ଝାରୁସୁଗୁଡାରେ ପର୍ଯ୍ୟଟନ କେନ୍ଦ୍ର ଭାଙ୍ଗି ଘରୋଇ ସଂସ୍ଥାକୁ ତାରକା ହୋଟେଲ ନିର୍ମାଣ ପାଇଁ ଅନୁମତି ଦିଆଯିବା ପ୍ରସଙ୍ଗ: ବେଆଇନ ଦର୍ଶାଇ ରୁଜୁ ମାମଲାରେ ହାଇକୋର୍ଟ ସମସ୍ତ ପ୍ରତିପକ୍ଷଙ୍କୁ କଲେ ନୋଟିସ ଜାରି

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଝାରୁସୁଗୁଡାରେ ପର୍ଯ୍ୟଟନ କେନ୍ଦ୍ର ଭାଙ୍ଗି ଘରୋଇ ସଂସ୍ଥାକୁ ତାରକା ହୋଟେଲ ନିର୍ମାଣ ପାଇଁ ଅନୁମତି ଦିଆଯିବା ପ୍ରସଙ୍ଗକୁ ବେଆଇନ ଦର୍ଶାଇ ରୁଜୁ ମାମଲାରେ ହାଇକୋର୍ଟ ସମସ୍ତ ପ୍ରତିପକ୍ଷଙ୍କୁ ନୋଟିସ ଜାରି କରିଛନ୍ତି। ରାଜ୍ୟ ପର୍ଯ୍ୟଟନ ବିଭାଗ, ଝାରସୁଗୁଡ଼ା ଜିଲ୍ଲାପାଳ, ଇଡକୋ, ଭିଜିଲାନ୍ସ ନ‌ିର୍ଦ୍ଦେଶକ, ଝାରସୁଗୁଡ଼ା ପୌର ପାଳିକା ସମେତ ସମସ୍ତ ୧୫ ପ୍ରତିପକ୍ଷଙ୍କୁ ଜବାବ ରଖିବା ପାଇଁ ନୋଟିସ୍ ଜାରି କରିଛନ୍ତି ହାଇକୋର୍ଟ। ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ.ମୁରଲୀଧର ଓ ଜଷ୍ଟିସ ଏମ.ଏସ.ରମଣଙ୍କୁ ନେଇ ଗଠିତ ଖଣ୍ଡପୀଠ ସତ୍ୟନାରାୟଣ ରାଓଙ୍କ ଆବେଦନର ଶୁଣାଣି କରି ୪ ସପ୍ତାହ ଭିତରେ ଜବାବ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏହି ମାମଲାର ପରବର୍ତ୍ତୀ ଶୁଣାଣି ଏପ୍ରିଲ ୧୨କୁ ଧାର୍ଯ୍ୟ କରିଛନ୍ତି ଅଦାଲତ। ଝାରସୁଗୁଡ଼ାରରେ ପର୍ଯ୍ୟଟନ ବିଭାଗ ପକ୍ଷରୁ ଏକ ପର୍ଯ୍ୟଟନ କେନ୍ଦ୍ର ପ୍ରାୟ ୬ କୋଟି ଟଙ୍କା ବ୍ୟୟରେ ପର୍ଯ୍ୟଟକଙ୍କ ସୁବିଧା ପାଇଁ ନିର୍ମାଣ କରାଯାଇଥିଲା।

କରୋନା ସଂକ୍ରମଣ ପୂର୍ବରୁ ଏଠାରେ ସରକାର ୨ କୋଟି ଟଙ୍କା ବିନିଯୋଗ କରିଥିଲେ। କରୋନା ସଂକ୍ରମଣ ସମୟରେ ସଂକ୍ରମିତଙ୍କ ଚିକିତ୍ସା ପାଇଁ ମଧ୍ୟ ଏହି କୋଠା ବ୍ୟବହାର ହୋଇଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ଏହି ପର୍ଯ୍ୟଟନ କେନ୍ଦ୍ରକୁ ୨୦୨୨ର ଏକ ଚୁକ୍ତି ବଳରେ ସରକାର ଘରୋଇ ସଂସ୍ଥାକୁ ୩୦ ବର୍ଷିଆ ଲିଜ୍ ସୂତ୍ରରେ ଚଳାଇବାକୁ ଦେଇଥିଲେ। ସଂପୃକ୍ତ ଘରୋଇ ସଂସ୍ଥା କେନ୍ଦ୍ରର କୋଠାକୁ ଭାଙ୍ଗି ସେଠାରେ ଏକ ତିନି ତାରକା ‌ହୋଟେଲ ନିର୍ମାଣ କରିଥିବା ଆବେଦନରେ ଦର୍ଶା ଯାଇଛି। ତେବେ ଚୁକ୍ତି ଅନୁସାରେ ପୁରୁଣା ନିର୍ମାଣ ଭଙ୍ଗା ଯାଇ ପାରିବ ନାହିଁ। କିନ୍ତୁ ସବୁ ନିୟମ ଏଠି ବେଇଆନ ପାଲଟିଯାଇଥିଲା।

ପୁରୁଣା ନିର୍ମାଣକୁ ଭାଙ୍ଗି ପର୍ଯ୍ୟଟନ ବିଭାଗର ତିନି ଏକର ଜମିରେ ତିନି ତାରକା ହୋଟେଲ ନିର୍ମାଣ ପାଇଁ ବିଭିନ୍ନ ସରକାରୀ କର୍ତ୍ତୃପକ୍ଷ ଅନୁମତି ଦେଇଥିଲେ। ଜମିର କିସମ ମଧ୍ୟ ପରିବର୍ତ୍ତନ କରାଯାଇଥିଲା ବୋଲି ଦର୍ଶାଯାଇଛି। ନିକଟରେ ଅନୁଷ୍ଠିତ ହକି ବିଶ୍ବକପ ବେଳେ ଏହି ହୋଟେଲ ବ୍ୟବହାର ହୋଇଥିଲା। ସମଗ୍ର ପ୍ରକ୍ରିୟାରେ ବ୍ୟାପକ ଅନିମୟିତତା ନେଇ ଅଭିଯୋଗ ହୋଇଥିଲେ ମଧ୍ୟ କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ ବୋଲି ଅଭିଯୋଗ ହୋଇଛି। ଏହି ଘଟଣାର ଭିଜିଲାନ୍ସ କିମ୍ବା ସ୍ବାଧୀନ ସଂସ୍ଥା ଦ୍ବାରା ତଦନ୍ତ କରାଯାଉ ବୋଲି ଆବେଦନକାରୀ ଦର୍ଶାଇଛନ୍ତି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ସୁକାନ୍ତ କୁମାର ଦଳାଇ ମାମଲା ପରିଚାଳନା କରୁଛନ୍ତି।

Leave A Reply

Your email address will not be published.