ସ୍ବାଧିନତାର ୭୬ବର୍ଷ ପରେ ମଧ୍ଯ ମୌଳିକ ସୁବିଧାରୁ ବଞ୍ଚିତ ଝୋଲାଗୁଡ଼ା ଗ୍ରାମ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  କୋରାପୁଟ ଜିଲ୍ଲାରେ ଏମିତି ବି ଗାଁ ଅଛି, ଦେଶ ସ୍ବାଧୀନ ହେବାର ୭୬ ବର୍ଷ ବିତିଯାଇଥିଲେ ମଧ୍ୟ ଗ୍ରାମବାସୀ ସ୍ୱାଧୀନତାର ଆଲୋକ ଦେଖି ପାରିନାହାନ୍ତି । ସବୁ ମୌଳିକ ସୁବିଧାରୁ ବଂଚିତ ହୋଇ ରହିଛନ୍ତି । ଏଭଳି ଚିତ୍ର ଦେଖିବାକୁ ମିଳିଛି ଲକ୍ଷ୍ମୀପୁର ବ୍ଲକ୍ ଅନ୍ତର୍ଗତ ଭିତରଗଡ ପଞ୍ଚାୟତ ଅଧିନସ୍ଥ ପାହାଡ଼ ପର୍ବତ ଘେରା ଝୋଲାଗୁଡ଼ା ଗ୍ରାମରେ । ଗ୍ରାମର ଚତୁଃପାର୍ଶ୍ଵରେ ଘେରି ରହିଛି ସୁଉଚ୍ଚ ପାହାଡ଼ ପର୍ବତ । ପଞ୍ଚାୟତ ଠାରୁ ଗ୍ରାମର ଦୂରତା ପପାଖାପାଖି ୫ କିମି ଦୂରରେ ଅବସ୍ଥିତ ।

ଗାଁ ରେ ୩୦ ଟି ଘର ଥିବା ବେଳେ ଲୋକସଂଖ୍ୟା ୧୩୦ ରୁ ୧୫୦ ଭିତରେ ହେବ । ଏଠାରେ ନା ଅଛି ସଠିକ୍ ଗମନାଗମନ ବ୍ୟବସ୍ଥା, ନା ବିଜୁଳୀ ନା ପାନୀୟ ଜଳ ବ୍ୟବସ୍ଥା । ଆଜି ବି ଗ୍ରାମବାସୀ ଝରଣା ପାଣି ଉପରେ ନିର୍ଭର କରୁଛନ୍ତି । ବର୍ଷା ଦିନରେ ପାହାଡ଼ରୁ ଗଡି ଆସୁଥିବା ପାଣିରେ ଡାଳ ପତ୍ର ସହିତ ଆବର୍ଜ୍ଜନା ଆସି ଝରଣା ପାଣି ଦୂଷିତ ହେବା ସ୍ଵାଭାବିକ । ଶିକ୍ଷା କଥା ନ କହିବା ଭଲ । ଏଠାରେ ଥିବା ପ୍ରାଥମିକ ବିଦ୍ୟାଳୟ ଗତ ୨୦୧୯ ମସିହାରୁ ଜିଲ୍ଲା ପ୍ରଶାସନ ନିର୍ଦ୍ଦେଶ କ୍ରମେ ବନ୍ଦ ହୋଇଯାଇଛି । ଗ୍ରାମର କେତେକ ଅବିଭାବକ ନିଜ ପିଲା ଙ୍କୁ ବାଧ୍ୟ ହୋଇ ଭିତରଗଡ, ରେଙ୍ଗା ଆଦି ଆଶ୍ରମ ବିଦ୍ୟାଳୟରେ ଛାଡିଛନ୍ତି । ଜଣେ ଝିଅ ଉଚ୍ଚ ଶିକ୍ଷାର ଅଭିଳାଷା ନେଇ ଦୈନିକ କାକିରିଗୁମ୍ମା କଲେଜ ଯାଉଥିବା ଗାଁ ଲୋକେ କହିଛନ୍ତି । ଅନ୍ୟ ପକ୍ଷରେ ନାଲକୋ ଫାଉଣ୍ଡେସନ ପକ୍ଷରୁ ଜଣେ ପିଲା ଏଠାରୁ ୬୦୦ କିମି ଦୂର ଭୁବନେଶ୍ୱରରେ ‘ପ୍ରଥମ ଶ୍ରେଣୀ’ ରେ ପଢୁଛି । ଗାଁରେ ଅଙ୍ଗନୱାଡ଼ି କେନ୍ଦ୍ରଟିଏ ମଧ୍ଯ ନାହିଁ । ସପ୍ତାହରେ ଥରେ ପଞ୍ଚାୟତରୁ ଅଙ୍ଗନୱାଡ଼ି କର୍ମୀ ଆସି ପିଲାଙ୍କ ପାଇଁ ଉଦ୍ଦିଷ୍ଟ ଖାଦ୍ୟପେୟ ଦେଇଯାଆନ୍ତି ବୋଲି ଗ୍ରାମବାସୀ କହିଛନ୍ତି । ସ୍ବାସ୍ଥ୍ୟ ବ୍ୟବସ୍ଥା ମଧ୍ଯ ସେହିଭଳି । ସାମାନ୍ୟ ସ୍ବାସ୍ଥ୍ୟ ସମସ୍ୟା ଥିଲେ ମଧ୍ୟ ଲୋକେ କାକିରିଗୁମ୍ମା କିମ୍ୱା ସଦର ମହକୁମା ସ୍ୱାସ୍ଥ୍ୟକେନ୍ଦ୍ର ଉପରେ ନିର୍ଭର କରନ୍ତି ।

ବୃତ୍ତି ଦୃଷ୍ଟିରୁ ଦେଖିବାକୁ ଗଲେ ଗ୍ରାମବାସୀ ମୁଖ୍ୟତଃ ଚାଷ ଉପରେ ନିର୍ଭର କରନ୍ତି । କିନ୍ତୁ ପ୍ରାୟ ୧୫ ବର୍ଷ ହେଲା ଏମାନଙ୍କ ଜମିରେ ଲେମନ୍ ଗ୍ରାସ ମାଡ଼ିଯାଇ ଜଙ୍ଗଲ ସୃଷ୍ଟି ହେବାରୁ ଚାଷ ବିପର୍ଯ୍ୟସ୍ତ ହୋଇଯାଇଛି । ନାଲକୋ ଖଣି ଓ ବିଶୋଧନ ପ୍ରକଳ୍ପରେ କାମ କରି ପରିବାର ପ୍ରତିପୋଷଣ କରିବା ଗ୍ରାମବାସୀଙ୍କର ଏକମାତ୍ର ପନ୍ଥା । ଏହି ସବୁ ସମସ୍ୟା ନେଇ ଗ୍ରାମବାସୀ ବହୁବାର ଜିଲ୍ଲା ପ୍ରଶାସନ ର ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ଯ କୌଣସି ସୁଫଳ ପାଇନାହାନ୍ତି ବୋଲି କହିଥିଲେ । ନାଲକୋ ପଞ୍ଚପଟ୍ଟ ଖଣି ଅଞ୍ଚଳ ପାଇଁ ଆବଶ୍ୟକ ପାଣି ଏଠାରୁ ପମ୍ପ ଯୋଗେ ଯାଉଛି । ଏଥି ପାଇଁ ନାଲକୋ ପକ୍ଷରୁ ଏଠାରେ ଏକ ଜଳାଶୟ ନିର୍ମାଣ କରାଯାଇ ଝରଣା ପାଣି ଗଚ୍ଛିତ କରାଯାଉଛି ଓ ପମ୍ପ ହାଉସ୍ ମଧ୍ଯ ରହିଛି । ତେଣୁ ଗ୍ରାମବାସୀ ନାଲକୋ କର୍ତ୍ତୃପକ୍ଷଙ୍କୁ ମଧ୍ଯ ନିଜର ସମସ୍ୟାର ସମାଧାନ ଲାଗି ନିବେଦନ କରିଛନ୍ତି । ନବରତ୍ନ ପ୍ରକଳ୍ପ ନାଲକୋ ଦ୍ବାରା ହେଉ ଅବା ଜିଲ୍ଲା ପ୍ରଶାସନ ପ୍ରୟାସରେ ଗ୍ରାମର ବିକାଶ ହେବା ଜରୁରୀ ବୋଲି ଗ୍ରାମବାସୀ ନିବେଦନ କରିଛନ୍ତି ।

Leave A Reply

Your email address will not be published.