ସବୁ ଧର୍ମର ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବାକୁ ନୀଳକନ୍ଦରରୁ ବଡ଼ଦାଣ୍ଡକୁ ଉହ୍ଲେଇ ଆସିବେ ଶୀଜିଉ, ତେବେ ସେହି ବଡ଼ଦାଣ୍ଡର ମାହାତ୍ମ୍ୟ ବିଷୟରେ ଜାଣନ୍ତୁ..
ଭୁବନେଶ୍ୱର(ଓଡ଼ିଆ ନ୍ୟୁଜ୍): ଶ୍ରୀମନ୍ଦିର ପରି ବଡ଼ଦାଣ୍ଡ ମଧ୍ୟ ଭକ୍ତ- ଭଗବାନର ମିଳନର ସ୍ଥଳ । ଭକ୍ତି ଓ ଭାବାବେଗର କେନ୍ଦ୍ର ଏହି ବଡ଼ଦାଣ୍ଡ । ସେଇଥି ପାଇଁ ତ ଜାତି ଧର୍ମ ଭୁଲି ନିଳକନ୍ଦରରୁ ବାହାରି ବଡ଼ଦାଣ୍ଡକୁ ଉହ୍ଲେଇ ଆସନ୍ତି ଶୀଜିଉ । ଆଉ ସେ କଳା ଶ୍ରୀମୁଖକୁ ଦର୍ଶନକରି ଉଦ୍ଧାର ହୁଏ ପତିଜ ଜନ । ବଡ଼ଦାଣ୍ଡରେ ପାଦ ଥାପି ନିଳଚକ୍ରକୁ ଚାହିଁଦେଲା କ୍ଷଣି ଆପେ ଆପେ ଉଭେଯାଏ ସବୁ ଦୁଃଖ ଯାତନା । ଆଉ ନିଜକୁ ଭାଗ୍ୟବାନ ମନେକରେ ଭକ୍ତଟିଏ । ସେହି ବଡ଼ଦାଣ୍ଡରେ ଆଉ ଦିନ କେଇଟାରେ ଗଡିବ ମହାପ୍ରଭୁଙ୍କ ରଥ। ତେବେ ଏହି ବଡ଼ ଦାଣ୍ଡକୁ ନେଇ ଏକ ମାହାତ୍ମ୍ୟ ରହିଛି।
ଅରୁଣସ୍ତମ୍ଭ ନିକଟରୁ ଗୁଣ୍ଡିଚାମନ୍ଦିରର ଦୂରତା ପ୍ରାୟତଃ ୩ କିଲୋମିଟର ବାଟ। ପୂର୍ବରୁ ମାଳିନୀ ନଦୀ ବଡ ଦାଣ୍ଡକୁ ଦୁଇ ଭାଗ କରି ଦେଉଥିଲା । ଫଳରେ ରଥଯାତ୍ରା ପାଇଁ ୬ଟି ରଥ ତିଆରି ହେଉଥିଲା । ଏପଟେ ୩ଟି ଓ ନଦୀ ଆରପଟେ ଆଉ ୩ଟି ରଥ ରହୁଥିଲା । ମହାପ୍ରଭୁ ଶ୍ରୀଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରା ରଥରେ ବିରାଜମାନ ହେବା ପରେ ନଦୀ ପର୍ୟ୍ୟନ୍ତ ଟଣା ହୋଇ ଆସୁଥିଲେ । ଏହା ପରେ ସେମାନଙ୍କୁ ନୌକାରେ ବସାଇ ଆରପଟକୁ ନିଆ ଯାଇଥିଲା । ସେଠାରେ ୩ଟି ରଥରେ ବସି ସେମାନେ ଗୁଣ୍ଡିଚା ମନ୍ଦିର ଯାଉଥିଲେ । କାଳକ୍ରମେ ଗଜପତି ଭାନୁଦେବ ୧୨୩୦ରେ ଗୁରୁ ମାଧବଚାର୍ୟ୍ୟଙ୍କ ପରାମର୍ଶ କ୍ରମେ ବାଙ୍କି ମୁହାଣ ଆଡୁ ମାଲିନୀ ନଦୀକୁ ପୋତି ଦେଇଥିଲେ ।
ଏହା ପରେ ଭକ୍ତମାନେ ଜଗନ୍ନାଥ ମନ୍ଦିର ସମ୍ମୁଖରୁ ଗୁଣ୍ଡିଚା ମନ୍ଦିର ପର୍ୟ୍ୟନ୍ତ ଏକ ପ୍ରଶସ୍ତ ବଡଦାଣ୍ଡ ପାଇଥିଲେ । ଭାନୁଦେବଙ୍କ ପତ୍ନୀ ତଥା ରାଣୀ ଶ୍ରଦ୍ଧା ଦେବୀଙ୍କ ନାମ ଅନୁସାରେ ନଦୀ ବାଲିର ନାମ ଏହା ପରଠାରୁ ଶରଧାବାଲି ରହିଥିଲା । ବାହୁଡା ଯାତ୍ରା ସମୟରେ ମାଉସୀମା ମନ୍ଦିରରେ ପୋଡପିଠା, ସାଲବେଗ ସମାଧୀରେ ପଂନ୍ତି ଭୋଗ ଅର୍ପଣ କରାଯାଇଥାଏ । ଏହି ୨ଟି ସ୍ଥାନରେ ରଥ କିଛି ସମୟ ପାଇଁ ଅଟକିଥାଏ । ଏହି ବଡଦାଣ୍ଡରେ ବାହୁଡା ଏକାଦଶୀ ରାତ୍ରରେ ସୁନାବେଶ, ଦ୍ୱାଦଶୀରେ ଅଧରପଣା ଓ ପରେ ଠାକୁରମାନେ ନିଳାଦ୍ରୀବିଜେ କରିଥାନ୍ତି । ରଥଯାତ୍ରା ବ୍ୟତୀତ ଚନ୍ଦନ ଯାତ୍ରା ସମୟରେ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ମଦନମୋହନ, ଶ୍ରୀଦେବୀ, ଭୂଦେବୀ, ରାମବଳରାମ ଓ ପଂଚ ମହାଦେବ ନରେନ୍ଦ୍ର ପୁଷ୍କରିଣୀକୁ ବଡଦାଣ୍ଡ ଦେଇ ୨୧ ଦିନ ଧରି ଚାପ କ୍ରୀଡା କରିଥାନ୍ତି । ଗୁପ୍ତଗୁଣ୍ଡିଚା ଯାତ୍ରା, ଦୋଳଉତ୍ସବ, ଇନ୍ଦ୍ରଧ୍ୱଜ ପୂଜା ସବୁ କିଛି ହୋଇଥାଏ ଏହି ପୂଣ୍ୟଦାଣ୍ଡରେ । ଅଷ୍ଟାଦଶ ଶତାବ୍ଦୀରେ ରାଜା ଦିବ୍ୟସିଂହ ଦେବ କୋଣାର୍କରୁ ଅରୁଣସ୍ତମ୍ଭକୁ ଆଣି ବଡଦାଣ୍ଡରେ ସ୍ଥାପନ କରିଥିଲେ । ଏହି ବଡଦାଣ୍ଡରେ ମହାପ୍ରଭୁ ଶ୍ରୀଚୈତନ୍ୟ ଭକ୍ତିରେ ବିଭୋର ହୋଇ ପାଗଳପ୍ରାୟ ନାଚି ଗୋଡ ଖଣ୍ଡିଆ ଖାବରା କରି ଦେଇଥିଲେ । କାଳକ୍ରମେ ସେହି ବଡ଼ଦାଣ୍ଡ ବଦଳିଯାଇଛି। ଶରଧାବାଲି ମୟ ଥିବା ବଡ଼ ଦାଣ୍ଡ ଏବେ ପିଚୁ ଓ ପଲସ୍ତରା ହୋଇଯାଇଛି । କିନ୍ତୁ ବଡଦାଣ୍ଡ ମହାପ୍ରଭୁଙ୍କ ସୁଖ ଓ ଦୁଃଖର ମୂକସାକ୍ଷୀ । ଶ୍ରୀମନ୍ଦିର ପରି ବଡଦାଣ୍ଡ ରହିଛି.. ରହିଥିବ.. ହଁ ରହିଥିବ ।