ଓଡ଼ିଆ ନ୍ୟୁଜ୍: ୨ ବର୍ଷ ପରେ ଇସ୍ରାଏଲୀ ପଣବନ୍ଦୀଙ୍କୁ ମୁକ୍ତ କଲା ହମାସ। ଐତିହାସିକ ଶାନ୍ତି ଚୁକ୍ତି ପୂର୍ବରୁ ହମାସର ବଡ଼ ପଦକ୍ଷେପ। ଇସ୍ରାଏଲ-ଗାଜା ସୀମାରେ ପ୍ରଥମ ବ୍ୟାଚ୍ ପଣବନ୍ଦୀଙ୍କୁ ମୁକ୍ତ କଲା। ଇସ୍ରାଏଲରେ ଆଜି ଖୁସିର ଲହରୀ ଖେଳିଯାଇଛି। ଆଜିର ଦିନଟି ସେମାନଙ୍କ ପାଇଁ ଦୀପାବଳି ପରି। ଦୁଇ ବର୍ଷର ଯୁଦ୍ଧ ପରେ ଏବେ ଶାନ୍ତି ଫେରିଛି। କିଛି ଦିନ ତଳେ ଇସ୍ରାଏଲ ଏବଂ ହମାସ ମଧ୍ୟରେ ଯୁଦ୍ଧବିରତି ଚୁକ୍ତିନାମା ହୋଇଥିଲା। ଏହା ଅନୁଯାୟୀ ଆଜି ସମସ୍ତ ୨୦ଜଣ ବନ୍ଧକଙ୍କୁ ଗାଜାରୁ ମୁକ୍ତ କରାଯାଇଛି। ଜାତୀୟ ଗଣମାଧ୍ୟମ ଏନଡିଟିଭର ସୂଚନା ଅନୁଯାୟୀ, ସେମାନଙ୍କୁ ଦୁଇଟି ବ୍ୟାଚ୍ରେ ମୁକ୍ତ କରାଯାଇଛି।
ପ୍ରଥମ ବ୍ୟାଚ୍ରେ ୭ଜଣ ବନ୍ଧକ ଏବଂ ଦ୍ୱିତୀୟ ବ୍ୟାଚ୍ରେ ୧୩ଜଣ ବନ୍ଧକଙ୍କୁ ମୁକ୍ତ କରାଯାଇଥିବା ଜଣାଯାଇଛି। ୭ଜଣ ବନ୍ଧକ ମୁକ୍ତ ହେବା ପରେ ଇସ୍ରାଏଲରେ ପହଞ୍ଚି ନିଜ ପରିବାରକୁ ଭେଟିଛନ୍ତି। ଇସ୍ରାଏଲୀ ସେନା ଅନୁଯାୟୀ, ରେଡକ୍ରସ ଦ୍ୱାରା ୧୩ଜଣ ବନ୍ଧକଙ୍କ ଦ୍ୱିତୀୟ ବ୍ୟାଚ୍ ସେମାନଙ୍କୁ ହସ୍ତାନ୍ତର କରାଯାଇଛି ଏବଂ ମୁକ୍ତ ୧୩ଜଣ ସେମାନଙ୍କ ସହିତ ଇସ୍ରାଏଲ ଅଭିମୁଖେ ଯାତ୍ରା କରୁଛନ୍ତି।
ଚୁକ୍ତିନାମାର ଅଂଶ ସ୍ୱରୂପ, ହମାସ ଶେଷ ୨୦ଜଣ ବଞ୍ଚିଥିବା ବନ୍ଧକଙ୍କୁ ମୁକ୍ତ କରିବା ଘୋଷଣା କରିଥିଲା। ତେବେ ଏତେ ମାସ ଧରି ବନ୍ଦୀ ଜୀବନ ବଞ୍ଚିବା ପରେ ଆଜି ମୁକ୍ତ ଆକାଶ ଦେଖିଛନ୍ତି ୨୦ଜଣ ଇସ୍ରାଏଲୀ। ଏଥିପାଇଁ ଇସ୍ରାଏଲୀମାନେ ମୁକ୍ତି ହୋଇଥିବା ବନ୍ଧକମାନଙ୍କୁ ସ୍ୱାଗତ କରିବା ପାଇଁ ରାସ୍ତାରେ ନାଚୁଥିବା ଏବଂ ଗୀତ ଗାଉଥିବା ଦେଖାଯାଇଛି।