ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଏଣିକି ସ୍ଵର୍ଗଦ୍ଵାରରେ ଶବଦାହ ହେଲା ଆହୁରି ସହଜ । ଶବଦାହ ପାଇଁ ଆଉ କରିବାକୁ ପଡିବନି ଘଣ୍ଟା ଘଣ୍ଟା ଅପେକ୍ଷା । ଏବେ ଶବଦାହ ପୂର୍ବରୁ ଆଗୁଆ ସ୍ଥାନ ବୁକିଂ କରିବେ ଲୋକେ । କାଳୀପୂଜା ଅବସରରେ ସ୍ୱର୍ଗଦ୍ୱାର ସେବା ସମିତି ପକ୍ଷରୁ ସ୍ୱର୍ଗଦ୍ୱାରର ନୂଆ ୱେବସାଇଟ୍ ସ୍ୱର୍ଗଦ୍ୱାର ଡଟ୍ କମ୍ (swargadwar.com <http://swargadwar.com> )କୁ ଲୋକାର୍ପିତ ହୋଇଯାଇଛି।
ଏହି ୱେବସାଇଟ୍ରେ ଓଡ଼ିଆ, ହିନ୍ଦୀ ଓ ଇଂରାଜୀ, ଏଭଳି ତିନିଟି ଭାଷାରେ ସ୍ବର୍ଗଦ୍ବାର ସମ୍ପର୍କିତ ତଥ୍ୟ ଉପଲବ୍ଧ ରହିଛି। ଏହି ୱେବ୍ ସାଇଟ୍ ମାଧ୍ୟମରେ ସ୍ୱର୍ଗଦ୍ୱାରଠାରେ ସଂସ୍କାର ସେବା ନେବାକୁ ଚାହୁଥିବା ବ୍ୟକ୍ତିମାନେ ଆବଶ୍ୟକ ତଥ୍ୟ ଅପ୍ଲୋଡ୍ କରି ବିଭିନ୍ନ ସେବା ପାଇ ପାରିବେ। ବର୍ତ୍ତମାନ ପରୀକ୍ଷାମୂଳକ ଭାବେ ଏହି ୱେବସାଇଟ୍ର ଶୁଭାରମ୍ଭ କରାଯାଇଛି। ଆବଶ୍ୟକ ଅନୁଯାୟୀ ଏଥିରେ ପରିବର୍ତ୍ତନ କରାଯିବ ବୋଲି ସ୍ୱର୍ଗଦ୍ୱାର ସେବା ସମିତି ଆବାହକ ସମ୍ପାଦକ ତଥା ଉପଜିଲ୍ଲାପାଳ ଭବତାରଣ ସାହୁ କହିଛନ୍ତି।
ପୁରୀ ସ୍ୱର୍ଗଦ୍ୱାରକୁ ଅନ୍ତିମ ସଂସ୍କାର ପାଇଁ ଆସୁଥିବା ଲୋକମାନଙ୍କୁ ସହଜରେ ସେବା ଯୋଗାଇଦେବା ଲକ୍ଷ୍ୟରେ ସ୍ୱର୍ଗଦ୍ୱାର ସେବା ସମିତି ପକ୍ଷରୁ ଏପରି ପଦକ୍ଷେପ ଗ୍ରହଣ କରାଯାଇଛି । ଅନ୍ୟପଟେ ପୂର୍ବରୁ ହରିଶ୍ଚନ୍ଦ୍ର ସହାୟତା ମଧ୍ୟ ବୃଦ୍ଧି ପାଇଛି । ପୂର୍ବରୁ ଲୋକମାନେ ଅନ୍ତିମ ସଂସ୍କାର ପାଇଁ ଦେଢ଼ କୁଇଣ୍ଟାଲ କାଠ ପାଉଥିବା ବେଳେ ଏବେ ଏକ କୁଇଣ୍ଟାଲ ୮୦ କେଜି କାଠ ପାଇବେ । ପୂର୍ବରୁ ୨୦୦ ଗ୍ରାମର ଘିଅ ପାଉଥିବା ବେଳେ ବର୍ତ୍ତମାନ ୩୦୦ ଗ୍ରାମ ଘିଅ ପାଇବେ । ସେହିପରି କାଠ ବୋହିବା ପାଇଁ ୭ ଜଣ ପରିବହନ ସେବକଙ୍କୁ ମୁତୟନ କରାଯାଇଛି ।