ପ୍ରଥମ ଥର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ୨୧ ତୋପ ସଲାମୀ ଦେବ ଆମେରିକା

0

ଓଡ଼ିଆ ନ୍ୟୁଜ(ବ୍ୟୁରୋ): ଆସନ୍ତା ୨୧ ରୁ ୨୩ ଜୁନ୍ ପର୍ଯ୍ୟନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯିବେ ଆମେରିକା ଗସ୍ତରେ। ମୋଦିଙ୍କୁ ସ୍ବାଗତ କରିବା ପାଇଁ ବାଇଡେନ ପ୍ରଶାସନ ଏବେ ଅପେକ୍ଷାରେ । ତେବେ ପ୍ରଧାମନ୍ତ୍ରୀ ମୋଦିଙ୍କ ଏହି ଗସ୍ତକୁ ଅତି ସ୍ବତନ୍ତ୍ର ବୋଲି କୁହାଯାଉଛି। କାରଣ ପ୍ରଧାନମନ୍ତ୍ରୀଙ୍କୁ ଆମେରିକା ରାଷ୍ରପତି ଭବନ ହ୍ବାଇଟ ହାଉସରେ ୨୧ ତୋପ ସଲାମୀ ଦିଆଯିବା। ଏହା ପରେ ରାଷ୍ଟ୍ରପତି ଜୋ- ବାଇଡେନ ଓ ଫାଷ୍ଟ ଲେଡି ଡା.ଲିଜ ବାଇଡେନଙ୍କ ପକ୍ଷରୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ସମ୍ମାନରେ ଏକ ରାଜକୀୟ ଭୋଜନ ହେବ। ଗୋଟେ ପଟେ ଚୀନ୍‌-ଆମେରିକାର ଶୀତଳ ଯୁଦ୍ଧ ଅନ୍ୟପଟେ ଭାରତ ଏବଂ ଆମେରିକାର ସମ୍ପର୍କକୁ ନେଇ ଏହି ଗସ୍ତ ଗୁରୁତ୍ବପୂର୍ଣ୍ଣ ମନେ ହେଉଛି । ରୁଷ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଚାଲିଥିବା ବେଳେ ଭାରତର ଆମେରିକା ଗସ୍ତକୁ ଚୀନ ଏବଂ ଋଷ ମଧ୍ୟ ନଜର ରଖିଛନ୍ତି । ଭାରତ ବିଶ୍ବ ଶକ୍ତି କେନ୍ଦ୍ର ହୋଇଥିବା ବେଳେ ମୋଦିଙ୍କ ଗସ୍ତ ବିଶ୍ବନେତାଙ୍କ ପାଇଁ ଅନେକ ଚର୍ଚାର ଖୋରାକ ଯୋଗାଇଛି । ଭାରତ-ଆମେରିକା ସମ୍ପର୍କ ଗତ ଦଶ ବର୍ଷରେ ବଢ଼ିଛି । ୨୦୧୪ ରେ ପ୍ରଧାନମନ୍ତ୍ରୀ ମୋଦୀ ଶାସନ ଗ୍ରହଣ କରିବା ପରଠାରୁ ଏହା ଅଧିକ ଦୃଢ଼ ହୋଇଛି। ୨୦୧୪ ପରଠାରୁ ଆମେରିକାର ତିନିଜଣ ରାଷ୍ଟ୍ରପତି-ବାରାକ ଓବାମା, ଡୋନାଲ୍ଡ ଟ୍ରମ୍ପ ଏବଂ ଜୋ ବାଇଡେନଙ୍କ ସହ ମୋଦିଙ୍କ ବନ୍ଧୁତା ବଢ଼ିଛି । ଯାହାକୁ ବିଶ୍ବାବାସୀ ମଧ୍ୟ ଅନୁଭବ କରିଛନ୍ତି । ମୋଦୀ ଏହି ତିନି ନେତାଙ୍କ ସହ ଭଲ ସମ୍ପର୍କ ବଜାୟ ରଖିବାରେ ସଫଳ ହୋଇଥିବାରୁ ଏହା ଚୀନ ଏବଂ ପାକିସ୍ତାନ ପାଇଁ ମୁଣ୍ଡ ବ୍ୟଥାର କାରଣ ହୋଇଛି ।

ପ୍ରଧାନମନ୍ତ୍ରୀ ମୋଦିଙ୍କ ଆମେରିକା ଗସ୍ତ ଏଥର ଇତିହାସ ରଚିବାକୁ ଯାଉଛି । ଆମେରିକାର କଂଗ୍ରେସକୁ ଦୁଇଥର ସମ୍ବୋଧିତ କରିବାରେ ପ୍ରଥମ ଭାରତୀୟ ପ୍ରଧାନମନ୍ତ୍ରୀ ହେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀ ମୋଦୀ ଦ୍ୱିତୀୟ ଥର ପାଇଁ ଆମେରିକା କଂଗ୍ରେସର ମିଳିତ ଅଧିବେଶନକୁ ସମ୍ବୋଧିତ କରିବେ । ଦୁଇଥର ଏପରି କରିଥିବା ସେ ହେଉଛନ୍ତି ପ୍ରଥମ ଭାରତୀୟ ପ୍ରଧାନମନ୍ତ୍ରୀ। ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ତିନି ଥର ସମ୍ବୋଧନ କରିଛନ୍ତି । ପିଏମ ମୋଦୀଙ୍କୁ ଆମେରିକା ପକ୍ଷରୁ ଦିଆଯାଇଥିବା ଏହି ସମ୍ମାନ ଆମେରିକାରେ ଭାରତର ଦ୍ୱିପାକ୍ଷିକ ସମ୍ମାନ ଏବଂ ସମର୍ଥନ ଦର୍ଶାଉଛି ବୋଲି ରାଜନୀତି ବିଶେଷଜ୍ଞମାନେ ଚର୍ଚା କରୁଛନ୍ତି । ମୋଦିଙ୍କ ସହ ବାଇଡେନଙ୍କ ବନ୍ଧୁତାକୁ ନେଇ ମଧ୍ୟ ବିଶ୍ବରେ ଚର୍ଚା ହେଉଛି । ଗତ ମାସରେ ଜାପାନରେ ଅନୁଷ୍ଠିତ G7 ଶିଖର ସମ୍ମିଳନୀରେ ଆମେରିକାର ରାଷ୍ଟ୍ରପତି ବାଇଡେନ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନିକଟକୁ ଯାଇଥିଲେ ଏବଂ ଦୁଇ ନେତା ଉଷ୍ମ ଆଲିଙ୍ଗନ କରିଥିଲେ, ଯାହାର ଭିଡିଓ ଭାଇରାଲ ହୋଇଥିଲା। ଦୁଇ ନେତାଙ୍କ ଦ୍ୱାରା ଆଲେଚାନା ଏହା ଦର୍ଶାଉଛି ଯେ ଦୁଇ ଦେଶ ମଧ୍ୟରେ ସଫଳ ଦ୍ୱିପାକ୍ଷିକ ସମ୍ପର୍କ ଦୃଢ଼ିଭୂତ ହେବା ସହ ଆମେରିକା ଏସିଆ-ପ୍ରଶାନ୍ତ ମହାସାଗର ଅଞ୍ଚଳରେ ଭାରତ ଆଡକୁ ଢ଼ଳୁଛି । ଆମେରିକାର ସଂପର୍କ ଚୀନ ସହ ଭଲ ନାହିଁ । ଚୀନର ସଂପର୍କ ତାର ପଡୋଶୀ ଦେଶମାନଙ୍କ ସହ ଭଲ ନାହିଁ । ଚୀନର ଆଧିପତ୍ୟକୁ କମ କରିବା ପାଇଁ ଆମେରିକା ମୋଦିଙ୍କୁ ଅଧିକ ଗୁରୁତ୍ବ ଦେଉଛି । ଆମେରିକା ଏବେ ବିଶ୍ବରେ ଭାରତକୁ ଏକ ସହଯୋଗୀ ରୂପେ ଦେଖୁଛି ଯିଏ କି ଚୀନର ନାଲି ଆଖିକୁ ଡରୁନାହିଁ ।

ଆମେରିକା-ଭାରତ ଦୁଇଟି ବଡ଼ ଗଣତାନ୍ତ୍ରୀକ ଦେଶ । ଦୁଇ ଦେଶର ସଂପର୍କ ବିଶ୍ବ ଅର୍ଥନୀତି ଉପରେ ବଡ଼ ପ୍ରଭାବ ପକାଇଥାଏ । ଭାରତ-ଆମେରିକାର ବାଣିଜ୍ୟ ବର୍ତ୍ତମାନ ୧୯୦ ବିଲିୟନ ଡ଼ଲାରରେ ରହିଛି । ଆଗକୁ ବାର୍ଷିକ 500 ବିଲିୟନ ଡ଼ଲାରରେ ପହଁଚାଇବାକୁ ଦୁଇ ଦେଶର ନେତା ଚାହୁଁଛନ୍ତି । ଇ-ବାଣିଜ୍ୟ, ଯୋଗାଣ ଶୃଙ୍ଖଳା ଉତ୍ପାଦନ, ଡିଜିଟାଲ ଅର୍ଥନୀତି, ଫିନଟେକ୍, ଶକ୍ତି ଏବଂ ଏରୋସ୍ପେସ୍ ଭଳି ପ୍ରତିରକ୍ଷା କ୍ଷେତ୍ରରେ ଭାରତ ଏବଂ ଆମେରିକାର ବାଣିଜ୍ୟ ସମ୍ଭାବନା ରହିଛି। ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ଅନ୍ତର୍ଜାତୀୟ ବାଣିଜ୍ୟ କେନ୍ଦ୍ରରେ ଏକ ସମାବେଶକୁ ସମ୍ବୋଧିତ କରିବାର ସମ୍ଭାବନା ରହିଛି। ପିଏମ ମୋଦୀଙ୍କ ଗସ୍ତ ସମୟରେ ପ୍ରତିରକ୍ଷା କ୍ଷେତ୍ରରେ ମଧ୍ୟ ଚୁକ୍ତି ହେବାର ସଂଭାବନା ରହିଛି । ଭାରତୀୟ ଯୁଦ୍ଧ ବିମାନରେ ବ୍ୟବହୃତ ଆମେରିକୀୟ ଜେଟ ଇଞ୍ଜିନର ଘରୋଇ ଉତ୍ପାଦନ ପାଇଁ ଜେନେରାଲ ଇଲେକ୍ଟ୍ରିକ୍ (ଜିଓ) ଏବଂ ହିନ୍ଦୁସ୍ତାନ ଏରୋନେଟିକ୍ସ ମଧ୍ୟରେ ସ୍ୱାକ୍ଷର ହେବ ବୋଲି ଆଶା କରାଯାଉଛି। ଯଦି ଏହା ଘଟେ, ତେବେ ଏହା ମେକ୍ ଇନ୍ ଇଣ୍ଡିଆ ପାଇଁ ଏକ ଭଲ ଖବର ହେବ । ପ୍ରତିରକ୍ଷା କ୍ଷେତ୍ରରେ ବ୍ୟବସାୟ ୨୨,୦୦୦ କୋଟି ହେବ ବୋଲି ଏକ ଆକଳନ କରାଯାଇଛି। ଏହା ସହ ପ୍ରଧାନମନ୍ତ୍ରୀ ମୋଦୀ ଜୁନ୍ ୨୩ ରେ ଭାରତୀୟ ଆମେରିକୀୟଙ୍କୁ ଏକ ସମାବେଶକୁ ସମ୍ବୋଧିତ କରିବେ। ଆମେରିକାର ଇଣ୍ଡିଆ କମ୍ୟୁନିଟି ଫାଉଣ୍ଡେସନ୍ ଦ୍ୱାରା ଏହି କାର୍ଯ୍ୟକ୍ରମ ଆୟୋଜିତ ହେବ । ଆସନ୍ତା ବର୍ଷ ଉଭୟ ଭାରତ ଏବଂ ଆମେରିକା ସାଧାରଣ ନିର୍ବାଚନକୁ ସାମନା କରିବେ । ପ୍ରଧାନମନ୍ତ୍ରୀ ମୋଦୀ ତୃତୀୟ ଥର ପାଇଁ ଚାହୁଁଛନ୍ତି ସରକାର ଗଠନ କରିବାକୁ । ରାଷ୍ଟ୍ରପତି ଜୋ ବାଇଡେନ ଦ୍ୱିତୀୟ ଥର ପାଇଁ ଲକ୍ଷ୍ୟ ରଖିଛନ୍ତି ଆମେରିକାରେ ସରକାର ଗଠନ କରିବାକୁ । ତେଣୁ ଏହି ଗସ୍ତରେ ପ୍ରଧାନମନ୍ତ୍ରୀ ମୋଦୀ ଭାରତୀୟ ଏବଂ ବିଶ୍ୱକୁ ଦେଖାଇବାକୁ ଚାହଁବେ ତାଙ୍କର ଆଧିପତ୍ୟ । ଯାହାକୁ ତାଙ୍କର ଛବିକୁ ଭାରତ ଏବଂ ବିଶ୍ବରେ ଅଧିକ ସମ୍ମାନ ଦେବ ।

Leave A Reply

Your email address will not be published.