ଆମ୍ବୁଲାନ୍ସ କର୍ମଚାରୀଙ୍କ ମହାନତା: ଗର୍ଭବତୀଙ୍କୁ ୮ କିମି କାନ୍ଧରେ ବୋହିନେଲେ ମେଡିକାଲ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଆମ୍ବୁଲାନ୍ସ କର୍ମଚାରୀଙ୍କ ମହାନତା। ଗର୍ଭବତୀଙ୍କୁ ୮ କିମି କାନ୍ଧରେ ବୋହିନେଲେ ମେଡିକାଲ।  ନା ଅଛି ରାସ୍ତା, ନା ଅଛି ପୋଲ। ଗାଁକୁ ଆସିପାରୁନି ଆମ୍ବୁଲାନ୍ସ । ଗର୍ଭବତୀ ହୁଅନ୍ତୁ କି ଗୁରୁତର ରୋଗୀ ବାଧ୍ୟ ହୋଇ ଖଟିଆରେ ବୋହି ନେବାକୁ ପଡ଼ୁଛି । ଦୁଃଖର କଥା ରାସ୍ତା ସମସ୍ୟା କାରଣରୁ ଆମ୍ୱୁଲାନ୍ସ ପାଖକୁ ରୋଗୀ ନୁହେଁ ବରଂ ରୋଗୀ ଆମ୍ୱୁଲାନ୍ସ ପାଖକୁ ଯାଉଛି । ପୁଣିଥରେ ଦେଖିବାକୁ ମିଳିଛି ଜନନୀ ଯନ୍ତ୍ରଣାର ଦୃଶ୍ୟ । ସ୍ଵାଧୀନତାର ୭୭ ବର୍ଷ ପାଳନ ହୋଇଗଲା ତଥାପି ଆଜିଯାଏ ଏମାନଙ୍କ ପରିସ୍ଥିତି ସୁଧୁରିଲା ନାହିଁ । ପାହାଡ଼ିଆ ରାସ୍ତା ହୋଇଥିବାରୁ ଗାଁକୁ ଯାଇ ପାରିଲା ନାହିଁ ଆମ୍ବୁଲାନ୍ସ। ତେଣୁ ପ୍ରସବ ବେଦନାରେ ଛଟପଟ ହେଉଥିବା ଜଣେ ଗର୍ଭବତୀଙ୍କୁ ପାହାଡ଼ିଆ ରାସ୍ତାରେ ଭାରରେ ବୋହି ଆମ୍ବୁଲାନ୍ସ ପର୍ଯ୍ୟନ୍ତ ନେବାପରେ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଛନ୍ତି ଆମ୍ବୁଲାନ୍ସ କର୍ମଚାରୀ । ମହିଳା କଷ୍ଟକୁ ଦେଖି ସହିପାରିଲେନି, ଶେଷରେ ମାନବିକତା ଦେଖାଇଲେ ଆମ୍ବୁଲାନ୍ସ କର୍ମଚାରୀ । ଗର୍ଭବତୀଙ୍କୁ ୮ କିଲୋମିଟର କାନ୍ଧରେ ବୋହି ମେଡିକାଲ ଆଣିଲେ ଡ୍ରାଇଭର ନରେଶ ସରଦାର ।

ମାଲକାନଗିରି ବଣ୍ଡା ଘାଟିରୁ ଆସିଛି ଏଭଳି ଏକ ଚିତ୍ର । ଖଇରପୁଟ ବ୍ଲକ ମୁଦୁଲିପଡ଼ା ବଣ୍ଡା ଘାଟି କିଚପଡ଼ା ଗାଁର ବାବୁ କ୍ରିସାନିଙ୍କ ସ୍ତ୍ରୀ ଶୁକ୍ରୀ କ୍ରିସାନିଙ୍କ ପ୍ରସବ ବେଦନା ହେବାରୁ ୧୦୮କୁ କଲ କରିଥିଲେ । କିନ୍ତୁ ରାସ୍ତା ନଥିବାରୁ ଆମ୍ବୁଲାନ୍ସ ଗାଁ ଠାରୁ ପ୍ରାୟ ୮କିଲୋମିଟର ଦୂରରେ ଅଟକି ରହିଥିଲା । ଯାହାଫଳରେ କିଛି କୁଆଡୁ ଉପାୟ ନପାଇ ଡ୍ରାଇଭର ନିଜେ ଶୁକ୍ରୀଙ୍କୁ କାନ୍ଧରେ ବୋହି ଆମ୍ବୁଲାନ୍ସକୁ ଯାଏ ଆଣିଥିଲେ । ଏହାପରେ ତାଙ୍କୁ ଖଇରପୁଟ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଇଥିଲେ । ଏଭଳି ମହାନ କାର୍ଯ୍ୟ ପାଇଁ ପ୍ରଶଂସା ସାଉଁଟୁଛନ୍ତି ନରେଶ ସରଦାର ।

Leave A Reply

Your email address will not be published.