ଆଜିଠାରୁ ଆରମ୍ଭ ହେଲା ଆବାସ ସର୍ଭେ

0

ଓଡ଼ିଆ ନ୍ୟୁଜ୍:  ଆଜିଠାରୁ ଆରମ୍ଭ ହେଲା ଆବାସ ସର୍ଭେ। ଉଭୟ ଅଫଲାଇନ ଏବଂ ଅନଲାଇନ ମାଧ୍ୟମରେ ହିତାଧିକାରୀ ଆବେଦନ କରିପାରିବେ । ଏଥିପାଇଁ ଆଜି ରାଜ୍ୟ ସରକାର ବିଧିବଦ୍ଧ ଭାବେ, ଆବାସ ପୋର୍ଟାଲ ଏବଂ ମୋବାଇଲ ଆପର ଶୁଭାରମ୍ଭ ମଧ୍ୟ କରିଛନ୍ତି। ଯେଉଁଥିରେ ଘରେ ବସି ଯୋଗ୍ୟ ହିତାଧିକାରୀଟେ ଆବାସ ଯୋଜନାର ଲାଭ ଉଠାଇପାରିବ। ଏନେଇ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାୟକ କହିଛନ୍ତି, ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ଆବାସ ଘର ମିଳିବ । କୌଣସି ବି ହିତାଧିକାରୀ ଏଥିରୁ ବଞ୍ଚିତ ହେବେ ନାହିଁ । ପୁରୀ ଜିଲ୍ଲା ଅର୍ଜୁନସିଂପୁର ଗ୍ରାମରୁ ପ୍ରଧାନମନ୍ତ୍ରୀ ଆବାସ ପାଇଁ ସର୍ଭେ ଆରମ୍ଭ ହୋଇଯାଇଛି। ମନ୍ତ୍ରୀ ରବି ନାୟକ ଓ ସାଂସଦ ସମ୍ବିତ ପାତ୍ର ଗାଁ ଗାଁ ବୁଲି ଲୋକଙ୍କୁ ଭେଟିଛନ୍ତି । ଗରୀବ ଲୋକଙ୍କ ଘରକୁ ଯାଇ ସର୍ଭେ କରିଛନ୍ତି। ଏଥର ଆବାସ ଆବେଦନ ପାଇଁ ଯୋଗ୍ୟତାର ମାନ ପାଇଁ ଥିବା ନିୟମାବଳୀକୁ ଟିକେ କୋହଳ କରିଛନ୍ତି ସରକାର। ଅର୍ଥାତ୍ ଏଥର ପ୍ରଥମ ଥର ପାଇଁ ଆଶାୟୀ ଥିବା ହିତାଧିକାରୀ ନିଜେ ନିଜର ସର୍ଭେ କରିପାରିବେ। ବାପାଙ୍କର ଠାରୁ ଅଲଗା ହୋଇଥିବା ପୁଅ, ସ୍ବାମୀ ଠାରୁ ଅଲଗା ହୋଇଥିବା ସ୍ତ୍ରୀ ମଧ୍ୟ ଏଥିରେ ସାମିଲ ହୋଇପାରିବେ।

 ଦୁଇ ଚକିଆ ଯାନ, ଫ୍ରିଜ୍ ଏବଂ ଲ୍ୟାଣ୍ଡଲାଇନ୍ ଫୋନ୍ ଥିବା ପରିବାର ମଧ୍ୟ ଏଥର ସର୍ଭେ ତାଲିକାଭୁକ୍ତ ହୋଇପାରିବେ। ସେହିପରି ବାର୍ଷିକ ଆୟ ୧୫ ହଜାର ଟଙ୍କା ଥିଲେ ବି ଏଥିରେ ଆବେଦନ କରିପାରିବେ। ଆସନ୍ତା ୨ ମାସ ପାଇଁ ଏହି ଆବାସ ସର୍ଭେ ଚାଲିବା ବେଳେ ଆବାସ ପ୍ଲସ୍ ମୋବାଇଲ୍ ଆପ୍ ଜରିଆରେ ସର୍ଭେ ହେବ। ଉଭୟ ଅଫ୍‌ଲାଇନ ଏବଂ ଅନଲାଇନରେ ଆବେଦନ କରିପାରିବେ ହିତାଧିକାରୀ । ଏଥିପାଇଁ ଆବେଦନକରୀ ମାନେ ପଞ୍ଚାୟତ ଗୁଡିକରେ ଅଫଲାଇନରେ ଆବେଦନ କରିପାରିବେ କିମ୍ଭା ଅନଲାଇନରେ ଆବାସ ପୋର୍ଟାଲ ମାଧ୍ୟମରେ ମଧ୍ୟ ଆବେଦନ କରିପାରିବେ । ଏଥିପାଇଁ ବିଭାଗ ପଞ୍ଚାୟତ ଗୁଡ଼ିକରେ ପଲ୍ଲୀସଭା କରି ପୂର୍ବରୁ ସଚେତନ କରିସାରିଛି। ଏଥିସହିତ ଅଧିକ ସହାୟତା ଲାଗି ସରକାର ଟୋଲ୍ ଫ୍ରି ନମ୍ବର ୦୬୭୪-୬୮୧ ୭୭୭୭ ମଧ୍ୟ ଜାରି କରିଛନ୍ତି। ଯେଉଁଥିରେ କୌଣସି ବି ଦ୍ବନ୍ଦ୍ବ ଥିଲେ, ଯୋଗାଯୋଗ କରି ସହାୟତା ପାଇପାରିବେ ହିତାଧିକାରୀ।

Leave A Reply

Your email address will not be published.