ଲିଙ୍ଗରାଜଙ୍କ ଜାଗର ଯାତ୍ରା ପାଇଁ ବ୍ୟାପକ ପ୍ରସ୍ତୁତି

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ରାତି ପାହିଲେ ଜାଗର ।  ଏନେଇ ମହାପ୍ରଭୁ ଲିଙ୍ଗରାଜଙ୍କ ଜାଗର ଯାତ୍ରା ପାଇଁ ବ୍ୟାପକ ପ୍ରସ୍ତୁତି ଶେଷ ହୋଇଛି। ତେବେ ସମସ୍ତ ନୀତିକାନ୍ତିକୁ ଠିକ୍‌ ସମୟରେ ସୁଚାରୁ ରୂପେ କିପରି କରାଯିବ, ସେନେଇ ଗତକାଲି ଏକ ବୈଠକ ବସିଥିଲା।  ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ସହ ଆଲୋଚନା ହେବା ପରେ ବିଏମସି ପକ୍ଷରୁ ଏନେଇ ବିଜ୍ଞପ୍ତି ଜାରି କରାଯାଇଛି । ଏହାସହ ଅତିରିକ୍ତ କମିଶନରଙ୍କ ହାତରେ ସମସ୍ତ ପରିଚାଳନା ଦାୟିତ୍ବ ନ୍ୟସ୍ତ କରାଯାଇଛି । ସେହିପରି ବିଏମସି ସ୍ବାସ୍ଥ୍ୟ ଅଧିକାରୀଙ୍କୁ ଉପରୋକ୍ତ ୨ ମନ୍ଦିରର ନୋଡାଲ ଅଫିସର ଭାବେ ଦାୟିତ୍ବ ପ୍ରଦାନ କରାଯାଇଛି । ୩ଟି ସିଫ୍ଟରେ ପୁରା ଏମାକ୍ର କ୍ଷେତ୍ରରେ ସଫେଇ କରାଯିବ ।

ଏଥିଲାଗି ଶ୍ରୀଲିଙ୍ଗରାଜ ମନ୍ଦିର ଓ କପିଳେଶ୍ବରଙ୍କ ମନ୍ଦିର ଅଞ୍ଚଳରେ ଅତିରିକ୍ତ ସଫେଇକର୍ମୀ ନିୟୋଜିତ କରିବାକୁ ବିଏମସି ପକ୍ଷରୁ ଘରୋଇ ସଫେଇ ସଂସ୍ଥାକୁ ନିର୍ଦ୍ଦେଶ ଦେଇଛି । ପ୍ରତିବର୍ଷ ପରି ଚଳିତବର୍ଷ ମହାପ୍ରଭୁ ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କର ମହାଶିବରାତ୍ରୀ ଉପଲକ୍ଷେ ଏକାମ୍ର ସାଂସ୍କୃତିକ ପ୍ରକାଶନୀ ପକ୍ଷରୁ ୩୫ତମ ଜାତୀୟସ୍ତରୀୟ ଭଜନ ସମାରୋହ ଅନୁଷ୍ଠିତ ହେବ । ମୁମ୍ବାଇର ଖ୍ୟାତନାମା କଳାକାର ହେମନ୍ତ ବ୍ରୀଜୱାସି, ହୋସିୟାର ସିଂ, ଚେତନ ବ୍ରୀଜୱାସି, ପୁନମ୍ ଭାଟିଆ, ଲୋପିତା ମିଶ୍ର ଓ ଏଥି ସହ ଅନୁରାଧା ପଡ଼ୱାଲ ଓ ତାଙ୍କ ଟିମ ସହ ସଙ୍ଗୀତ ନିର୍ଦ୍ଦେଶକ ମନ୍ମଥ ମିଶ୍ରଙ୍କ ନିର୍ଦ୍ଦେଶନାରେ ଓଡ଼ିଶାର ୩୦ରୁ ଊର୍ଦ୍ଧ୍ୱ ଖ୍ୟାତନାମା କଳାକାର ଯୋଗଦେବେ । ଶ୍ରୀଲିଙ୍ଗରାଜ ଲାଇବ୍ରେରୀ ହଲ ଠାରେ ଅନୁଷ୍ଠିତ ସମ୍ମିଳନୀରେ ସଭାପତି ତଥା ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ସୁରେଶ କୁମାର ରାଉତରାୟ ଓ ସମ୍ପାଦକ ସନତ ମିଶ୍ର ଏହି ସୂଚନା ଦେଇଛନ୍ତି ।

ଦିନ ରାତି ୧୦ରେ ମହାଦୀପ ଉଠିବ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଛି। ଅନ୍ୟପଟେ ମନ୍ଦିରରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ମହାଶିବରାତ୍ରୀ ଦିନ ଲିଙ୍ଗରାଜ ଭଜନ ମଣ୍ଡପରେ ଭୋର ୪ ଘଟିକାରୁ ଶଙ୍ଖଧ୍ବନି, ବେଦପାଠ, ଶିବ ସହସ୍ର ନାମ, ଭାଗବତ ଗୀତାପାଠ, ଶିବ ଚେତନା, ହରିହର ଭଜନ, ରାମ ଚରିତ ମାନସ ପରାୟଣ, ପ୍ରବଚନ ପରେ ସନ୍ଧ୍ୟା ୭ଟାରୁ ଭୋର ୫ଟା ପର୍ଯ୍ୟନ୍ତ ଜାତୀୟ ସ୍ତରୀୟ ଭଜନ ସମାରୋହ ହେବ । ଉତ୍ସବରେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ, ବିଭିନ୍ନ ମନ୍ତ୍ରୀ ଓ ବିଧାୟକ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ରହି ସଂଗୀତ ଜଗତର ଖ୍ୟାତନାମା କଳାକାର ଓ ବିଶିଷ୍ଟ ବ୍ୟକ୍ତିଙ୍କୁ ସମ୍ମାନିତ କରିବେ ।

Leave A Reply

Your email address will not be published.