ସାଙ୍ଗର ଜନ୍ମଦିନ ପାଳନ କରି ଫେରୁଥିଲେ, ଚାଲିଗଲା ଜୀବନ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ସାଙ୍ଗର ଜନ୍ମ ଦିନ ପାଳନ କରି ଘରକୁ ଫେରୁଥିଲେ।   ସାଙ୍ଗର ଜନ୍ମଦିନ ପାଳନ କରୁଥିବା ଜଣେ ଯୁବକଙ୍କ ପାଇଁ ପୁରୁଣା ଲୁହା ବିଦ୍ୟୁତ୍‌ ଖୁଣ୍ଟ କାଳ ହୋଇଛି। କାଳ ବୈଶାଖୀ ପରେ ବାଇକ୍‌ରେ ଯାଉଥିବାବେଳେ ଏହି ଖୁଣ୍ଟ ସଂସ୍ପର୍ଶରେ ଆସି ଯୁବକ ଜଣଙ୍କ ପ୍ରାଣ ହରାଇଛନ୍ତି। ଏପରି ଘଟଣା ଘଟିଛି କଟକ ଜିଲ୍ଲାରେ। ମୃତକ ଜଣଙ୍କ ହେଲେ କଟକ ଷ୍ଟୃଆଟ ପାଟଣା ଅଞ୍ଚଳର ଆଲୋକ ପ୍ରଧାନ।

ତୁଳସୀପୁରସ୍ଥିତ ମଧୁକୁଞ୍ଜ ପାର୍କ ନିକଟରେ ରବିବାର ରାତିରେ ଘଟିଛି ଏହି ଅଘଟଣ। ମୃତକ ଷ୍ଟୁଆର୍ଟପାଟଣା ତଳସାହିର ଆଲୋକ ପ୍ରଧାନ। ରବିବାର ରାତିରେ ଆଲୋକ ସାଙ୍ଗମାନଙ୍କ ସହିତ ମଧୁକୁଞ୍ଜ ପାର୍କ ନିକଟରେ ଜଣେ ସାଙ୍ଗର ଜନ୍ମଦିନ ପାଳନ କରୁଥିଲେ। କାଳବୈଶାଖୀ ଯୋଗୁଁ ନିକଟରେ ଥିବା ଏକ ଲୁହା ବିଦ୍ୟୁତ ଖୁଣ୍ଟରେ ବିଦ୍ୟୁତ୍‌ ଚାର୍ଜ ହୋଇଯାଇଥିଲା। ଆଲୋକ ଅନ୍ୟ ଜ​‌ଣେ ସାଙ୍ଗ ସହିତ ଏକ ବାଇକରେ ଉକ୍ତ ରାସ୍ତା ଦେଇ ଆସୁଥିବାବେଳେ ତାଙ୍କ ଗୋଡ଼ ବିଦ୍ୟୁତ୍‌ ଖୁଣ୍ଟରେ ଲାଗିଯାଇଥିଲା। ବିଦ୍ୟୁତ୍‌ ସଂସ୍ପର୍ଶରେ ସେଠାରେ ସେ ଅଚେତ ହୋଇପଡ଼ିଥିଲେ। ବାଇକରେ ଥିବା ସାଙ୍ଗ ଉଦୟ ସେନାପତି ଆଲୋକଙ୍କୁ ସାହାଯ୍ୟ କରିବାକୁ ଉଦ୍ୟମ କଲାବେଳେ ସେ ମଧ୍ୟ ବିଦ୍ୟୁତ୍‌ ଆଘାତରେ ଛିଟିକି ପଡିଥିଲେ। ସେ ଆହତ ହୋଇଥିବାବେଳେ ଅନ୍ୟ ସାଙ୍ଗମାନେ ଆଲୋକଙ୍କୁ ତୁଳସୀପୁରସ୍ଥିତ ଏକ ଘରୋଇ ହସ୍ପିଟାଲକୁ ନେଇଯାଇଥିଲେ। ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ପୁଲିସ ହସ୍ପିଟାଲରେ ପହଞ୍ଚି ପଚରାଉଚୁରା କରିବା ସହ ମୃତକଙ୍କ ଘରକୁ ଯାଇ ବୁଝାସୁଝା କରିଥିଲେ।

ମଧୁକୁଞ୍ଜ ପାର୍କ ନିକଟରେ ଥିବା ବିଦ୍ୟୁତ ଖୁଣ୍ଟଟି ଦୀର୍ଘଦିନ ଧରି ବିପଦସଙ୍କୁଳ ଅବସ୍ଥାରେ ରହିଥିଲା। ସ୍ଥାନୀୟ ଅଞ୍ଚଳବାସୀ ଖୁଣ୍ଟ ମରାମତି ପାଇଁ ଦାବି କରିଆସୁଥିଲେ ମଧ୍ୟ ବିଦ୍ୟୁତ୍‌ ବିଭାଗ ଏଥିପ୍ରତି ଗୁରୁତ୍ବ ଦେଇନଥିଲା। ଖୁଣ୍ଟ ବଦଳାଯାଇଥିଲେ ହୁଏତ ଆଲୋକଙ୍କ ଜୀବନ ରକ୍ଷା ହୋଇପାରିଥାନ୍ତା ବୋଲି ସ୍ଥାନୀୟ ଲୋକେ କହିଛନ୍ତି। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ପ୍ରକାଶ ପାଇଥିଲା। ପୁଲିସ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ସ୍ବାଭାବିକ ହୋଇଥିଲା।

Leave A Reply

Your email address will not be published.