ଶିଶୁଙ୍କ କୁପୋଷଣ ଓ ମହିଳାଙ୍କ ରକ୍ତହୀନତା ସମସ୍ୟା ସମାଧାନର ରାସ୍ତା ବାହାର କରିବାକୁ ଆହ୍ୱାନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):  ଓଡ଼ିଶାର ଶିଶୁଙ୍କର ଥିବା କୁପୋଷଣ, ଗର୍ଭବତୀ ମହିଳାଙ୍କ ରକ୍ତହୀନତା ଓ ଅନ୍ୟାନ୍ୟ ସମସ୍ୟା ସମାଧାନର ରାସ୍ତା ବାହାର କରିବା ପାଇଁ ଭାରତୀୟ ଆୟୁର୍ବିଜ୍ଞାନ ଅନୁସନ୍ଧାନ ପରିଷଦ (ଆଇସିଏମଆର) ଓ ଆଞ୍ଚଳିକ ମେଡିକାଲ ଗବେଷଣା କେନ୍ଦ୍ର (ଆରଏମ୍‌ଆରସି), ଭୁବନେଶ୍ୱରକୁ ଆହ୍ୱାନ କରିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ଧର୍ମେନ୍ଦ୍ର ପ୍ରଧାନ ।

କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ମନସୁଖ ମାଣ୍ଡଭୀୟଙ୍କ ସହ ଶ୍ରୀ ପ୍ରଧାନ ଶନିବାର ଆଇସିଏମଆର-ଆରଏମଆରସିର ଆନେକ୍ସ ବିଲଡିଂର ଲୋକାର୍ପଣ ଓ ଆଇସିଏମଆର ସ୍କୁଲ ଅଫ୍ ପବ୍ଲିକ ହେଲଥ୍ ଓ ବିଏସଏଲ -୩ ଲ୍ୟାବର ଭିତ୍ତିପ୍ରସ୍ତର ସ୍ଥାପନ କରିବା ଅବସରରେ ଶ୍ରୀ ପ୍ରଧାନ ଏହା କହିଛନ୍ତି । କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଆଜି ଓଡ଼ିଶାରେ ଶିଶୁ ମୃତ୍ୟୁ, କୁପୋଷଣ, ଓଜନ ଅନୁସାରେ ଉଚ୍ଚତା କମ୍ ଏବଂ ଉଚ୍ଚତା ଅନୁସାରେ ଓଜନ କମ ଭଳି ଅନେକ ଗଭୀର ସମସ୍ୟା ରହିଛି । ମହିଳା ବିଶେଷଭାବେ ଗର୍ଭବତୀ ମହିଳାମାନେ ରକ୍ତହୀନତା କାରଣରୁ ମୃତ୍ୟୁମୁଖରେ ପଡୁଛନ୍ତି, ଯାହା ଚିନ୍ତା ଜନକ । ତେଣୁ ଏ ଦିଗରେ ରାସ୍ତା ବାହାର କରିବା ପାଇଁ ସେ ପରାମର୍ଶ ଦେଇଛନ୍ତି ।

ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଓଡ଼ିଶାରେ ମେଡ଼ିକାଲ କଲେଜ ସଂଖ୍ୟା କ୍ରମାଗତ ବୃଦ୍ଧି ପାଉଥିବା ବେଳେ ରାଜ୍ୟରେ ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ପ୍ରାଧାନ୍ୟ ଦିଆଯାଉଛି । ମୋଦି ସରକାର ପୂର୍ବରୁ ଓଡ଼ିଶାରେ ୩ଟି ମେଡିକାଲ ଥିବା ବେଳେ ଏବେ ତାହା ବଢି ୧୦ରେ ପହଞ୍ଚିଛି । ମୋଦି ସରକାରରେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଢାଞ୍ଚାଗତ ପରିବର୍ତ୍ତନ ହୋଇଛି । ଲାଇଫଷ୍ଟାଇଲ ମ୍ୟାନେଜମେଣ୍ଟ, ଫିଟନେସ ଓ୍ୱେଲ ସେଣ୍ଟରକୁ ଗୁରୁତ୍ୱ ଦିଆଯାଉଛି । ପୂର୍ବରୁ ଲୋକମାନେ କୌଣସି ରୋଗରେ ପଡିବା ପରେ ଡାକ୍ତରଙ୍କ ପରାମର୍ଶ ନେଉଥିଲେ ମାତ୍ର ଏବେ ରୋଗରୁ ମୁକ୍ତ ହେବା ପାଇଁ ଶରୀର ପ୍ରତି ଧ୍ୟାନ ରଖାଯାଉଛି । ସମଗ୍ର ଭାରତବର୍ଷର ନାଗରିକ ମାନଙ୍କୁ ଉତ୍ତମ ସ୍ୱାସ୍ଥ୍ୟସେବା ଯୋଗାଇବା ପାଇଁ ମୋଦି ସରକାର ପ୍ରତିଶ୍ରୁତିବଦ୍ଧ ।

ପ୍ରଧାନମନ୍ତ୍ରୀ ମୋଦିଙ୍କ ସୁସ୍ଥ ଭାରତର କଳ୍ପନାକୁ ସାକାର କରିବାରେ ଆଇସିଏମଆର-ଆରଏମଆରସି ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି । ବିଶେଷ ଭାବରେ କୋଭିଡ୍ ସମୟରେ ପୂର୍ବ ଭାରତର ଲୋକଙ୍କ ଜୀବନକୁ ସୁରକ୍ଷିତ ଓ ସଚେତନ କରିବାରେ ଏହି ଅନୁଷ୍ଠାନର ଅବଦାନ ଅତୁଳନୀୟ ।

ଏହାବ୍ୟତିତ ଆଇସିଏମଆର-ଆରଏମ୍‌ଆରସି ଦ୍ୱାରା ପ୍ରକାଶିତ ଓଡ଼ିଶାର ମହିଳା ବୈଜ୍ଞାନିକଙ୍କ ସମ୍ପର୍କୀତ ଇଂରାଜୀରେ ଲିଖିତ ସ୍ମରଣିକାକୁ ପ୍ରଶଂସା କରିଥିଲେ କେନ୍ଦ୍ରମନ୍ତ୍ରୀ । ଏହାସହ ସେହି ସ୍ମରଣିକାକୁ ଓଡ଼ିଆ ଓ ହିନ୍ଦି ଭାଷାରେ କରିବା ପାଇଁ ସେ ପରାମର୍ଶ ଦେଇଥିଲେ । ଯେଉଁ ମାଆ ପିଠା ତିଆରି କରେ, ସେହି ମାଆ ବିଶ୍ୱ ସମସ୍ୟାର ସମାଧାନ ବି ବାହାର କରିପାରେ ବୋଲି ଶ୍ରୀ ପ୍ରଧାନ ମତବ୍ୟକ୍ତ କରିଥିଲେ ।

Leave A Reply

Your email address will not be published.