ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ: ବିବାହ ପ୍ରତିଶ୍ରୁତି ଦେଇ ପ୍ରାପ୍ତ ବୟସ୍କ ମହିଳାଙ୍କ ସହିତ ଶାରୀରିକ ସମ୍ପର୍କ ରଖିବା ଦୁଷ୍କର୍ମ ଅପରାଧ ନୁହେଁ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ବିବାହ ପ୍ରତିଶ୍ରୁତି ଦେଇ ପ୍ରାପ୍ତ ବୟସ୍କ ମହିଳାଙ୍କ ସହିତ ଶାରୀରିକ ସମ୍ପର୍କ ରଖିବା ଦୁଷ୍କର୍ମ ଅପରାଧ ନୁହେଁ । ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି ହାଇକୋର୍ଟ । କିଛି କ୍ଷେତ୍ରରେ ମହିଳାମାନେ ନିଜ ଇଚ୍ଛାରେ ସମ୍ପର୍କ ରଖୁଛନ୍ତି । ତେଣୁ ଏଭଳି ଘଟଣାରେ ଦୁଷ୍କର୍ମ ସଂକ୍ରାନ୍ତୀୟ ଆଇନ ବ୍ୟବହାର ହେବା ଉଚିତ ନୁହେଁ ବୋଲି ଡକ୍ଟର ଜଷ୍ଟିସ୍‌ ସଞ୍ଜିବ ପାଣିଗ୍ରାହୀଙ୍କ ଖଣ୍ଡପୀଠ କହିଛନ୍ତି । ଆଇପିସିର ଧାରା ୩୭୫ ଅନୁସାରେ ପୀଡିତାଙ୍କ ସହ ଘଟିଥିବା ନିର୍ଦ୍ଦିଷ୍ଟ ଯୌନ ନିର୍ଯ୍ୟାତନା ପ୍ରସଙ୍ଗକୁ ଦୁଷ୍କର୍ମ ଅପରାଧ ପରିସରଭୁକ୍ତ କରାଯାଇଛି । କିନ୍ତୁ ବିବାହର ପ୍ରଲୋଭନ ଦେଖାଇ ଶାରୀରିକ ସମ୍ପର୍କ ରଖିବା ଘଟଣା ଏହାର ଅର୍ନ୍ତଭୁକ୍ତ ନୁହେଁ ବୋଲି ହାଇକୋର୍ଟ ସ୍ପଷ୍ଟ କରିଛନ୍ତି ।

ଏକ ଦୁଷ୍କର୍ମ ମାମଲାର ଶୁଣାଣି କରି ହାଇକୋର୍ଟ ଏଭଳି ରାୟ ଦେଇଛନ୍ତି । ୨୦୨୦ ଜାନୁଆର ୧୨ ତାରିଖରେ ଜଣେ ପ୍ରାପ୍ତ ବୟସ୍କା ପୀଡିତାଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ଅଭିଯୁକ୍ତ ସନ୍ତୋଷ କୁମାର ନାୟକ ସାଙ୍ଗରେ ଭୁବନେଶ୍ୱର ଆଣିବା ପରେ ବାରମ୍ବାର ଶାରୀରିକ ସମ୍ପର୍କ ରଖିଥିଲା । କିଛି ଦିନ ପରେ ଅଭିଯୁକ୍ତ ପୀଡିତାଙ୍କୁୂ ଛାଡି ଫେରାର ହୋଇଯାଇଥିଲା ।

ଖବର ପାଇ ତାଙ୍କୁ ଉଦ୍ଧାର କରିଥିଲେ ପୀଡିତାଙ୍କ ପରିବାର ଲୋକ । ନିମାପଡା ଥାନାରେ ଅଭିଯୋଗ କରିବା ପରେ ପୋଲିସ ଅଭିଯୁକ୍ତକୁ ଗିରଫ କରିଥିଲା । ନିମ୍ନ ଅଦାଲତରେ ଜାମିନ ଖାରଜ ହେବା ପରେ ଅଭିଯୁକ୍ତ ଜାମିନ ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଅଭିଯୁକ୍ତ ସନ୍ତୋଷ କୁମାର ନାୟକଙ୍କୁ ସର୍ତ୍ତମୂଳକ ଜାମିନ୍‌ ପ୍ରଦାନ କରି ମାମଲାରେ ପୂର୍ଣ୍ଣଛେଦ ପକାଇଛନ୍ତି ହାଇକୋର୍ଟ । .

Leave A Reply

Your email address will not be published.