ବିଶ୍ବ ମଧୁମେହ ଦିବସ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ଦୀର୍ଘ ଦିନ ଧରି ସ୍ବାସ୍ଥ୍ୟ କ୍ଷେତ୍ରରେ ମଧୁମେହ ରୋଗ ଏକ ବଡ଼ ଚ୍ୟାଲେଞ୍ଜ ହୋଇ ରହିଆସିଛି । ପ୍ରାୟ ସବୁ ବୟସର ଲୋକଙ୍କଠାରେ ଏହି ରୋଗ ହେବାର ଆଶଙ୍କା ବଢୁଛି। ସ୍ୱାସ୍ଥ୍ୟ ବିଶେଷଜ୍ଞମାନଙ୍କ ଅନୁସାରେ ଯଦି ରକ୍ତରେ ଶର୍କରା ବୃଦ୍ଧି ହେତୁ ହୋଇଥିବା ମଧୁମେହକୁ ଠିକ୍ ସମୟରେ ଚିକିତ୍ସା କରା ନ ଯାଏ, ତେବେ ଅନ୍ୟାନ୍ୟ ସ୍ୱାସ୍ଥ୍ୟ ସମସ୍ୟା ହେବାର ଆଶଙ୍କା ବଢିଯାଏ । ୧୯୯୧ ମସିହାରେ ଅନ୍ତର୍ଜାତୀୟ ମଧୁମେହ ଫେଡେରେସନ୍ ଏବଂ ବିଶ୍ବ ସ୍ୱାସ୍ଥ୍ୟ ସଂଗଠନ ଦ୍ବାରା ବିଶ୍ବ ମଧୁମେହ ଦିବସ ପାଳନ କରିବାକୁ ନିଷ୍ପତ୍ତି ନିଆଯାଇଥିଲା ।

ଯାହାଦ୍ବାରା ଲୋକମାନେ ଏହି ଗୁରୁତର ରୋଗ ପ୍ରତି ବଢୁଥିବା ଚିନ୍ତା ବିଷୟରେ ଅବଗତ ହେବେ । ୨୦୦୬ ମସିହାରେ ମିଳିତ ଜାତିସଂଘ ଏକ ସଂକଳ୍ପ ପାରିତ କଲା ଏବଂ ୧୪ ନଭେମ୍ବରକୁ ବିଶ୍ୱ ମଧୁମେହ ଦିବସ ରୂପେ ପାଳନ ପାଇଁ ସ୍ଥିର କଲା । ସେବେଠାରୁ ଏହାକୁ ଆନୁଷ୍ଠାନିକ ଭାବେ ମିଳିତ ଜାତିସଂଘ ଦିବସ ତାଲିକାରେ ଅନ୍ତର୍ଭୁକ୍ତ କରାଯାଇଛି । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁସାରେ ମଧୁମେହକୁ ନିୟନ୍ତ୍ରଣ କରିବା ଏବଂ ଏହାର ବିଭିନ୍ନ ଜଟିଳତାକୁ ରୋକିବା ପାଇଁ ଜୀବନଶୈଳୀରେ ପରିବର୍ତ୍ତନ ଆଣିବା ହେଉଛି ଅନ୍ୟତମ ପ୍ରଭାବଶାଳୀ ଉପାୟ । ଏହି କ୍ରମରେ, ପ୍ରତିଦିନ ଚାଲିବାର ଅଭ୍ୟାସ କରିବା ଟାଇପ୍-୨ ମଧୁମେହ ରୋଗୀଙ୍କ ଶର୍କରା ସ୍ତରକୁ ନିୟନ୍ତ୍ରଣ କରିବାରେ ଅତ୍ୟନ୍ତ ଲାଭଦାୟକ ହୋଇଥାଏ ।

ଅଧିକାଂଶ ସ୍ୱାସ୍ଥ୍ୟ ବିଶେଷଜ୍ଞ କୁହନ୍ତି ଯେ, ପ୍ରତିଦିନ ୩୦ରୁ ୪୫ ମିନିଟ୍ ଚାଲିବା ଅଭ୍ୟାସ ଜଣେ ଡାଇବେଟିକ୍ସ ରୋଗୀଙ୍କ ପାଇଁ ସକରାତ୍ମକ ହୋଇଥାଏ । ବିଶ୍ବ ମଧୁମେହ ଦିବସ ହେଉଛି ବିଶ୍ବର ସବୁଠାରୁ ବଡ ମଧୁମେହ ସଚେତନତା ଅଭିଯାନ । ଏହି ଅଭିଯାନ ମାଧ୍ୟମରେ ୧୬୦ଟି ଦେଶରେ ୧ ବିଲିୟନରୁ ଅଧିକ ଲୋକଙ୍କୁ ମଧୁମେହ ବିଷୟରେ ସଚେତନ କରାଯାଇଛି । ବିଶ୍ବ ମଧୁମେହ ଦିବସର ଲକ୍ଷ୍ୟ ହେଉଛି ମଧୁମେହ ଉପରେ ଜନସାଧାରଣ ତଥା ରାଜନୈତିକ ଦୃଷ୍ଟି ଆକର୍ଷଣ କରି ବିଶ୍ବ ସ୍ୱାସ୍ଥ୍ୟ ସମସ୍ୟାର ସମାଧାନ ପାଇଁ ଠୋସ୍ ପଦକ୍ଷେପ ନେବାକୁ ନୀତି ନିର୍ଣ୍ଣୟକାରୀଙ୍କ ଦୃଷ୍ଟି ଆକର୍ଷଣ କରିବା ।

Leave A Reply

Your email address will not be published.