ଓଡ଼ିଆ ନ୍ୟୁଜ୍: ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ‘ଚିନ୍ତନ ଶିବିର। ଉଦ୍ଯାପନୀ ଉତ୍ସବରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। କ୍ରୀଡ଼ା ବିକାଶ ପାଇଁ ବ୍ଲକସ୍ତରରେ ବିନିଯୋଗ ହେବ ୪ ହଜାର କୋଟି ଟଙ୍କା। ପ୍ରତି ବ୍ଲକରେ ତିଆରି ହେବ ଅତ୍ୟାଧୁନିକ ବହୁମୁଖୀ ଷ୍ଟାଡିୟମ୍: ମୁଖ୍ୟମନ୍ତ୍ରୀ।‘ମୁଖ୍ୟମନ୍ତ୍ରୀ ଟ୍ରଫି’ ଜରିଆରେ ଗ୍ରାମାଞ୍ଚଳରୁ ବଛାଯିବେ ଉଦୀୟମାନ ପ୍ରତିଭା।ଗୋଠପାଟଣାରେ ୧୦୦୦ କୋଟି ଟଙ୍କାରେ ମଲ୍ଟି ପର୍ପୋଜ ସ୍ପୋର୍ଟସ କମ୍ପ୍ଲେକ୍ସ। ଚଳିତ ବର୍ଷ ଓଡ଼ିଶାରେ ହେବ ‘ୱାର୍ଲଡ ଆଥ୍ଲେଟିକ୍ସ ସିଲଭର୍’ ପ୍ରତିଯୋଗିତା। ୨୦୩୬ ସୁଦ୍ଧା ବିଶ୍ୱ ଚମ୍ପିଆନ୍ ତାଲିକାରେ ଉଦ୍ଭାସିତ ହେବେ ଓଡ଼ିଆ ପିଲା।ବିଶ୍ୱସ୍ତରୀୟ ଚାମ୍ପିଅନ୍ ତାଲିକା ଶୀର୍ଷରେ ରହିବେ ଓଡ଼ିଶାର କ୍ରୀଡ଼ାବିତ୍।
ସୂଚନାଯୋଗ୍ୟ ଯେ, ଶନିବାରଠାରୁ ରାଜ୍ୟ କ୍ରୀଡ଼ା ବିଭାଗ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରର କ୍ରୀଡ଼ା ବିଶେଷଜ୍ଞ, ପ୍ରଶାସକ, କ୍ରୀଡ଼ାବିତ୍ ପ୍ରମୁଖ ଯୋଗଦେଇ ଓଡ଼ିଶାରେ କ୍ରୀଡ଼ା ବିକାଶ ସମ୍ପର୍କରେ ଆଲୋଚନା କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଓଡ଼ିଶା ଏବେ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରର ସ୍ପୋର୍ଟ୍ସ ଇଭେଣ୍ଟ ସଫଳତାର ସହ ଆୟୋଜନ କରି ସାରା ବିଶ୍ୱରେ ସ୍ୱୀକୃତି ଲାଭ କରିଛି। ଆଗାମୀ ୨୦୨୮ ମସିହାରେ ଓଡ଼ିଶାରେ ବିଶ୍ୱ ଆଥ୍ଲେଟିକ୍ସ (World Athletics) ଏବଂ ଏସିଆନ ଇନଡୋର ଆଥ୍ଲେଟିକ୍ସ ଚମ୍ପିଆନସିପ୍ (Asian Indoor Athletics Championships) ଆୟୋଜନ ହେବାକୁ ଯାଉଛି। ଗତବର୍ଷ ସଫଳତାର ସହ ‘ୱାର୍ଲଡ ଆଥ୍ଲେଟିକ୍ସ କଣ୍ଟିନେଣ୍ଟାଲ୍ ଟୁର୍ ବ୍ରୋଞ୍ଜ୍’ ପ୍ରତିଯୋଗୀତା ଆୟୋଜନ କରାଯାଇଥିବା ବେଳେ ଚଳିତ ବର୍ଷ ଏହାର ସିଲଭର୍ ସ୍ତରର ପ୍ରତିଯୋଗୀତା ଓଡ଼ିଶାରେ ଅନୁଷ୍ଠିତ ହେବ।