ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଦୁର୍ବଳ ପଡୁଛି ବାତ୍ୟା ଦାନାର ଅବଶିଷ୍ଟାଂଶ । ଆହୁରି ଦୁର୍ବଳ ପଡ଼ି ଡିପ୍ରେସନରେ ପରିଣତ ହୋଇଛି । ଏବେ ଉତ୍ତର ଓଡ଼ିଶା ଉପରେ ସକ୍ରିୟ ରହିଛି ଅବପାତ । ଏହା ଭଦ୍ରକରୁ ୫୦ କିଲୋମିଟର ଉତ୍ତର ପଶ୍ଚିମ ଓ କେନ୍ଦୁଝରରୁ ୭୦ କିଲୋମିଟର ପୂର୍ବ-ଦକ୍ଷିଣ ପୂର୍ବ ଦିଗରେ କେନ୍ଦ୍ରୀଭୂତ ରହିଛି । ଅବପାତ ଉତ୍ତର ପଶ୍ଚିମ ଦିଗରେ ଓଡ଼ିଶା ଦେଇ ଅତିକ୍ରମ କରିବା ସହ ଆହୁରି ଦୁର୍ବଳ ପଡ଼ି ଆଜି ୱେଲ୍ ମାର୍କଡ ଲୋ ପ୍ରେସରରେ ପରିଣତ ହେବ ।
ଗୋଟେ ପଟେ ବର୍ଷା ପାଣି ଅନେକ ଲୋକଙ୍କ ଘରେ ପଶିଥିବା ବେଳେ ବନ୍ୟାଜଳକୁ ନେଇ ଏବେ ଛାନିଆ ନଦୀକୂଳିଆ ବାସିନ୍ଦା। ବାତ୍ୟା ଦାନା ପ୍ରଭାବରେ ଚାନ୍ଦବାଲିରେ ସର୍ବାଧିକ ୧୬୭.୬ ମିମି ବର୍ଷା ରେକର୍ଡ ହୋଇଛି। ଭଦ୍ରକରେ ୧୬୧ ମିମି, ଯାଜପୁରରେ ୧୪୩, ବାଲେଶ୍ୱରରେ ୮୭.୬, କେନ୍ଦ୍ରାପଡ଼ାରେ ୬୯.୨, ବାରିପଦାରେ ୫୨, କଟକରେ ୨୫.୪, ପାରାଦୀପରେ ୧୪.୮, ଜଗତସିଂହପୁରରେ ୨୧.୨ , କେନ୍ଦୁଝରରେ ୧୭.୩ ଏବଂ ଭୁବନେଶ୍ବରରେ ୮.୪ ମିମି ବର୍ଷ ରେକର୍ଡ କରାଯାଇଛି। ଅନ୍ୟପଟରେ ସୋର ଓ ସିମୁଳିଆ ବ୍ଲକର ସୀମାନ୍ତରେ ପ୍ରବାହିତ କାଂଶବାଂଶ ବିପଦରେଖା ପାଖାପାଖି ହେବାକୁ ବସିଲାଣି।
ସେହିପରି ଧାମନଗର ଅଞ୍ଚଳରେ ଲଗାଣ ବର୍ଷା କାରଣରୁ ରାସ୍ତାରେ ୨ ଫୁଟର ପାଣି ଜମିଥିବାରୁ ଯାତାୟାତ ଏକପ୍ରକାର ଠପ୍ ହୋଇଛି। ଜୟନଗର ରାସ୍ତାରେ ମଧ୍ୟ ବର୍ଷା ପାଣି ଜମିଥିବାରୁ ପ୍ରାୟ ୧୫ ପରିବାର ଜଳବନ୍ଦୀ ଭଳି ସ୍ଥିତିରେ ରହିଥିଲେ। ସେହିପରି ସକାଳ ସାଢ଼େ ୮ଟା ଯାଏ ୪ ଜିଲ୍ଲା କେନ୍ଦ୍ରାପଡ଼ା, କଟକ, ଯାଜପୁର ଓ ଢେଙ୍କାନାଳକୁ ଜାରି ହୋଇଛି ଅରେଞ୍ଜ ସତର୍କତା । ଆଜି ପାଇଁ ପ୍ରବଳ ବର୍ଷା ନେଇ ବାଲେଶ୍ୱର ଓ ମୟୂରଭଞ୍ଜ ଜିଲ୍ଲାକୁ ଜାରି ହୋଇଛି ୟେଲୋ ୱାର୍ଣ୍ଣିଂ । ଆସନ୍ତାକାଲିଠୁ ପାଗରେ ପରିବର୍ତ୍ତନ ହେବ ବୋଲି କହିଛି ପାଣିପାଗ ବିଭାଗ ।