ଦୂଷିତ ଜଳକୁ ମହାନଦୀରେ ଛାଡ଼ନାହିଁ: କଟକର ପ୍ରତି ଶିଳ୍ପାନୁଷ୍ଠାନକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): କଟକ ସହରର ମୁଖ୍ୟ ନଳାର ପାଣିକୁ ବିଶୋଧନ କରାନଯାଇ କାଠଯୋଡ଼ି ନଦୀକୁ ଛଡାଯିବାକୁ ବିରୋଧ କରି ଖାନନଗର ଖପୁରିଆ ଶିଳ୍ପାଞ୍ଚଳ ପୂଜା କମିଟି ପକ୍ଷରୁ ଦାୟର ମାମଲା ଉପରେ ହାଇକୋର୍ଟ ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ.ମୁରଲୀଧର ଓ ଜଷ୍ଟିସ ଆ‌ର.କେ.ପଟ୍ଟନାୟକଙ୍କୁ ନେଇ ଗଠିତ ଖଣ୍ଡପୀଠ ଶୁଣାଣି କରିଥିବାବେଳେ ଏଭଳି ବର୍ଯ୍ୟ ପାଣିକୁ ତୁରନ୍ତ ବନ୍ଦ କରିବା ପାଈଁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ଏହା ସହ ରାଜ୍ୟର କେତେ ନଦୀରେ ଏହିପରି ଭାବରେ ପ୍ରଦୂଷିତ ଜଳ ମିଶୁଛି ସେ ସମ୍ପର୍କରେ ତଥ୍ୟ ଦେବାକୁ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡକୁ ନିର୍ଦ୍ଦେଶ ଦେଇଛନ୍ତି। କାଠଯୋଡ଼ି ନଦୀରେ ମିଶୁଥିବା ଏହି ପ୍ରଦୂଷିତ ଜଳକୁ ମତ୍ତଗଜପୁର ସ୍ୱରେଜ ଟ୍ରିଟମେଣ୍ଟ ପ୍ଲାଣ୍ଟକୁ ଛାଡିବା ପାଇଁ ସ୍ପଷ୍ଟ କରିଛନ୍ତି ହାଇକୋର୍ଟ। ପୂର୍ବ ନିର୍ଦ୍ଦେଶ ଅନୁଯାୟୀ ଆବେଦନକାରୀ ଫଟୋ ଓ ଭିଡିଓ ଦାଖଲ କରିଥିଲେ। ତେବେ ଏହାର ସ୍ଥାୟୀ ସମାଧାନ ପାଇଁ ସିଏମସି କି ପଦକ୍ଷେପ ନେଉଛି, ସେ ସମ୍ପର୍କରେ ସତ୍ୟପାଠ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ।

ଆସନ୍ତା ସୋମବାର ମାମଲାର ପରବର୍ତ୍ତୀ ଶୁଣାଣି ହେବ ବୋଲି ଧାର୍ଯ୍ୟ କରାଯାଇଛି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ କ୍ଷୀରୋଦ କୁମାର ରାଉତ ମାମଲା ପରିଚାଳନା କରୁଛନ୍ତି।
ସୂଚନାଯୋଗ୍ୟ ଏହି ମାମଲାରେ ହାଇକୋର୍ଟ ପୂର୍ବରୁ ଶୁଣାଣି କରି ପ୍ରତିପକ୍ଷ ରାଜ୍ୟ ସରକାରଙ୍କ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ସଚିବ, ସିଏମସି କମିସନର, ସିଡିଏ ଉପାଧ୍ୟକ୍ଷ, ଜିଲାପାଳ, ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ପରିଷଦକୁ ନୋଟିସ ଜାରି କରିଥିଲେ। ସହରର ମୁଖ୍ୟ ନଳା ପାଣିକୁ ଖାନନଗର ଠାରେ କାଠଯୋଡ଼ି ନଦୀକୁ ଛଡାଯାଉଛି। ଫଳରେ ନଦୀ ପାଣି ବିଷାକ୍ତ ହେବା ସହ ନାନା ରୋଗ ସୃଷ୍ଟି କରିବାରେ ସହାୟକ ହେଉଛି। ସ୍ଥାନୀୟ ଅଞ୍ଚଳରେ ଚର୍ମ ରୋଗ ବ୍ୟାପିବା ସହ ପେଟ ରୋଗ ବଢୁଥିବା ଆବେଦନକାରୀ ଦର୍ଶାଇଛନ୍ତି। ଫଳରେ ସ୍ଥାନୀୟ ବାସିନ୍ଦା ଅର୍ଥ ଶ୍ରାଦ୍ଧ କରିବାରେ ବାଧ୍ୟ ହେଉଛନ୍ତି। ଏହି ପାଣି ମତ୍ତଗଜପୁରରେ ବିଶୋଧନ କରିବା ପାଇଁ ଯୋଜନା ଥିବାବେଳେ ଦୀର୍ଘ ବର୍ଷ ଧରି ତାହା କାର୍ଯ୍ୟକାରୀ ହେଉନାହି। ଏଣେ ଖାନନଗର ଠାରେ ସେହି ପାଣିକୁ ଛଡାଯାଉଛି। ଫଳରେ ଦୁର୍ଗନ୍ଧରେ ଉଠିବା ବସିବା ମୁସ୍କିଲ ହେଉଛି। ତେବେ ଏହାର ପ୍ରତିକାର ବ୍ୟବସ୍ଥା କରିବା ପାଇଁ ପ୍ରାର୍ଥନା କରି ଆବେଦନକାରୀ ପୂଜା କମିଟି ସଂପାଦକ ହାଇକୋର୍ଟରେ ମାମଲା ରୁଜୁ କରିଛନ୍ତି।

Leave A Reply

Your email address will not be published.