କୁଷ୍ଠ ନିରାକରଣ କାର୍ଯ୍ୟରେ କେତେଜଣ ତାଲିମ ପ୍ରାପ୍ତ ପାରା ମେଡିକାଲ କର୍ମୀ ଅଛନ୍ତି ରିପୋର୍ଟ ଦିଅ, ରାଜ୍ୟ ସରକାରଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ); ରାଜ୍ୟରେ କୁଷ୍ଠ ନିରାକରଣ କାର୍ଯ୍ୟରେ କେତେଜଣ ତାଲିମ ପ୍ରାପ୍ତ ପାରା ମେଡିକାଲ କର୍ମୀ ଅଛନ୍ତି; ସେ ନେଇ ଜବାବ ରଖିବା ପାଇଁ ହାଇକୋର୍ଟ ନିର୍ଦେଶ ଦେଇଛନ୍ତି। ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ.ମୁରଲୀଧର ଓ ଜଷ୍ଟିସ ମୁରାହରି ଶ୍ରୀ ରମଣଙ୍କୁ ନେଇ ଗଠିତ ଖଣ୍ଡପୀଠ ବିପିନ ବିହାରୀ ପ୍ରଧାନଙ୍କ ପକ୍ଷରୁ ଦାୟର ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି। ସେହିପରି କୋର୍ଟ ମିତ୍ର ବରିଷ୍ଠ ଆଇନଜୀବୀ ଗୌତମ ମିଶ୍ର, ଆଇନଜୀବୀ ବିଭୁ ପ୍ରସାଦ ତ୍ରିପାଠୀ, ପମି ରଥଙ୍କ ପକ୍ଷରୁ ଏକ ରିପୋର୍ଟ ଦାଖଲ କରାଯାଇଛି। ଏହି ରିପୋର୍ଟ ଉପରେ ବିଭିନ୍ନ ସ୍ଥାନରେ କଣ କଣ କାମ ହୋଇଛି; ସେ ନେଇ ଜବାବ ରଖିବା ପାଇଁ କୋର୍ଟ ରାଜ୍ୟ ସରକାରକୁ ନିର୍ଦେଶ ଦେଇଛନ୍ତି। କେନ୍ଦ୍ର ସରକାର ଏ କ୍ଷେତ୍ରରେ ଅନୁଦାନ ଦେଉଥିବାବେଳେ ରାଜ୍ୟ ସରକାର ୨୦୦୧ମସିହାରୁ ତାଲିମ ପ୍ରାପ୍ତ ପାରା ମେଡିକାଲ କର୍ମୀଙ୍କୁ କାର୍ଯ୍ୟ କ୍ଷେତ୍ରରୁ ବିଦା କରିଦେଛନ୍ତି। ଅନ୍ୟପକ୍ଷରେ ୨୦୨୩, ଜାନୁଆରୀ ମାସରେ ମନିଟରିଙ୍ଗ କମିଟି ବୈଠକ ଆୟୋଜନ କରିବା ପାଇଁ ସରକାରଙ୍କୁ ନିର୍ଦେଶ ଦେଇଛନ୍ତି ଅଦାଲତ। ମାମଲାର ପରବର୍ତୀ ଶୁଣାଣି ଫେବୃଆରୀ ୧୩କୁ ଧାର୍ଯ୍ୟ କରାଯାଇଛି। ରାଜ୍ୟରେ କୁଷ୍ଠ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି। ଜାତୀୟ ତଥ୍ୟ ଅନୁସାରେ ୧୯୮୧ରୁ ୨୦୦୨ ମଧ୍ୟରେ କୁଷ୍ଠ ଚିହ୍ନଟ ହାର ୨୦ ପ୍ରତିଶତ ଥିଲା। ୨୦୦୨ରୁ ଅଦ୍ୟାବଧି ଏହା ୪୯ ପ୍ରତିଶତରେ ପହଞ୍ଚିବା ବେଳେ କୁଷ୍ଠ ନିରାକରଣ କାର୍ଯ୍ୟକ୍ରମ ଅନ୍ତର୍ଗତ ୩୧୨ ପଦବି ଖାଲି ପଡିଛି ବୋଲି ଆବେଦନରେ ଦର୍ଶାଯାଇଥିଲା। ଅନ୍ୟପକ୍ଷରେ ରାଜ୍ୟ ସରକାରଙ୍କ ପକ୍ଷରୁ ଦାଖଲ ସତ୍ୟପାଠରେ ଦର୍ଶାଯାଇଥିଲା ଯେ କୁଷ୍ଠ ନିରାକରଣ ପାଇଁ ରହିଥିବା ପାରାମେଡିକାଲ ପଦବି ଉଚ୍ଛେଦ ହୋଇସାରିଛି। ଏ କ୍ଷେତ୍ରରେ ସାଧାରଣ ସ୍ବାସ୍ଥ୍ୟ କର୍ମଚାରୀ ଯଥା ଆୟୁଷ, ଆଶା ଓ ଅନ୍ୟ ସ୍ବାସ୍ଥ୍ୟକର୍ମୀମାନେ କାର୍ଯ୍ୟ ନିର୍ବାହ କରୁଛନ୍ତି। ଏହିଭଳି ଭାବେ କେତେ ସ୍ବାସ୍ଥ୍ୟ କର୍ମୀଙ୍କୁ ନିୟୋଜିତ କରାଯାଇଛି ସେ ନେଇ ପରବର୍ତ୍ତୀ ଶୁଣାଣିର ଏକ ସପ୍ତାହ ପୂର୍ବରୁ ସତ୍ୟପାଠ ଦାଖଲ ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ରାଜ୍ୟରେ କୁଷ୍ଠ ନିରାକରଣ ଓ କୁଷ୍ଠ ଆକ୍ରାନ୍ତଙ୍କ ଥଇଥାନ ପ୍ରସଙ୍ଗକୁ ନେଇ ଦାୟର ମାମଲାର ହାଇକୋର୍ଟ ଶୁଣାଣି ଏପରି ନିର୍ଦେଶ ଦେଇଛନ୍ତି।

Leave A Reply

Your email address will not be published.