କଂଗ୍ରେସରୁ ବହିଷ୍କୃତ ହେଲେ ସୁର

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ବରିଷ୍ଠ ନେତା ତଥା ଜଟଣୀ ବିଧାୟକ ସୁରେଶ ରାଉତରାୟଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ନେଇଛି କଂଗ୍ରେସ। ବିଶୃଙ୍ଖଳା ଓ ଦଳ ବିରୋଧୀ କାର୍ଯ୍ୟ କରିଥିବାରୁ ତାଙ୍କୁ ୬ବର୍ଷ ପାଇଁ କଂଗ୍ରେସରୁ ବହିଷ୍କାର କରାଯାଇଛି।  ଏଆଇସିସି ସାଧାରଣ ସଂପାଦକ କେ ସି ବେଣୁଗୋପାଳ ଆଜି ଏକ ପ୍ରେସ୍ ରିଲିଜ୍ ଜରିଆରେ ଏହି ସୂଚନା ଦେଇଛନ୍ତି। ବିଧାୟକ ଶ୍ରୀ ରାଉତରାୟଙ୍କ ସାନ ପୁଅ ମନ୍ମଥ ରାଉତରାୟ ବିଜେଡିରୁ ଭୁବନେଶ୍ବର ସାଂସଦ ପ୍ରାର୍ଥୀ ହୋଇଛନ୍ତି। ରାଜଧାନୀର ବିଭିନ୍ନ ପାର୍କ ଓ କ୍ରୀଡ଼ା କାର୍ଯ୍ୟକ୍ରମରେ ନିଜ ପୁଅଙ୍କ ପାଇଁ କଂଗ୍ରେସରେ ରହି ସୁର ଭୋଟ୍‌ ମାଗୁଥିବାର ଅଭିଯୋଗ ହୋଇଥିଲା। ଏନେଇ କଂଗ୍ରେସ ପକ୍ଷରୁ ତାଙ୍କୁ ଦୁଇ ଦୁଇ ଥର କାରଣ ଦର୍ଶାଅ ନୋଟିସ୍ ଜାରି ହୋଇଥିଲା।

ସୁରଙ୍କୁ ଆଖିରେ ରଖି ଭୁବନେଶ୍ୱର ସଂସଦୀୟ କ୍ଷେତ୍ର ପାଇଁ ବିଜେଡି ଯେଉଁ ଅଙ୍କ କଷିଥିଲା ତାହା ବିଜେଡିକୁ ନିର୍ବାଚନ ଲଢ଼ିବା ପୂର୍ବରୁ ନିଶ୍ଚିତ ପରାଜୟ ଆଡ଼କୁ ଟାଣି ନେଇଯାଇଛି । ବିଜେଡି କେବଳ ଭୁବନେଶ୍ୱର ସଂସଦୀୟ କ୍ଷେତ୍ର ନୁହେଁ ବରଂ ବେଗୁନିଆ ଓ ଜଟଣୀ ବିଧାନସଭା ଆସନକୁ ବି ହାତଛଡ଼ା କରିବାର ଆଶଙ୍କା ଜଳଜଳ ହୋଇ ଦିଶିଲାଣି। ସୂଚନା ଅନୁସାରେ, କଂଗ୍ରେସ ବିଧାୟକ ତଥା ବରିଷ୍ଠ ନେତା ସୁର ରାଉତରାୟ ବିଶୃଙ୍ଖଳା ଓ ଦଳବିରୋଧୀ କାର୍ଯ୍ୟ ପାଇଁ କଂଗ୍ରେସରୁ ବହିଷ୍କାର ହୋଇଛନ୍ତି । ସୁରଙ୍କ ସାନପୁଅ ମନ୍ମଥ ବିଜେଡିରେ ସାମିଲ ହେବାଦିନଠୁ ସୁରଙ୍କ ପରିବାରରେ ଚାଲିଥିବା ଡ୍ରାମାରେ ପୂର୍ଣ୍ଣଚ୍ଛେଦ ପଡ଼ିନଥିବାବେଳେ ଏବେ ସୁରଙ୍କ ବହିଷ୍କାର ବିଜେଡିର ଚିନ୍ତା ବଢ଼ାଇ ଦେଇଛି । ଏପଟେ ବିଜେଡି ନିଜର ଆଗଧାଡ଼ିର ନେତ୍ରୀ ଶ୍ରୀମୟୀ ମିଶ୍ରଙ୍କୁ ଭୁବନେଶ୍ୱର ସଂସଦୀୟ କ୍ଷେତ୍ରରେ ସମ୍ଭାବ୍ୟ ସାଂସଦ ପ୍ରାର୍ଥୀ ବୋଲି କହି ୬ମାସ ବୁଲାଇବା ପରେ ଅଚାନକ ମନ୍ମଥଙ୍କୁ ଦଳରେ ସାମିଲ କରି ଲୋକସଭା ପ୍ରାର୍ଥୀ କରିବାକୁ ନେଇ ଦଳ ଭିତରେ ଅସନ୍ତୋଷ ଏବେବି ଲାଗି ରହିଛି ।

ବିଜେପିର ହେଭିୱେଟ୍ ନେତ୍ରୀ ଅପରାଜିତା ଷଡ଼ଙ୍ଗୀଙ୍କୁ ଟକ୍କର ଦେବା ପାଇଁ ଯେଉଁ ସମୀକରଣକୁ ଆଖିରେ ରଖି ଦଳ ଶ୍ରୀମୟୀଙ୍କ ପରିବର୍ତ୍ତେ ମନ୍ମଥଙ୍କୁ ଟିକେଟ୍ ଦେଲା, ତାହା ଏବେ ବୁମେରାଂ ହେଲାଣି । କାରଣ କଂଗ୍ରେସକୁ ବାଦ୍ ଦେଲେ ସୁରଙ୍କ ଅସ୍ତିତ୍ୱ ନାହିଁ ବୋଲି ବିଜେଡି ଭଲଭାବେ ଜାଣେ । ଏବେ କଂଗ୍ରେସ ନିଜର ସାଂସଦ ପ୍ରାର୍ଥୀ ଭାବେ ସଂଖ୍ୟାଲଘୁ ଚେହେରା ୟାସିର ନୱାଜଙ୍କୁ ମଇଦାନକୁ ଓହ୍ଲାଇ ଦଳୀୟ ଭୋଟକୁ ସୁରକ୍ଷିତ ରଖିବାକୁ ପ୍ରୟାସ ଆରମ୍ଭ କରିଛି । ଭୁବନେଶ୍ୱର ସଂସଦୀୟ କ୍ଷେତ୍ରରେ ପ୍ରାୟ ୪.୯% ହେଉଛନ୍ତି ମୁସଲିମ୍ ଭୋଟର । ଭୁବନେଶ୍ୱର ମହାନଗର ନିଗମ ଅଂଚଳରେ ସର୍ବାଧିକ ୩୦ହଜାର ମୁସଲିମ୍ ଲୋକ ରହୁଛନ୍ତି । ଜଟଣୀ ନିର୍ବାଚନମଣ୍ଡଳୀରେ ପ୍ରାୟ ୧୬ହଜାର ଓ ଜୟଦେବରେ ୧୧ହଜାର ମୁସଲିମ ଲୋକ ରହୁଛନ୍ତି । ଜଣେ ଯୁବ ସଂଗଠକ ଭାବେ ୟାସିରଙ୍କ ପ୍ରଭାବ ରହିଛି । ତେଣୁ ଉଭୟ ଯୁବ ଓ ମୁସଲିମ୍ ଭୋଟ ସମେତ କଂଗ୍ରେସର ନିଜସ୍ୱ ଭୋଟକୁ ସୁରକ୍ଷିତ ରଖିବାରେ ୟାସିର ସକ୍ଷମ ହେବେ ବୋଲି ଆକଳନ କରାଯାଉଛି।

Leave A Reply

Your email address will not be published.