ସରିଲା ପଞ୍ଚାୟତ ନିର୍ବାଚନ:ଚଳିତ ଥର ମାଓ ଇଲାକାରେ ମଧ୍ୟ ଶାନ୍ତିଶୃଙ୍ଖଳା ସହ ମତଦାନ ହୋଇଛି

0

ଭୁବନେଶ୍ୱର(ଓଡ଼ିଆ ନ୍ୟୁଜ୍)  ସରିଲା ପଞ୍ଚାୟତ ନିର୍ବାଚନ। ପାଞ୍ଚଟି ପର୍ଯ୍ୟାୟରେ ଅନୁଷ୍ଠିତ ହୋଇଥିଲା । ଶେଷ ପର୍ଯ୍ୟାୟ ଭୋଟ୍ ରେ 70 ପ୍ରତିଶତ ମତଦାନ ହୋଇଛି। ଗୁରୁତ୍ୱପୂର୍ଣ୍ଣ କଥା ହେଲା ମାଓ ଇଲାକାରେ ମଧ୍ୟ ଶାନ୍ତିଶୃଙ୍ଖଳା ସହ ପଞ୍ଚାୟତ ନିର୍ବାଚନ ହୋଇଛି। ମାଲକାନଗିରି ଜିଲ୍ଲାରେ ଚିତ୍ରକୋଣ୍ଡା ବ୍ଲକରେ ସ୍ୱାଭିମାନ ଅଞ୍ଚଳରେ ଶାନ୍ତିଶୃଙ୍ଖଳା ସହ ମତଦାନ ଶେଷ ହୋଇଛି। ଏହା ସହ ସ୍ୱାଭିମାନ ଅଞ୍ଚଳରେ ଭଲ ଭୋଟିଂ ମଧ୍ୟ ହୋଇଛି। ଗତ ପଞ୍ଚାୟତ ନିର୍ବାଚନରେ ସ୍ୱାଭିମାନ ଅଞ୍ଚଳରେ ଭୋଟ୍ ହୋଇପାରିନଥିଲା।

ଚଳିତ ନିର୍ବାଚନରେ ମୋଟ 91 ହଜାର 913 ବୁଥରେ 1 ଲକ୍ଷ 6 ହଜାର 353 ପଦବୀ ପାଇଁ ନିର୍ବାଚନ ହୋଇଥିଲା। ଚଳିତ ନିର୍ବାଚନରେ 36 ହଜାର 523 ୱାର୍ଡ ମେମ୍ବର,126 ଜଣ ସରପଞ୍ଚ,326 ଜଣ ପଞ୍ଚାୟତ ସମିତି ସଭ୍ୟ ଏବଂ ଜଣେ ଜିଲ୍ଲା ପରିଷଦ ସଭ୍ୟ ନିର୍ଦ୍ୱନ୍ଦରେ ନିର୍ବାଚିତ ହେବା ପରେ ବାକି ଥିବା ପଦବୀ ପାଇଁ ନିର୍ବାଚନ ହୋଇଥିଲା। 3339 ଜଣ ଜିଲ୍ଲା ପରିଷଦ ପ୍ରାର୍ଥୀ ନିର୍ବାଚନରେ ପ୍ରତିଦ୍ବନ୍ଦିତା କରିଥିଲେ। ସେହିପରି ସରପଞ୍ଚ ପାଇଁ 32860 , ପଂଚାୟତ ସମିତି ସଭ୍ୟ ପାଇଁ 27 ହଜାର 34 ଜଣ ପ୍ରାର୍ଥୀ ପ୍ରତିଦ୍ବନ୍ଦିତା କରୁଥିଲେ। ଗତ 16 ତାରିଖରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ହୋଇଥିଲା। ଏଥିରେ ୭୭.୨% ମତ ଦାନ ହୋଇଥିଲା । ସେହିଭଳି ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନରେ ୭୮.୩% ମତଦାନ ହୋଇଥିଲା । ତୃତୀୟ ପର୍ଯ୍ୟାୟ ନିର୍ବାଚନରେ
78.6ପ୍ରତିଶତ ମତଦାନ ହୋଇଥିଲା। ଚତୁର୍ଥ ପର୍ଯ୍ୟାୟ ନିର୍ବାଚନରେ 79 % ମତଦାନ ହୋଇଥିଲା। ଆଜି ପଞ୍ଚମ ପର୍ଯ୍ୟାୟରେ 70 ପ୍ରତିଶତ ମତଦାନ ହୋଇଛି। ଅନ୍ୟ ପକ୍ଷରେ ଉପକୂଳ ଓଡ଼ିଶାର ଯାଜପୁର,ପୁରୀ ସମେତ କିଛି ଜିଲାରେ ନିର୍ବାଚନୀ ହିଂସା ଦେଖିବାକୁ ମିଳିଥିଲା। ଆସନ୍ତା 26,27,28 ରେ ଭୋଟ ଗଣତି ହେବ।

ଆଜି ପଞ୍ଚମ ପର୍ଯ୍ୟାୟରେ ପୁଣି କିଛି ଜାଗାରେ ବିଶୃଙ୍ଖଳା ଘଟିଥିଲା । ଧାମନଗର ବ୍ଲକରେରେ ପୁଣି ନିର୍ବାଚନୀ ବିଶୃଙ୍ଖଳା । କଟ ସାହି ପଞ୍ଚାୟତର ୧ ନମ୍ବର ୱାର୍ଡର ଭୋଟ ରିଗିଂ ନେଇ ବୁଥରେ ଉତ୍ତେଜନା ଲାଗି ରହିଥିଲା। ଏହି ବୁଥର ପୁଲିଂ ଏଜେଣ୍ଟଙ୍କୁ ଆକ୍ରମଣ  ହୋଇଥିବା ଅଭିଯୋଗ ହୋଇଛି।  ଗଣ୍ଡଗୋଳ ପରିସ୍ଥିତି ଭିତରେ ବାଲାଟ ପେପର ନେଇ କିଛି ଦୁର୍ବୃତ୍ତ ପଳାଇଥିବା ଅଭିଯୋଗ ହୋଇଛି। ଏହି ବୁଥରେ ବର୍ତ୍ତମାନ ସମୟରେ ଭୋଟ ଦାନ ବନ୍ଦ ଥିବା ସୂଚନା ମିଳିଛି। ବିଶୃଙ୍ଖଳା ଘଟାଇଥିବା କିଛି ଲୋକଙ୍କୁ ଅଟକ ରଖିଛି ପୋଲିସ ।

ସେହିପରି କଟକ ଜିଲ୍ଲା ନିଆଳି ବ୍ଳକର ପୋଖରୀ ଗାଁ ପଞ୍ଚାୟତ ୮ ନମ୍ବର ବୁଥରେ ମତଦାନ ବନ୍ଦ। ଜବରଦସ୍ତ ମତଦାନ ଅଭିଯୋଗ  ପରେ ମତଦାନ ବନ୍ଦ ରହିଛି। ଏହା ସହ ନିଆଳି ପୋଖରୀ ଗାଁ ୧୯ ନମ୍ବର ବୁଥର ଭୋଟ ବାକ୍ସ ପୋଖରୀରେ ଫିଙ୍ଗି ଦେଇଛନ୍ତି  ଦୁବୃତ୍ତ। ଏଥିପାଇଁ ଅଧାରୁ ଅଟକି ରହିଛି ମତଦାନ। ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି। ପୋଖରୀ ଗାଁରେ ଗ୍ରାମବାସୀ ମାନେ  ରାସ୍ତା ଅବରୋଧ କରିଥିଲେ।

Leave A Reply

Your email address will not be published.