ଓଡ଼ିଆ ନ୍ୟୁଜ୍: ଜଳୁଛି ଓଡିଶା। ରାଜ୍ୟରେ ଅସହ୍ୟ ହେଉଛି ତାତି । ଆଗକୁ ତାତି ବଢିବା ସହ ଅଗ୍ନି ବର୍ଷା ହେବାକୁ ଥିବା ବେଳେ ଆଗାମୀ ୫ ଦିନ ଯାଏ ରାଜ୍ୟରେ ଜାରି ରହିବ ଗ୍ରୀଷ୍ମ ପ୍ରବାହ ସହ ଉଷ୍ମ ରାତ୍ରିର ସ୍ଥିତି । ଆସନ୍ତା ୨୪ ଘଣ୍ଟାରେ ନୟାଗଡ, ଅନୁଗୁଳ, ସମ୍ବଲପୁର ଓ ଝାରସୁଗୁଡା ଏହି ୪ ଜିଲ୍ଲାରେ ପ୍ରବଳ ଖରା ଓ ଗରମକୁ ନେଇ ହିଟ୍ ୱେଭ ଓ୍ବାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଏହାସହ ବଲାଙ୍ଗିର ଓ ସମ୍ବଲପୁର ଦୁଇ ଜିଲ୍ଲାରେ ଉଷ୍ମ ରାତ୍ରି ସହ କଳାହାଣ୍ଡି, ନୂଆପଡା, ବଲାଙ୍ଗିର, ବୌଦ୍ଧ, ବରଗଡ଼, ସୁନ୍ଦରଗଡ, ଗଞ୍ଜାମ, ଗଜପତି, ନୟାଗଡ, ଖୋର୍ଦ୍ଧା, ପୁରୀ, କଟକ, ଜଗତସିଂହପୁର, କେନ୍ଦ୍ରାପଡା, ଯାଜପୁର, ଭଦ୍ରକ ଓ ବାଲେଶ୍ୱର ଏହି ୧୬ ଜିଲ୍ଲାରେ ଉଷ୍ମ ଓ ଆଦ୍ରର ସ୍ଥିତି ପାଇଁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।
ସେପଟେ ଅଧିକାଂଶ ଜିଲ୍ଲାରେ କାଳବୈଶାଖୀ ସମ୍ଭାବନା ଥିବାବେଳେ ଜଗତସିଂହପୁର, କେନ୍ଦ୍ରାପଡା, ଭଦ୍ରକ, ବାଲେଶ୍ୱର ଓ ମୟୁରଭଞ୍ଜ ଏହି ୫ ଜିଲ୍ଲାରେ ବଜ୍ରପାତ ସହ ବର୍ଷା ଓ ୫୦ ରୁ ୬୦ କି.ମି. ଝଟକା ପବନ ହେବାର ସମ୍ଭାବନା ଥିବାବେଳେ ଅରେଞ୍ଜ ଆଲର୍ଟ ଜାରି କରିଛି ବିଭାଗ । ଏହାସହ ଝାରସୁଗୁଡା, ସମ୍ବଲପୁର, ବରଗଡ଼, ବଲାଙ୍ଗିର ଓ ସୋନପୁର ଏହି ୫ ଜିଲ୍ଲାକୁ ବାଦ୍ ଦେଇ ଅବଶିଷ୍ଟ ୨୦ ଜିଲ୍ଲାରେ ବଜ୍ରପାତ ସହ ବର୍ଷା ଓ ୩୦ ରୁ ୫୦ କି.ମି. ଝଟକା ପବନ ହେବାର ସମ୍ଭାବନା ଥିବାବେଳେ ୟେଲୋ ଜାରି କରିଛି ବିଭାଗ ।