ଦାନ୍ତକାଠି ପାଇଁ ଯାଇଥିଲେ ଦଳିଦେଲା ଦନ୍ତା

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ନୂଆଗାଁ ଦୋଲକସାହି ଗ୍ରାମ ନିକଟ ଜଙ୍ଗଲରେ ହାତୀ ଆକ୍ରମଣରେ ମହିଳା ମୃତ| ଗୁରୁବାର କେନ୍ଦୁଝର ଜିଲ୍ଲା ତଥା ବନଖଣ୍ଡ ଅନ୍ତର୍ଗତ ବଡବିଲ ବନାଞ୍ଚଳର ଗୁଆଲି ସେକ୍ସନ ଅଧିନସ୍ଥ ନୂଆଗାଁ, ଦୋଲକସାହି ଗ୍ରାମ ନିକଟସ୍ଥ ଜଙ୍ଗଲରେ ଏକ ହାତୀ ଆକ୍ରମଣରେ ଗ୍ରାମର ସୁମିମୁଣ୍ଡା ନାମକ ମହିଳାଙ୍କ ମୃତ୍ୟୁ ଘଟିଥିବା ଜଣା ପଡିଛି।

ସୂଚନାନୁସାରେ ଆଜି ସକାଳ ପ୍ରାୟ ୧୦ଟା ବେଳେ ସୁମି ଦାନ୍ତକାଠି ସଂଗ୍ରହ ପାଇଁ ଗ୍ରାମ ନିକଟରେ ଥିବା ଜଙ୍ଗଲକୁ ଯାଇଥିବା ବେଳେ ଏକ ଜଂଗଲୀ ହାତୀ ହାବୁଡ଼ରେ ପଡ଼ି ଯାଇଥିଲେ। ହାତୀ ତାଙ୍କୁ ଗୋଡରେ ଦଳି ଦେବାରୁ ଘଟଣା ସ୍ଥଳରେ ସୁମିମୁଣ୍ଡାଙ୍କ ମୃତ୍ୟୁ ଘଟିଥିଲା। ସୂଚନା ପାଇ ରୁଗୁଡି ପୋଲିସ ଓ ବନ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ବଡବିଲ ମେଡିକାଲ ପଠାଇବା ସହ ତଦନ୍ତ ଜାରି ରଖିଛି। ଅଞ୍ଚଳରେ ବ୍ୟାପକ ଖଣି ଖନନ ସହ ଜଙ୍ଗଲ ନଷ୍ଟ ହେବା ଫଳରେ ଜଂଗଲୀ ଜନ୍ତୁମାନେ ଖାଦ୍ୟ ଅନ୍ୱେଷଣରେ ଗାଁ ମୁହାଁ ହେଉଛନ୍ତି।

ଅନ୍ୟ ପକ୍ଷରେ କିଛି ଲୋକ ଜଂଗଲୀ ଜନ୍ତୁ ଶିକାର ପାଇଁ ଜଙ୍ଗଲରେ ନିଆଁ ଲଗାଉଛନ୍ତି। ବନ ବିଭାଗ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ କରାଯାଇ ଲୋକଙ୍କୁ ସଚେତନ କରା ଯାଉଥିଲେ ହେଁ ଲୋକଙ୍କ ମଧ୍ୟରେ ତାହାର କୌଣସି ପ୍ରଭାବ ପଡ଼ୁନାହିଁ। ନିଜକୁ ନିଆଁ ଦାଉରୁ ରକ୍ଷା କରିବାକୁ ଏହି ନିରୀହ ବନ୍ୟପ୍ରାଣୀ ମାନେ ଜନବସତି ମୁହାଁ ହେଉଥିବା ବେଳେ ଅନେକ ସମୟରେ ଉଭୟ ମଣିଷ ଓ ପଶୁ ମଧ୍ୟରେ ସଂଘର୍ଷ ଘଟୁଛି। ବନ ବିଭାଗ ଏ ଦିଗରେ ତୁରନ୍ତ ଉପଯୁକ୍ତ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି।

Leave A Reply

Your email address will not be published.