ରେଳ ଦୁର୍ଘଟଣାରୁ ଅଳ୍ପକେ ବର୍ତିଲେ ଯାତ୍ରୀ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ବାରିପଦାର ଷ୍ଟେସନ ବଜାର ଠାରେ ବସ ଧକ୍କା ଦେବାରୁ ରେଳ ଫାଟକ ଭାଙ୍ଗି ଯାଇଛି। ତେବେ ରେଳ ଦୁର୍ଘଟଣାରୁ ବସ ଯାତ୍ରୀ ମାନେ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ସୂଚନା ଅନୁଯାୟୀ, ମଙ୍ଗଳବାର ଅପରାନ୍ହ ସମୟରେ ବାଲେଶ୍ଵର-ବାଙ୍ଗିରିପୋଷି ଡିଏମୟୁ ଟ୍ରେନ ନିମନ୍ତେ ଷ୍ଟେସନ ବଜାର ସ୍ଥିତ ରେଳ ଫାଟକ ବନ୍ଦ କରାଯାଇଥିଲା।

ଉକ୍ତ ସମୟରେ ରେଳ ଫାଟକ ବନ୍ଦ ହେଉଥିବା ବେଳେ ମା ସନ୍ତୋଷି ନାମକ ଯାତ୍ରୀବାହୀ ବସ ଜୋର ଜବରଦସ୍ତ ଫାଟକ ମଧ୍ୟରେ ପ୍ରବେଶ କରିଥିଲା। ଯାହା ଫଳରେ ଗୋଟେ ପାର୍ଶ୍ୱର ଫାଟକଟି ବସ ଉପରେ ଲାଗି ଯାଇଥିଲା। ଏଥିପରେ ମଧ୍ୟ ବସଟି ଜୋର ଜବରଦସ୍ତ ଫାଟକ ପାର କରିବାକୁ ଚେଷ୍ଟା କରିବାରୁ ବସ ଉପରେ ଥିବା ଲଗେଜ କ୍ୟାରିଅର ଭାଙ୍ଗି ଯାଇଥିଲା। ଇତି ମଧ୍ୟରେ ଟ୍ରେନଟି ଆସିଯାଇଥିବା ବେଳେ ଭାଗ୍ୟବଶତଃ ରେଳ ଧାରଣାରୁ ବସଟି କଡ଼ ହେଇ ଯିବାରୁ ଅଘଟଣରୁ ବସ ଯାତ୍ରୀ ମାନେ ବର୍ତ୍ତି ଯାଇଛନ୍ତି।

ଘଟଣାସ୍ଥଳରେ ଅନେକ ସମୟ ଧରି ଉଭୟ ପାର୍ଶ୍ଵରେ ଶହ ଶହ ଗାଡି ମୋଟର ଅଟକି ରହିଥିଲା। ରେଳ ବିଭାଗର ପୁଲିସ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ ପ୍ରକ୍ରିୟା କରିବା ସହ ଭିଡ଼କୁ ନିୟନ୍ତ୍ରଣ କରିଥିଲେ। ତେବେ ବସ ଚାଳକଙ୍କ ତ୍ରୁଟିପୂର୍ଣ୍ଣ ଚାଳନା ଯୋଗୁଁ ବଡ଼ ଅଘଟଣ ଘଟିବାକୁ ଯାଉଥିବା ବେଳେ ଯାତ୍ରୀ ବର୍ତ୍ତି ଯାଇଛନ୍ତି।

Leave A Reply

Your email address will not be published.