ପରୋକ୍ଷରେ ପାଇଲଟ କ୍ୟାମ୍ପକୁ ଟାର୍ଗେଟ କଲେ ଗେହଲୋଟ, କହିଲେ ବିଜେପିଠାରୁ ଯେଉଁ ଟଙ୍କା ନେଇଛ ଫେରାଇଦିଅ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଆଜି ପରୋକ୍ଷରେ ସଚିନ ପାଇଲଟଙ୍କ କ୍ୟାମ୍ପକୁ ଟାର୍ଗେଟ କରିଛନ୍ତି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ । ସେ ବିଦ୍ରୋହ ପାଇଁ ବିଜେପିରୁ କୋଟି କୋଟି ଟଙ୍କା ନେଇଥିବା ଅଭିଯୋଗକୁ ଦୋହରାଇଛନ୍ତି। ଏହା ସହ ଅମିତ ଶାହାଙ୍କୁ ଟଙ୍କା ଫେରସ୍ତ କରିବାକୁ ମଧ୍ୟ ପରାମର୍ଶ ଦେଇଛନ୍ତି । ରବିବାର ଦିନ, ଧୌଲପୁରର ରାଜଖେଡାରେ ଗେହଲୋଟ୍ କହିଛନ୍ତି- ସେହି ସମୟରେ(ବିଦ୍ରୋହ) ଆମ ବିଧାୟକମାନଙ୍କୁ ୧୦ ରୁ ୨୦ କୋଟି ଟଙ୍କା ବଣ୍ଟନ କରାଯାଇଥିଲା । ସେହି ଟଙ୍କା ଅମିତ ଶାହାଙ୍କୁ ଫେରସ୍ତ କରାଯିବା ଉଚିତ୍। ଗେହଲୋଟ କହିଛନ୍ତି ଯେ, ଅମିତ ଶାହା, ଧର୍ମେନ୍ଦ୍ର ପ୍ରଧାନ ଏବଂ ଗଜେନ୍ଦ୍ର ସିଂ ଶେଖାୱତ ସମସ୍ତେ ମିଶି ଆମ ସରକାରକୁ ହଟାଇବାକୁ ଷଡଯନ୍ତ୍ର କରିଥିଲେ । ରାଜସ୍ଥାନର ବିଧାୟକମାନଙ୍କୁ ଟଙ୍କା ବଣ୍ଟନ କରାଯାଇଥିଲା। ତେବେ ମୁଁ ଚିନ୍ତିତ, ସେମାନେ କାହିଁକି ଟଙ୍କା ନେଉନାହାନ୍ତି? ମୁଁ ଆମର ବିଧାୟକମାନଙ୍କୁ ମଧ୍ୟ କହିଥିଲି ଯେ ଯିଏ ୧୦-୨୦ କୋଟି ନେଇଛ ଓ ଯଦି ସେଥିରୁ କିଛି ଖର୍ଚ୍ଚ କରିସାରିଛି, ତେବେ ମୁଁ ସେହି ଟଙ୍କା ଦେଇଦେବି । ମୁଁ ଏହାକୁ ଏଆଇସିସିରୁ କେମିତି ମିଳିବ ସେ ବ୍ୟବସ୍ଥା କରିଦେବି । ତୁମେ ଅମିତ ଶାହାଙ୍କୁ ଟଙ୍କା ଫେରସ୍ତ କର । ସେ କହିଛନ୍ତି, ଯଦି ଆପଣ ୧୦ କୋଟି ନେଇଛନ୍ତି ତେବେ ୧୦ କୋଟି, ଯଦି ଆପଣ ୧୫ କୋଟି ନେଇଛନ୍ତି ତେବେ ତାଙ୍କୁ ୧୫ କୋଟି ଟଙ୍କା ଫେରସ୍ତ କରନ୍ତୁ । ତାଙ୍କ ଟଙ୍କା ରଖନ୍ତୁ ନାହିଁ ।

ଯଦି ଆପଣ ତାଙ୍କ ଟଙ୍କା ରଖନ୍ତି, ସେ ସର୍ବଦା ଆପଣଙ୍କ ଉପରେ ଚାପ ପକାଇବେ । ସେ ମଧ୍ୟ ଗୃହମନ୍ତ୍ରୀ, ଗୁଜୁରାଟରେ ସେ ଯେପରି ଧମକ ଦେଇ ଭୟଭୀତ କରାଉଛନ୍ତି, ସେଭଳି ତୁମ ସହ କରିବେ । ଗେହଲୋଟ୍ କହିଛନ୍ତି- ମୁଁ ବିଧାୟକମାନଙ୍କୁ କହିଛି, ଯଦି ଭୁଲ କରିଛ, କିଛି ଅସୁବିଧା ନାହିଁ । ସେସବୁକୁ ଭୁଲିଯାଅ । ଯଦି ତୁମେ କୋଟିଏ କି ଦୁଇ କୋଟି ଟଙ୍କା ଖର୍ଚ୍ଚ କରିଛ, ତେବେ ମୋତେ କୁହ । କଂଗ୍ରେସ ସଭାପତିଙ୍କୁ କହି ମୁଁ ଟଙ୍କା ଯୋଗାଇବି । ତାଙ୍କ ଟଙ୍କା ଫେରସ୍ତ କରିଦିଅ, ଯାହା ଦ୍ୱାରା ସ୍ୱାଧୀନ ଭାବରେ କାମ କରିପାରିବେ ।

Leave A Reply

Your email address will not be published.