍ରୀ ନିର୍ବାଚନର ପ୍ରଚାର ପାଇଁ ଆସୁଛନ୍ତି । ଶିଳ୍ପସମୃଦ୍ଧ ଝାରସୁଗୁଡା ସହରର ବେକାର ଯୁବକଯୁବତୀ ଦାଦନ ଖଟିବାକୁ ଯାଉଛନ୍ତି । ଜିଲ୍ଲାବାସୀଙ୍କ ପାଇଁ ପ୍ରଦୂଷଣ ଚିନ୍ତାର ମୁଖ୍ୟ କାରଣ ସାଜିଛି । ଝାରସୁଗୁଡାରେ ସ୍ୱାସ୍ଥ୍ୟ, ଶିକ୍ଷା ବିପର୍ଯ୍ୟସ୍ତ ହୋଇପଡିଛି । ପ୍ରଚାର ଅବସରରେ ମୁଖ୍ୟମନ୍ତ୍ରୀ ଝାରସୁଗୁଡାବାସୀଙ୍କୁ ଏସମସ୍ତ ପ୍ରଶ୍ନର ଜବାବ ଦିଅନ୍ତୁ ରଖିବା ଉଚିତ ବୋଲି ସାଂସଦ ପ୍ରତାପ ଷଡଙ୍ଗୀ କହିଛନ୍ତି । ଆଜି ଝାରସୁଗୁଡାର ସହରର ୱାର୍ଡ ୭, କରତିକେଲା ଗ୍ରାମପଂଚାୟତ, ତଳିପଟିଆ, ପାକେଲପଡା ଗ୍ରାମ ପଂଚାୟତର ବିଭିନ୍ନ ଅଂଚଳ ଯାଇ ଦଳୀୟ ଭୋଟ ଭିକ୍ଷା କରିଛନ୍ତି ଶ୍ରୀ ଷଡଙ୍ଗୀ ।

ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ ଆଜି ଝାରସୁଗୁଡା ସହରର ମଙ୍ଗଳ ବଜାର, ୱାର୍ଡ ନଂ ୨୧ର ବୁରୋମାଲ, ରାମପୁର, ଡୁମେରମୁଣ୍ଡା, ମାଲଦା, ପତରାପାଲିର ମୁଣ୍ଡାପଡା, ଭୁଶୁଙ୍ଗ୍‌, ବିଶାଳପଡା, ଶ୍ରୀପୁର ଗ୍ରାମ ପଂଚାୟତ, ତୁମ୍ବେକେଲା, କବାଡି, ହେରମା, ରୁଟୁବାହାଲ, କୁକରଜଙ୍ଗ ବଡମାଲ ଗୌତିପଡା, ତେଲିପଡା, ସା ପଡା, ସିଙ୍ଗାବାଗା ଓ ପାଣ୍ଡ୍ରିପଥର, ରଗନପଡାରେ ପଦଯାତ୍ରାରେ ଯାଇ ଘର ଘର ବୋଲି ଭୋଟ ପ୍ରଚାର କରିଥିଲେ ।

ରାଜ୍ୟ ସଂପାଦିକା ତଥା ପ୍ରଖ୍ୟାତ ଅଭିନେତ୍ରୀ ପିଙ୍କି ପ୍ରଧାନ ଆଜି ଝାରସୁଗୁଡା ବ୍ଲକ ତାଲପଟିଆରେ ବିଭିନ୍ନ ଅଂଚଳକୁ ଯାଇ ଦଳୀୟ ପ୍ରାର୍ଥୀ ଟଙ୍କଧର ତ୍ରିପାଠୀଙ୍କ ସପକ୍ଷରେ ପ୍ରଚାର କରିଛନ୍ତି । ପ୍ରଚାର ଅବସରରେ ମା, ଭଉଣୀ ଅତି ଉତ୍ସାହର ସହିତ ଟଙ୍କ ଭାଇଙ୍କୁ ଭୋଟ ଦେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ଏହି ନିର୍ବାଚନୀ ପ୍ରଚାରରେ ରାଜେନ୍ଦ୍ର ପଣ୍ଡାଙ୍କ ସହ ନେତୃବୃନ୍ଦ ନିର୍ବାଚନମଣ୍ଡଳୀ ଟଙ୍କଧର ତ୍ରିପାଠୀଙ୍କୁ ବହୁ ମାତ୍ରାରେ ଭୋଟ ଦେବାକୁ ଅନୁରୋଧ କରିଥିଲେ ।

ସେହିପରି ସାଂସଦ ଜୁଏଲ ଓରାମ, ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି, କେବି ସିଂହଦେବ କିରମିରା ମଣ୍ଡଳର ସମସ୍ତ ଗ୍ରାମ ପଂଚାୟତ, ଜମାଲ ଗ୍ରାମ ପଂଚାୟତର ବିଭିନ୍ନ ଅଂଚଳକୁ ଯାଇ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରିଥିଲେ । ବିଧାୟକ ନାଉରୀ ନାଏକ, ଉମରକୋଟ ବିଧାୟକ ନିତ୍ୟାନନ୍ଦ ଗଣ୍ଡ ପ୍ରମୁଖ ଭୋଟ ଭିକ୍ଷା କରିଥିଲେ ।

Leave A Reply

Your email address will not be published.