ସାନ ଭିମସେନ ବାବାଙ୍କୁ ତ୍ୟାଗ ଭିକ୍ଷା ପ୍ରଦାନ କାର୍ଯ୍ୟକ୍ରମ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ଅଲେଖ ମହିମା ଧର୍ମାବଲମ୍ବୀ ସନ୍ୟାସୀ ପରମ୍ପରା ଅନୁଯାୟୀ ନିଜ ପିତାମାତାଙ୍କଠାରୁ ଶେଷ ଭିକ୍ଷା ପାଇଁ ୪୧ ବର୍ଷ ପରେ ଗାଁକୁ ଫେରିଲେ ସନ୍ୟାସୀ | ନିଜ ପରିବାରଲୋକଙ୍କଠାରୁ ଶେଷ ଭିକ୍ଷା ପାଇଁ। ସୁଚନା ଅନୁସାରେ ତରାଇଲୋ ଗ୍ରାମର ପୂର୍ଣ୍ଣଚନ୍ଦ୍ର ବେହେରା ଓ ହାରାମଣି ବେହେରାଙ୍କ ପୁଅ ଭିମସେନ ବେହେରା ୪୧ ବର୍ଷ ପୂର୍ବେ ଗୃହ ତ୍ୟାଗ କରି ଅଲେଖ ମହିମା ଧର୍ମରେ ବ୍ରତ ଧାରଣ କଲା ପରେ ଆଜି ବହୁ ସାଧୁ ସନ୍ୟାସୀଙ୍କ ଗହଣରେ ପୁଣିଥରେ ନିଜ ଗ୍ରାମକୁ ଫେରିଛନ୍ତି ।

ପରିବାର ଠାରୁ ଭିକ୍ଷା ଗ୍ରହଣ କଲା ପରେ ନିଜ ଗ୍ରାମ ତରାଇଲୋ ର ପ୍ରତ୍ୟେକ ଘରକୁ ଯାଇ ଭିକ୍ଷା ଗ୍ରହଣ କରିଥିଲେ । ଭିମସେନ ୪୧ ବର୍ଷ ପୂର୍ବେ ଗୁରୁ ରଘୁନାଥ ବାବାଙ୍କ ବାଣୀ ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ବାବା ହେବା ପାଇଁ ଗୁରୁଙ୍କ ଆଶ୍ରମକୁ ଯାଇ ଅଲେଖ ଧର୍ମରେ ଦୀକ୍ଷିତ ହୋଇଥିଲେ । ପରେ ଯୋରନ୍ଦା ଅଲେଖ ପୀଠକୁ ଚାଲି ଯାଇଥିଲେ । ଗତକାଲି ସାଧୁସନ୍ଥଙ୍କୁ ଧରି ଗ୍ରାମରେ ପହଞ୍ଚି ନିଜ ଘରେ ଅଖଣ୍ଡ ଦୀପ ଜାଳି ଧ୍ୱନି ଲଗାଇଥିଲେ । ଯୋରନ୍ଦା ଗାଦି ରୁ ଆସିଥିବା ମୁଖ୍ୟ ପୂଜ୍ୟ ଅନ୍ତର୍ଯ୍ୟାମୀ ବାବା, କାଶିନାଥ ବାବା, ପ୍ରଫୁଲ୍ଲ ବାବା, ସୁକଦେବ ବାବା,ଋଦ୍ରମଣି ବାବା ,ଆକୁଳି ବାବା,ଭାବ ବାବା, ସ୍ୱାଧୀନ ବାବା, ଅନାମ ବାବା , ପ୍ରଭାକର ବାବା ଯୋଗଦାନ କରି ବ୍ରହ୍ମଧ୍ୱନୀ ସ୍ଥାପନ ସହ ଧର୍ମ ସଭା ଓ ଅହୋରାତ୍ର ଅଖଣ୍ଡ ସଂକୀର୍ତ୍ତନ ଅନୁଷ୍ଠିତ ହୋଇଥିଲା ।

ଆଜି ସକାଳୁ ନିଜ ଘରୁ ଭିକ୍ଷା ମାଗିବା ପରେ ପୁଣିଥରେ ସେ ଯୋରନ୍ଦା ଅଭିମୁଖେ ବାହାରିଥିବା ଜଣାପଡ଼ିଛି । ସାଧୁସନ୍ଥଙ୍କ ଆଗମନ ଓ ନାମ ସଂକୀର୍ତ୍ତନ ଗ୍ରାମରେ ଭକ୍ତିମୟ ପରିବେଶ ସୃଷ୍ଟି କରିଥିଲା । ଏହି କାର୍ଯ୍ୟକ୍ରମରେ ଏକ ହଜାର ରୁ ଉର୍ଦ୍ଧ ଅଲେଖ ମହିମା ଧର୍ମାବଲମ୍ବୀ ଙ୍କ ସମାଗମ ହୋଇଥିଲା। ଏହି କାର୍ଯ୍ୟକ୍ରମକୁ ଗୋବିନ୍ଦ ବେହେରା, କୃଷ୍ଣଚନ୍ଦ୍ର ବେହେରା,ଅନନ୍ତ ବେହେରା ଙ୍କସହ ଗ୍ରାମବାସୀ ପରିଚାଳନା ରେ ସହଯୋଗ କରିଥିଲେ। ସମସ୍ତ ଶ୍ରଦ୍ଧାଳୁ ଙ୍କ ପାଇଁ ପ୍ରସାଦ ସେବନ ର ବ୍ୟବସ୍ଥା କରାଯାଇଯାଇଥିଲା।

Leave A Reply

Your email address will not be published.