ଆଖି ବୁଜିଲେ ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ବାଳ: ଅସୁସ୍ଥ ହୋଇ ଘରୋଇ ଚିକିତ୍ସାଳୟରେ ହେଉଥିଲେ ଚିକିତ୍ସିତ

0

ଓଡିଆ ନ୍ୟୁଜ୍(ବ୍ୟୁରୋ):ଆରପାରିରେ ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ବାଳ। କିଛି ଦିନ ହେବ ଅସୁସ୍ଥ ହୋଇ  ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ ହେମାନନ୍ଦ । ଆଜି ତାଙ୍କର  ଦେହାନ୍ତ ନେଇ ତାଙ୍କ ଝିଅ ସୁନିତା ବିଶ୍ବାଳ  ସୂଚନା ଦେଇଛନ୍ତି। ମ୍‌ତ୍ୟୁ ବେଳକୁ  ହେମାନନ୍ଦଙ୍କୁ  ୮୩ ବର୍ଷ ବୟସ ହୋଇଥିବା ସୂଚନା ମଳିଛି।

ସୁନ୍ଦରଗଡ଼ ଜିଲ୍ଲା ଲଇକେରା ଆସନରୁ ସେ ଛଅ ଥର ବିଧାୟକ ହୋଇଥିଲେ । ୧୯୭୪ ମସିହାରେ ପ୍ରଥମ ଥର କଂଗ୍ରେସ ଆସନରୁ ବିଧାୟକ ହୋଇଥିଲେ । ପରେ ୧୯୮୦ରୁ ୨୦୦୪ ଯାଏ କ୍ରମାଗତ ୫ ଥର ନିର୍ବାଚନ ଜିତି ଆସିଥିଲେ ବିଧାନସଭା । ଦୁଇ ଥର ମୁଖ୍ୟମନ୍ତ୍ରୀ ଥିଲେ ହେମାନନ୍ଦ ବିଶ୍ୱାଳ । ୧୯୮୯ ଡିସେମ୍ବର ୭ ତାରିଖରୁ ୧୯୯୦ ମାର୍ଚ୍ଚ ୩ ତାରିଖ ଯାଏ ପ୍ରଥମ ମୁଖ୍ୟମନ୍ତ୍ରୀ ହୋଇଥିଲେ । ପରେ ୧୯୯୯ ଡିସେମ୍ବର ୬ରୁ ୨୦୦୦ ମାର୍ଚ୍ଚ ୫ ତାରିଖ ଯାଏ ଦ୍ୱିତୀୟ ଥର ହୋଇଥିଲେ ମୁଖ୍ୟମନ୍ତ୍ରୀ । ୧୯୯୫ ମାର୍ଚ୍ଚ ୧୫ରୁ ୧୯୯୮ ମେ ୯ ତାରିଖ ଯାଏ ଥିଲେ ଉପ-ମୁଖ୍ୟମନ୍ତ୍ରୀ । ସେ ଗୃହ, ଖଣି ଓ ଇସ୍ପାତ, ଅନୁସୂଚିତ ଜାତି ଓ ଜନଜାତି, ସ୍ୱାସ୍ଥ୍ୟ, ଗୃହ ନିର୍ମାଣ, ଶିଳ୍ପ, ପୂର୍ତ୍ତ ବିଭାଗ ମନ୍ତ୍ରୀ ବି ଥିଲେ ହେମାନନ୍ଦ ବିଶ୍ୱାଳ ।

କିଛି ଦିନ  ତଳେ ଶ୍ରୀ ବିଶ୍ବାଳ ଝାରସୁଗୁଡ଼ାର ନିଜ ଗାଁ ଠାକୁରପଡ଼ାରେ ପ୍ରାତଃ ଭ୍ରମଣ କରୁଥିଲା ବେଳେ ତଳେ ପଡ଼ିଯାଇଥିଲେ। ସେତେବେଳେ ସ୍ଥାନୀୟ ହସ୍ପିଟାଲ୍‌‌ରେ ଚିକିତ୍ସିତ ହୋଇ ଘରକୁ ଫେରିଥିଲେ। କିନ୍ତୁ ପରେ ତାଙ୍କୁ ଜ୍ବର ହୋଇଥିଲା ଓ ସେ ଅତ୍ୟନ୍ତ ଦୁର୍ବଳ ଅନୁଭବ କରିଥିଲେ। ତାହା ପରେ ତାଙ୍କୁ ଭୁବନେଶ୍ବର ଅଣାଯାଇ ସମ୍ ଅଲ୍ଟିମେଟ୍‌ରେ ଭର୍ତ୍ତି କରାଯାଇଥିଲା।  ସେତେବେଳେ ସେ ବିପଦମୁକ୍ତ  ଥିବା ସୂଚନା ମିଳିଥିଲା । କିନ୍ତୁ ଦୁର୍ବଳ ଅନୁଭବ କରୁଥିବାରୁ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଥିଲେ ବୋଲି ତାଙ୍କ ଝିଅ ସୁନିତା ବିଶ୍ବାଳ ସୂଚନା ଦେଇଥିଲେ । କିନ୍ତୁ ତା ପରଠାରୁ ହେମାନନ୍ଦଙ୍କ ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ଆସୁନଥିବାର ପରିଲିଖିତ ହୋଇଥିଲା। ଯାହା ଫଳରେ ଆଜି ତାଙ୍କର ଦେହାନ୍ତ ହୋଇଛି।

ହେମାନନ୍ଦଙ୍କ  ବିୟୋଗରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳି ଯାଇଛି । ଶୋକ ପ୍ରକାଶ କରିଛନ୍ତି ବହୁ ମାନ୍ୟଗଣ୍ୟ  ଓ ବିଶିଷ୍ଟ ବ୍ୟକ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.