ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଦୁଇଟି ଯାତ୍ରୀବାହୀ ବସ୍ ମଧ୍ୟରେ ମୁହାଁମୁହିଁ ଧକ୍କା । ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ 5 ଜଣ ଗୁରୁତର ଆହତ ହୋଇଛନ୍ତି । ଗତକାଲି ବିଳମ୍ବିତ ରାତିରେ ଗଞ୍ଜାମ ଜିଲ୍ଲାର ଧରାକୋଟ ଥାନା ଅନ୍ତର୍ଗତ ଜି. ଦାମଦରପଲ୍ଲୀ ଗ୍ରାମ ନିକଟରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି ।
ମୃତକ ଜଣକ ଗୋଟିଏ ବସ୍ର ଡ୍ରାଇଭର ହୋଇଥିବା ଜଣାପଡିଛି । ଆହତମାନଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସୂଚନା ଅନୁସାରେ, ମାଲକାନଗିରି ଅଭିମୁଖେ ଯାଉଥିଲା ଦିଲ୍ଖୁସ୍ ବସ୍ । ଏହି ସମୟରେ ବିପରୀତ ଦିଗରକୁ ଆସୁଥିଲା ହ୍ୱାଇଟ୍ ହର୍ସ ନାମକ ଆଉ ଏକ ବସ୍ । ହେଲେ ଢଉଗାଁ ନିକଟରେ ଉଭୟ ବସ୍ ମୁହାଁମୁହିଁ ଧକ୍କା ହୋଇଥିଲା ।
ଯାହାଫଳରେ ଦିଲ୍ଖୁସ୍ ବସ୍ ଡ୍ରାଇଭର ଚାପି ହୋଇ ମୃତ୍ୟୁ ହୋଇଥିବା ବେଳେ ଏକାଧିକ ଲୋକେ ଆହତ ହୋଇଛନ୍ତି । ୧୦୮ ଆମ୍ବୁଲାନ୍ସ ଯୋଗେ ପ୍ରଥମେ ଆହତଙ୍କୁ ଆସିକା ମେଡିକାଲରେ ଭର୍ତ୍ତି କରାଯାଇଛି ।ତେବେ ଦୁର୍ଘଟଣାର ସଠିକ୍ କାରଣ ଏବେ ଯାଏଁ ଅସ୍ପଷ୍ଟ ରହିଛି । ଆସିକା ଏସଡିପିଓ ଘଟଣାସ୍ଥଳରେ ଉପସ୍ଥିତ ରହିଛନ୍ତି | ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଦୁଇଟି ଯାକ ବସର ଆଗ ପଟ ଭାଙ୍ଗି ସମ୍ପୂର୍ଣ୍ଣ ଚୁର ମାର ହୋଇଯାଇଛି । ଜେସିବି ସାହାଯ୍ୟରେ ଉଭୟ ଦୁର୍ଘଟଣାଗ୍ରସ୍ତ ଗାଡିକୁ ହଟାଇବା ପରେ ଯାନଚଳାଚଳ ସ୍ୱାଭାବିକ ହୋଇଛି ।